କୋଣାର୍କ,୨୩।୯: ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲି କଢା ପ୍ରକ୍ରିୟାକୁ ନେଇ ଏବେ ଆଶଙ୍କା ଦେଖାଦେଇଛି। ସୂର୍ଯ୍ୟମନ୍ଦିରରୁ ବାଲି କଢ଼ା ଯିବା ଲାଗି ୩ବର୍ଷ ସମୟ ଧାର୍ଯ୍ୟ ହୋଇଥିଲା। ଏହି ୩ବର୍ଷ ମଧ୍ୟରେ ଏଏସଆଇ ଡିଜି ଯଦୁବୀର ସିଂ ରାଓ୍ବତ,ଏଡିଜି ଜାନଭିଜ ଶର୍ମା ସୂର୍ଯ୍ୟମନ୍ଦିର ବାଲି କଢ଼ା ପ୍ରକ୍ରିୟା ଅନୁଧ୍ୟାନ କରି ଫେରିଛନ୍ତି। ଧାର୍ଯ୍ୟ ସମୟସୀମା ଶେଷ ହୋଇଥିବାବେଳେ ଏବେ ସୂର୍ଯ୍ୟମନ୍ଦିର ବାଲି କଢ଼ା ପ୍ରକ୍ରିୟା ସମ୍ପୂର୍ଣ୍ଣ ବନ୍ଦ ରହିଛି। ଫଳରେ ସୂର୍ଯ୍ୟମନ୍ଦିର ବାଲି କଢାକୁ ନେଇ ଏବେ ଆଶଙ୍କା ଦେଖାଦେଇଛି। ଗତ ୨୦୨୨ ସେପ୍ଟେମ୍ବର ମାସ ୮ତାରିଖରେ ଏଏସଆଇ ଓ ବିଡିଆର ନିର୍ମାଣ ବିଭାଗ ସୂର୍ଯ୍ୟମନ୍ଦିର ଗର୍ଭଗୃହ ଦ୍ୱାର ନିକଟରେ ପୂଜାର୍ଚ୍ଚନା ସହିତ ହୋମଯଜ୍ଞ କରି ଶୁଭ ଦେଇଥିଲେ। ବାଲି ନିଷ୍କାସନ ସରିଲେ ପର୍ଯ୍ୟଟକଙ୍କ ପାଇଁ ଜଗମୋହନ ଦ୍ୱାର ଖୋଲିଦିଆଯିବ ବୋଲି ଏଏସଆଇ ସୂଚନା ଦେଇଥିଲା। ପ୍ରଥମ ପର୍ଯ୍ୟାୟରେ ମନ୍ଦିର ଉତ୍ତର ଓ ପଶ୍ଚିମ କୋଣରେ ଲିଫ୍ଟ ପାଇଁ ମୂଳଦୁଆ ନିର୍ମାଣ ପରେ ଲୁହା ବିମ ଲଗାଯାଇଥିଲା। ପରେ ଟନେଲ ଓ ଲିଫ୍ଟ ନିର୍ମାଣ ନିମନ୍ତେ ଫର୍ମାଟ ଓ ଲେଆଡଟ କାର୍ଯ୍ୟ ଆରମ୍ଭ ହୋଇଥିଲା। ସେହିଭଳି ଦକ୍ଷିଣ ପାର୍ଶ୍ୱରେ ଲୁହା ବିମ ସାହାଯ୍ୟରେ ମନ୍ଦିର ଚୂଡାକୁ ପାହାଚ ନିର୍ମାଣ, ଉତ୍ତର ପଶ୍ଚିମ କୋଣରେ ମନ୍ଦିର ପାଦଦେଶରୁ ଚୁଡା ପର୍ଯ୍ୟନ୍ତ ଏକ ଲିଫ୍ଟ ଲଗାଯାଇଛି।ଚୁଡାରେ ୪ଫୁଟ ଓ ୫ଫୁଟରେ ଗର୍ତ୍ତ କରାଯାଇ ବାଲି ଗୁଡିକ ଲିଫ୍ଟ ମାଧ୍ୟମରେ ବାହାରିବ। ଏକ ସ୍ୱତନ୍ତ୍ର ଲିଫ୍ଟ ମାଧ୍ୟମରେ ମନ୍ଦିର ଚୂଡ଼ାରୁ ଗର୍ଭଗୃହରେ ରହିଥିବା ବାଲି ଗୁଡିକୁ ମନ୍ଦିର ପାଦଦେଶକୁ ସୁରକ୍ଷିତ ଉପାୟରେ ପର୍ଯ୍ୟାୟକ୍ରମେ ବାହାର କରାଯିବ। ଏହି କାର୍ଯ୍ୟ ସମୟରେ ମନ୍ଦିର କୀର୍ତ୍ତିରାଜି ପ୍ରତି ବିଶେଷ ଧ୍ୟାନ ଦିଆଯିବ। ଚୁଡାରେ ୪ଫୁଟ ଓ ୫ଫୁଟରେ ଗର୍ତ୍ତ କରାଯାଇ ବାଲି ଗୁଡିକ ଲିଫ୍ଟ ମାଧ୍ୟମରେ ବାହାରକୁ ବାହାରିବ। ପର୍ଯ୍ୟାୟକ୍ରମେ କାର୍ଯ୍ୟ ଆରମ୍ଭ ହୋଇ ଏବେ ଶେଷ ପର୍ଯ୍ୟାୟରେ କାର୍ଯ୍ୟ ଅଟକି ରହିଥିବା ଦେଖିବାକୁ ମିଳିଛି। ଗତ ୨୦୨୨ ସେପ୍ଟେମ୍ବର ୧୬ରେ ଆମିକସ କ୍ୟୁରି ନଗେନ୍ଦ୍ର ପ୍ରଧାନ,୨୦୨୪ ସେପ୍ଟେମ୍ବର ଓ ଡିସେମ୍ବର ମାସରେ ଏଏସଆଇ ଏଡିଜି ଜାନଭିଜ ଶର୍ମା,ଆଇଆଇଟି ଚେନ୍ନାଇ,ଆଇଆଇଟି ଦିଲ୍ଲୀ, ଏକ୍ସପୋର୍ଟ କମିଟି,କୋର କମିଟିର ବିଶେଷଜ୍ଞ ଦଳ ଓ ଶେଷଥର ୨୦୨୫ ମେ ୨୪ତାରିଖରେ ଏଏସଆଇ ଡିଜି ଯଦୁବୀର ସିଂ ରାଓ୍ବତ ଅନୁଧ୍ୟାନ କରିଥିଲେ।