ଶୁଭମିତ୍ରା ହତ୍ୟାକାଣ୍ଡ: ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଲେ ଆଇନ ମନ୍ତ୍ରୀ, ବିଜେଡ଼ିକୁ ଟାର୍ଗେଟ କଲେ

ପ୍ରଥମ ପତ୍ନୀକୁ ବି ହତ୍ୟା କରିଛି ଦୀପକ: ମନ୍ତ୍ରୀ

ଭୁବନେଶ୍ୱର, ୨୪/୯: ବହୁଚର୍ଚ୍ଚିତ ଲେଡି କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଦୀପକ ରାଉତ ବିଷୟରେ ଦିନକୁ ଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଶୁଭମିତ୍ରାଙ୍କୁ ବିବାହ କରିବା ପୂର୍ବରୁ ଦୀପକ ରାଉତର ପୂର୍ବ ପତ୍ନୀ ଦୁର୍ଘଟଣାରେ ମୃତ୍ୟୁବରଣ ହୋଇଥିବା ଦୀପକ ନିଜେ କହିଥିବା ବେଳେ ଆଜି ଏ ନେଇ ବିସ୍ତୃତ ତଥ୍ୟ ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଗୃହରେ ଶୁଭମିତ୍ରା ହତ୍ୟାକାଣ୍ଡକୁ ନେଇ ବିଜେଡ଼ିର ମୁଲତବି ପ୍ରସ୍ତାବ ଉପରେ ଉତ୍ତର ରଖି ଆଇନ ମନ୍ତ୍ରୀ ସମସ୍ତ ତଥ୍ୟ ରଖିଛନ୍ତି।

ମନ୍ତ୍ରୀ କହିଛନ୍ତି, ଅଭିଯୁକ୍ତ ଦୀପକ ରାଉତଠାରୁ ୨୦ ଲକ୍ଷ ଟଙ୍କା ଦାବି କରିଥିଲେ ଶୁଭମିତ୍ରା। ଶୁଭମିତ୍ରାଙ୍କ ଦୀପକ ସହିତ କୋର୍ଟ ମ୍ୟାରେଜ ହୋଇଥିଲେ ମଧ୍ୟ ରୀତି ଅନୁସାରେ ବିବାହ ପାଇଁ ୨୦ ଲକ୍ଷ ଦାବି କରିଥିଲେ। ଦୀପକ ପ୍ରଥମ ପତ୍ନୀ ଅପର୍ଣ୍ଣା ପ୍ରିୟଦର୍ଶିନୀକୁ ମଧ୍ୟ ହତ୍ୟା କରିଥିଲା। ବୀମା ଅର୍ଥ ପାଇବାକୁ ହତ୍ୟା କରିଥିଲା। କିନ୍ତୁ ଟ୍ରକ୍ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା ବୋଲି ସେତେବେଳେ କୁହାଗଲା। କିନ୍ତୁ ଦୁର୍ଘଟଣା ଘଟାଇଥିବା ଟ୍ରକଟି ଘଟଣା ଦିନ ରାଉରକେଲାରେ ଥିବା ଜଣାପଡିଥିଲା। ତେଣୁ ଅପର୍ଣ୍ଣାଙ୍କ ହତ୍ୟା କାହିଁକି ହୋଇଥିଲା ଏବଂ କାହା ସ୍ୱାର୍ଥରେ ହତ୍ୟାକୁ ଲୁଚାଇ ଦିଆଯାଇଥିଲା ତାହା ସ୍ପଷ୍ଟ ହେବା ଦରକାର। ସେତେବେଳେ କାହା ସରକାର ଥିଲା ବୋଲି କହିବା ସହ ପୂର୍ବ ବିଜେଡ଼ି ସରକାରକୁ ଟାର୍ଗେଟ କରିଥିଲେ ମନ୍ତ୍ରୀ।