ଦିଲ୍ଲୀ ଆଶ୍ରମରେ ଓଡ଼ିଆ ଭଣ୍ଡ ବାବାଙ୍କ କେଳେଙ୍କାରୀ: ୧୭ ଛାତ୍ରୀଙ୍କୁ ଯୌନ ନିର୍ଯାତନା

ବାବାଙ୍କୁ ଧରିବାକୁ ବିଭିନ୍ନ ରାଜ୍ୟରେ ଚଢ଼ାଉ

ନୂଆଦିଲ୍ଲୀ, ୨୪/୯: ଦିଲ୍ଲୀର ଶ୍ରୀ ଶାରଦା ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆନ୍ ମ୍ୟାନେଜମେଣ୍ଟରେ ଜଣେ ଓଡ଼ିଶାର ଆତ୍ମଘୋଷିତ ବାବାଙ୍କ କେଳେଙ୍କାରୀ ସାମନାକୁ ଆସିଛି। ଆତ୍ମଘୋଷିତ ବାବା ଜଣକ ଦିଲ୍ଲୀର ଏହି ଆଶ୍ରମ ତଥା ପ୍ରତିଷ୍ଠାନର ନିର୍ଦ୍ଦେଶକ ଥିବା ସୂଚନା ମିଳିଛି। ୧୫ରୁ ଅଧିକ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗ ଆସିଛି।

ଶ୍ରୀ ଶାରଦା ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆନ୍ ମ୍ୟାନେଜମେଣ୍ଟ-ରିସର୍ଚ୍ଚର ନିର୍ଦ୍ଦେଶକ ସ୍ୱାମୀ ଚୈତନ୍ୟାନନ୍ଦ ସରସ୍ୱତୀଙ୍କ ବିରୋଧରେ EWS ସ୍କଲାରସିପ୍ ରେ ମ୍ୟାନେଜମେଣ୍ଟ ଡିପ୍ଲୋମା ପାଠ୍ୟକ୍ରମ ପଢୁଥିବା ଛାତ୍ରୀମାନଙ୍କୁ ହଇରାଣ ହରକତ କରୁଥିବାର ଅଭିଯୋଗ ଆସିଛି।

୩୨ ଜଣ ଛାତ୍ରୀଙ୍କ ମଧ୍ୟରୁ ୧୭ ଜଣ ଛାତ୍ରୀ ପୋଲିସ ନିକଟରେ ସେମାନଙ୍କର ବୟାନ ରେକର୍ଡ କରିଛନ୍ତି। ସେମାନେ କହିଛନ୍ତି ଯେ, ଏହି ଆତ୍ମଘୋଷିତ ବାବା ସେମାନଙ୍କ ପ୍ରତି ଅପମାନଜନକ ଭାଷା, ଅଶ୍ଳୀଳ ହ୍ୱାଟ୍ସଆପ୍ ମେସେଜ୍ ଏବଂ ମନ୍ଦ ଉଦ୍ଦେଶ୍ୟ ରଖି ଛୁଇଁବାର ଅଭିଯୋଗ କରିଛନ୍ତି। ଏପରିକି ଉକ୍ତ ପ୍ରତିଷ୍ଠାନର କିଛି କର୍ମଚାରୀ ବାବାଙ୍କ ନିକଟକୁ ଯିବା ପାଇଁ ସେମାନଙ୍କ ଉପରେ ଚାପ ପକାଉଥିଲେ ବୋଲି ଛାତ୍ରୀମାନେ ଅଭିଯୋଗରେ କହିଛନ୍ତି।

ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି। ତଦନ୍ତ କରିବା ବେଳେ ପ୍ରତିଷ୍ଠାନର ବେସମେଣ୍ଟରୁ ଏକ ନକଲି କୂଟନୈତିକ ନମ୍ବର ପ୍ଲେଟ୍ ଲାଗିଥିବା ଏକ ଭଲଭୋ କାର ମିଳିଛି। ପୋଲିସ ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ସହ ପ୍ରତିଷ୍ଠାନରୁ ଜବତ ସାମଗ୍ରୀକୁ ଫୋରେନସିକ୍ ଟେଷ୍ଟ ପାଇଁ ପଠାଯାଇଛି।

