ଝାରସୁଗୁଡା, ୨୩/୯(ଦର୍ଶନ ନ୍ୟୁଜ): ଝାରସୁଗୁଡା ଜିଲ୍ଲା କିର୍ମିରା ବ୍ଲକ ମୁଖ୍ୟାଳୟରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି । ଅତିରିକ୍ତ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମଧୁସିକ୍ତା ମିଶ୍ର, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ସୂର୍ଯ୍ୟା°ଶୁ ରୁତ୍, ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ସଞ୍ଜୀବ ପଟେଲ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମହେଶ ମୋହନ ପଣ୍ଡାଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଶିବିରରେ ମୋଟ ୧୮ଗୋଟି ଅଭିଯୋଗ ଆଗତ ହୋଇଥିବା ବେଳେ ତନ୍ମଧ୍ୟରୁ ୭ଟି ସାମୂହିକ ଓ ୧୧ଟି ବ୍ୟକ୍ତିଗତ । ଶିବିରରେ ନକ୍ସାପାଲି ଗ୍ରାମର ମୁଖ୍ୟ ରାସ୍ତାର ସୀମା ନିର୍ଦ୍ଧାରଣ ଓ ରାସ୍ତା ନୂତନ ଭାବେ ନିର୍ମାଣ, କୋଳଥମାଲ ଗ୍ରାମ୍ୟ ରାସ୍ତାକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ସହ ସଂଯୋଗ, କୋଳଥମାଲରେ ବିଦ୍ୟୁତ ଜନିତ ସମସ୍ୟା ସମାଧାନ ଓ ଦରୋପଡାରେ କ୍ଲବ ଘର ନିର୍ମାଣ, କିର୍ମିରା ଆଦର୍ଶ ଆବାସିକ ବିଦ୍ୟାଳୟ ଶିକ୍ଷକଙ୍କ ଦରମା ଓ ବକେୟା ପ୍ରାପ୍ୟ ପ୍ରଦାନ, ଅଲ୍ଟ୍ରାଟେକ ସିମେଣ୍ଟ ସିଏସଆର ପାଣ୍ଠି ବିନିଯୋଗରେ ମଶା ନିରୋଧକ ଧୂଆଁ ପ୍ରୟୋଗ ଓ ଅର୍ଡାର ମୁଖ୍ୟ ରାସ୍ତାର ଦୁରାବସ୍ଥା ସମ୍ପର୍କିତ ବିଭିନ୍ନ ସାମୂହିକ ଅଭିଯୋଗ ସମ୍ପର୍କରେ ଶୁଣାଣି କରାଯାଇଥିବା ବେଳେ ବିଭିନ୍ନ ବ୍ୟକ୍ତିଗତ ଅଭିଯୋଗ ସମ୍ପର୍କରେ ଶୁଣାଣି କରାଯାଇଥିଲା । ସମ୍ପୃକ୍ତ ଅଧିକାରୀମାନଙ୍କୁ ତର୍ଜମା ପୂର୍ବକ ଅଭିଯୋଗ ସମାଧାନ ଦିଗରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ।
Prev Post