ଲଦାଖରେ ତେଜିଲା ଆନ୍ଦୋଳନ: ବ୍ୟାପକ ହିଂସାକାଣ୍ଡ ଓ ପୋଡ଼ାଜଳା
ପୋଲିସ ସହ ଛାତ୍ର ଗୋଷ୍ଠୀଙ୍କ ସଂଘର୍ଷ
ଗଲାଣି ୪ ଜୀବନ, ଅନେକ ଆହତ
ଲେହ, ୨୪/୯: ଲଦାଖକୁ ଷଷ୍ଠ ଅନୁସୂଚୀରେ ଅନ୍ତର୍ଭୁକ୍ତ କରିବା ସହ ରାଜ୍ୟ ମାନ୍ୟତା ଦାବିରେ ଚାଲିଥିବା ପ୍ରତିବାଦ ବୁଧବାର ତୀବ୍ର ରୂପ ନେଇଛି। ଉତ୍ତ୍ୟକ୍ତ ପ୍ରଦର୍ଶନକାରୀମାନେ ପୋଲିସଅଧିକାରୀମାନଙ୍କୁ ପଥର ମାଡ଼ କରିଥିଲେ ଏବଂ ଭାରତୀୟ ଜନତା ପାର୍ଟିର ଏକ କାର୍ଯ୍ୟାଳୟକୁ ମଧ୍ୟ ପୋଡ଼ି ଦେଇଛନ୍ତି। ଭିଡ଼ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଲୁହବୁହା ଗ୍ୟାସ ଏବଂ ଲାଠିଚାର୍ଜ କରିଛି।
ଏହି ପ୍ରଦର୍ଶନକାରୀମାନେ ଗତ ୧୫ ଦିନ ଧରି ଅନଶନରେ ଥିବା ସାମାଜିକ କର୍ମୀ ସୋନମ ୱାଙ୍ଗଚୁକଙ୍କ ସମର୍ଥନରେ ପ୍ରଦର୍ଶନ କରୁଛନ୍ତି। ୱାଙ୍ଗଚୁକଙ୍କ ନେତୃତ୍ୱରେ ପ୍ରଦର୍ଶନକାରୀମାନେ ଚାରୋଟି ଦାବି ରଖିଛନ୍ତି: ଲଦାଖକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦିଆଯାଉ, ଲଦାଖକୁ ସମ୍ବିଧାନର ଷଷ୍ଠ ଅନୁସୂଚୀରେ ଅନ୍ତର୍ଭୁକ୍ତ କରାଯାଉ, କାରଗିଲ ଏବଂ ଲେହକୁ ଲୋକସଭା ଆସନ ଭାବରେ ନାମିତ କରାଯାଉ ଏବଂ ସ୍ଥାନୀୟ ଲୋକଙ୍କୁ ସରକାରୀ ଚାକିରିରେ ନିଯୁକ୍ତି ଦିଆଯାଉ। ଦାବି ପୂରଣ ନ ହେବା ଯୋଗୁଁ, ପ୍ରତିବାଦକାରୀମାନେ ଆଜି ବନ୍ଦ ଡାକରା ଦେଇଥିଲେ। ଏହି ଆନ୍ଦୋଳନରେ ବିଶେଷ କରି ଯୁବପିଢି ମାନେ ସାମିଲ ହୋଇଛନ୍ତି।
୫ ଅଗଷ୍ଟ ୨୦୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଜମ୍ମୁ ଏବଂ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରି ଏହାର ପୂର୍ଣ୍ଣ ରାଜ୍ୟ ମାନ୍ୟତା ସମାପ୍ତ କରିଦେଇଥିଲେ। ଏହା ପରେ, ଜମ୍ମୁ ଏବଂ କାଶ୍ମୀର ଏକ ପୃଥକ କେନ୍ଦ୍ର ଶାସିତ ଅଞ୍ଚଳ ହୋଇଗଲା। ଲେହ ଏବଂ କାର୍ଗିଲକୁ ନେଇ ଗଠିତ ଲଦାଖ ଏକ ପୃଥକ କେନ୍ଦ୍ର ଶାସିତ ଅଞ୍ଚଳ ହୋଇଗଲା। ତଥାପି, ଗତ ତିନି ବର୍ଷ ମଧ୍ୟରେ, ଲଦାଖର ଲୋକମାନେ ସେମାନଙ୍କର ଭୂମି, ସଂସ୍କୃତି ଏବଂ ସମ୍ପଦକୁ ସୁରକ୍ଷା ଦେବା ପାଇଁ ବାରମ୍ବାର ରାଜ୍ୟ ମାନ୍ୟତା ଏବଂ ସାମ୍ବିଧାନିକ ସୁରକ୍ଷା ଦାବି କରିଛନ୍ତି।