ଏହି ଅଭିଯୋଗ ପରେ, ପ୍ରତିଷ୍ଠାନ ପରିଚାଳନା କରୁଥିବା ଶ୍ରୀ ଶ୍ରୀ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ମହାସଂସ୍ଥାନମ୍ ଦକ୍ଷିଣାମନାୟ ଶ୍ରୀ ଶାରଦା ପୀଠମ୍ ତାଙ୍କୁ ତୁରନ୍ତ ପ୍ରତିଷ୍ଠାନର ନିର୍ଦ୍ଦେଶକ ପଦରୁ ବହିଷ୍କାର କରିଛି। ତାଙ୍କ ବିରୁଦ୍ଧରେ ଯୌନ ନିର୍ଯାତନା ଏବଂ ଜାଲିଆତି ମାମଲା ଆସିବା ପରେ ସେ ଫେରାର୍ ହୋଇଯାଇଛନ୍ତି। ତାଙ୍କୁ ଖୋଜିବା ପାଇଁ ଦିଲ୍ଲୀ ପୋଲିସର ଏକ ଟିମ୍ ବିହାର, ହରିୟାଣା, ଉତ୍ତର ପ୍ରଦେଶ, ରାଜସ୍ଥାନ ଏବଂ ଉତ୍ତରାଖଣ୍ଡରେ ଚଢାଉ କରୁଛନ୍ତି।

 

କିଏ ସ୍ୱାମୀ ଚୈତନ୍ୟାନନ୍ଦ ସରସ୍ୱତୀ?

ଏହି ଆତ୍ମଘୋଷିତ ବାବା ସ୍ୱାମୀ ଚୈତନ୍ୟାନନ୍ଦ ସରସ୍ୱତୀଙ୍କ ମୂଳ‌ ନାମ ପାର୍ଥସାରଥି। ସେ ଓଡ଼ିଶାରେ ଜନ୍ମ ହୋଇଥିବା ଜଣା ପଡ଼ିଛି। ସେ ଗତ ୧୨ ବର୍ଷ ଧରି ବସନ୍ତ କୁଞ୍ଜ ଅଞ୍ଚଳର ଆଶ୍ରମରେ ରହୁଥିଲେ ଏବଂ ଏହାର ପରିଚାଳକ ଭାବରେ କାର୍ଯ୍ୟ କରୁଥିଲେ। ବର୍ତ୍ତମାନ ସେ ଶ୍ରୀ ଶ୍ରୀ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ମହାସଂସ୍ଥାନମ୍ ଦକ୍ଷିଣାମନାୟ ଶ୍ରୀ ଶାରଦା ପୀଠମ୍ ର ନିର୍ଦ୍ଦେଶକ ଦାୟିତ୍ୱରେ ଥିଲେ।

ତେବେ ଏହି ଆତ୍ମଘୋଷିତ ବାବାଙ୍କ ବିରୋଧରେ ପୂର୍ବରୁ ମଧ୍ୟ ଯୌନ ନିର୍ଯାତନା ମାମଲା ଆସିଥିଲା। ୨୦୦୯ ମସିହାରେ, ତାଙ୍କ ବିରୁଦ୍ଧରେ ଡିଫେନ୍ସ କଲୋନୀରେ ଠକେଇ ଏବଂ ଦୁଷ୍କର୍ମର ଏକ ମାମଲା ରୁଜୁ କରାଯାଇଥିଲା। ପରେ, ୨୦୧୬ ମସିହାରେ, ଜଣେ ମହିଳା ବସନ୍ତ କୁଞ୍ଜରେ ଦୁଷ୍କର୍ମ ଅଭିଯୋଗ ଦାଖଲ କରିଥିଲେ। ପୋଲିସ ବର୍ତ୍ତମାନ ଏ ସବୁ ମାମଲାର ତଦନ୍ତ କରୁଛି।