ପ୍ରଧାନମନ୍ତ୍ରୀଙ୍କ ଝାରସୁଗୁଡ଼ା ଗସ୍ତ କାର୍ଯ୍ୟକ୍ରମକୁ ନେଇ ମୁଖ୍ୟ ଶାସନ ସଚିବଙ୍କ ଦ୍ୱାରା ସମୀକ୍ଷା ବୈଠକ

ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଆଲୋଚନା

ଝାରସୁଗୁଡା, ୨୫/୯(ଦର୍ଶନ ନ୍ୟୁଜ): ଝାରସୁଗୁଡ଼ା ଆଗାମୀ ୨୭ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଝାରସୁଗୁଡ଼ା ଗସ୍ତ କାର୍ଯ୍ୟକ୍ରମକୁ ନେଇ ମୁଖ୍ୟ ଶାସନ ସଚିବଙ୍କ ଦ୍ୱାରା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ଜିଲା କାର୍ଯ୍ୟାଳୟ ସ୍ଥିତ ଜିଲ୍ଲା ଖଣିଜ ପାଣ୍ଠି ସମ୍ମିଳନୀ କକ୍ଷରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଇଣ୍ଟେଲିଜେନ୍ସ ନିର୍ଦ୍ଦେଶକ ଆର.ପି. କୁଚେ, ପୁଲିସ ଏଡିଜି ସନ୍ତୋଷ ବାଲା, ଆଇ.ଜି. ହିମାଂଶୁ ଲାଲ, ଆରଡିସି ସଚିନ ରାମଚନ୍ଦ୍ର ଯାଦବ, ଝାରସୁଗୁଡା ଜିଲାପାଳ କୁଣାଲ ମୋତିରାମ ଚହ୍ବାଣ, ଆରକ୍ଷୀ ଅଧିକ୍ଷକ ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ର  ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀଙ୍କ ଝାରସୁଗୁଡ଼ା ଗସ୍ତ ଉପଲକ୍ଷେ ସମସ୍ତ ଆୟୋଜନ  କିଭଳି ଭାବେ ସମ୍ପାଦିତ ହେବ ସେ ବିଷୟରେ ବୈଠକରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା । ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ଗସ୍ତ ସମ୍ପର୍କିତ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ସୁରୁଖୁରୁରେ ସମ୍ପନ୍ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମ୍ପର୍କିତ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ବୈଠକରେ  ଆଲୋଚନା କରାଯାଇଥିଲା । ବୈଠକ ଶେଷରେ ଆରଡିସି ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଅପରାହ୍ଣରେ ଜିଲ୍ଲା ଖଣିଜ ପାଣ୍ଠି ପ୍ରେକ୍ଷାଳୟରେ ଏସ୍ ପି ଜି ଆଇଜିଙ୍କ ଅଧ୍ୟକ୍ଷତାରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ଅନ୍ୟ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଆଇଜି, ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ, ଡି ଏଫ ଓ, ଏସ୍ ପିଜିର ବରିଷ୍ଠ ଅଧିକାରୀ ଓ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।