ଭୁବନେଶ୍ୱର, ୨୪/୯: ରାଜଧାନୀ ଭୁବନେଶ୍ୱରରେ ଜଣେ ଯୁବତୀଙ୍କୁ ଅପହରଣ ଉଦ୍ୟମ କରାଯାଇଛି। ଅପହରଣ ଉଦ୍ୟମ କରିଛନ୍ତି ଆଉ ଜଣେ ମହିଳା। ଅପହରଣ ଉଦ୍ୟମ କରିବା ବେଳେ ଯୁବତୀ ଜଣକ ନିଜକୁ ବଞ୍ଚାଇବା ପାଇଁ ଚଳନ୍ତା ଅଟୋରୁ ଡେଇଁ ପଡି ଗୁରୁତର ହୋଇଥିବା ସୂଚନା ମିଳିଛି। ମିଳିଥିବା ସୂଚନା ମୁତାବକ, ଭୁବନେଶ୍ୱରର ଜୟଦେବ ବିହାର ଅଞ୍ଚଳରେ ଜଣେ ଯୁବତୀ ଆଚାର୍ଯ୍ୟ ବିହାର ଅଭିମୁଖେ ଯିବା ପାଇଁ ଅଟୋରେ ବସିଥିଲେ। ହେଲେ, ସେହି ଅଟୋରେ ଆଉ ଜଣେ ମହିଳା ଆଗରୁ ବସିଥିଲେ। ଉକ୍ତ ମହିଳା ଜଣକ ଯୁବତୀଙ୍କୁ ବେହୋସ୍ କରାଇବା ପାଇଁ ଚେଷ୍ଟା କରିବା ସହ ଅପହରଣ କରିବାକୁ ଉଦ୍ୟମ କରୁଥିଲେ। କିନ୍ତୁ ଯୁବତୀ ଜଣକ ଅଟୋରୁ ଡେଇଁ ପଡିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ତାଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଛି। ଘଟଣାର ଅଧିକ ତଦନ୍ତ କରାଯାଉଛି।
Prev Post