ସରକାରୀ ସହାୟତା ଆଢ଼ୁଆଳରେ ଜୁଆଙ୍ଗ ଆଦିବାସୀ
ଗୋଡ଼ ଥାଇ ଚାଲି ପାରୁନାହାଁନ୍ତି, ସ୍କୁଲ ଥାଇ ପାଠ ପଢି ପାରୁନାହାନ୍ତି
କେବେ ପଡ଼ିବ ପ୍ରଶାସନର ନଜର
କେନ୍ଦୁଝର, ୨୫/୯: ଗରୀବ ଓ ଅବହେଳିତଙ୍କ ପାଇଁ କାର୍ଯ୍ୟକାରୀ ହେଉଛି ବିଭିନ୍ନ ସରକାରୀ ଯୋଜନା। ଏହି ସରକାରୀ ଯୋଜନାର ଲାଭ ଉଠାଇବା ପାଇଁ ବିଭିନ୍ନ ଅଭିଯାନ ମଧ୍ୟ କରାଯାଉଛି। କିନ୍ତୁ ଏସବୁ ଭିତରେ ବି ଅନେକ ଅପହଞ୍ଚ ଇଲାକାରେ ପହଞ୍ଚି ପାରୁନି ସରକାରୀ ସହାୟତା ଓ ଯୋଜନା। ଯାହାର ଜ୍ୱଳନ୍ତ ଉଦାହରଣ ନିକଟରେ ଦେଖିବାକୁ ମିଳିଛି କେନ୍ଦୁଝରରେ।
ଜିଲ୍ଲାର ବାଂଶପାଳ ବ୍ଲକ୍ ଅଧୀନ କୋଡିପଶା ପଞ୍ଚାୟତ ଅନ୍ତର୍ଗତ ଘୁଙ୍ଗି ଗାଁରେ ସରକାରୀ ସହାୟତା ଆଢ଼ୁଆଳରେ ଜୁଆଙ୍ଗ ପରିବାର। ଏହି ଗାଁରେ ନଟବର ଜୁଆଙ୍ଗ। ସ୍ତ୍ରୀ ଓ ଚାରି ଝିଅଙ୍କୁ ନେଇ ପରିବାର। ନଟଙ୍କ ଚାଷ ବୋଲି ସେମିତି କିଛି ନାହିଁ। ଛେଳି, କୁକଡା ପାଳିବା ସହିତ ମଜୁରୀ କରି ଘର ଚଳାନ୍ତି। ସ୍ତ୍ରୀ ମଧ୍ୟ ପର ଘରେ ବିଲ ବାଡି କାମ କରନ୍ତି। ସ୍ୱାମୀଙ୍କୁ ସହଯୋଗ କରନ୍ତି।
ଯେତିକି ରୋଜଗାର କରନ୍ତି ସେତିକିରେ କଷ୍ଟେମଷ୍ଟେ ପରିବାର ପ୍ରତିପୋଷଣ ତ ହୋଇଯିବ। ହେଲେ ଭାଗ୍ୟର ବିଡମ୍ବନା ଯେ, ନଟଙ୍କର ଚାରି ଝିଅ – ଯମୁନା (୧୬), ସୁନୀତା ( ୧୨), ଗୀତା ( ୮) ଓ ମିତା (୬) ପୋଲିଓ ଆକ୍ରାନ୍ତ। କେହି ବି ଚାଲି ପାରନ୍ତି ନାହିଁ। ଘୁଷୁଡି ଘୁଷୁଡି ଯିବା ଆସିବା କରନ୍ତି। ଗାଁରେ ସ୍କୁଲ ଥିଲେ ମଧ୍ୟ, ଯାଇ ପାରନ୍ତି ନାହିଁ। ପାଠ ପଢା ବନ୍ଦ। ସରକାରଙ୍କ ନାରା ” ସଭିଏଁ ପଢ଼ିବେ, ସଭିଏଁ ବଢିବେ” ଏଠି ବାଟବଣା ହୋଇଛି।
ସରକାରୀ ସାହାଯ୍ୟ କହିଲେ, ନଟ କେବଳ ଚାଉଳ ପାଆନ୍ତି। ଏଥିରେ ଛଅ ଜଣର ପରିବାର ଚଳିବାକୁ ନିଅଣ୍ଟ ହୁଏ। ନଟକୁ ମଜୁରୀ କରିବାକୁ ପଡେ। ଏ ଚାରି ଭିନ୍ନକ୍ଷମ ପିଲାଙ୍କ ମଧ୍ୟରୁ କେବଳ ବଡ଼ ଝିଅ ଯମୁନାଙ୍କୁ ଭତ୍ତା ମିଳେ। ଅନ୍ୟମାନଙ୍କୁ ଆଜି ଯାଏଁ ମିଳି ନାହିଁ।
ଦୁଃଖ କଷ୍ଟରେ ଚଳନ୍ତି ଏମାନେ। ନା ପଞ୍ଚାୟତ କର୍ତ୍ତୃପକ୍ଷ, ନା ଜିଲ୍ଲା ପ୍ରଶାସନଙ୍କ ଦୃଷ୍ଟି ପଡିଛି ଏ ପିଲାଙ୍କ ଉପରେ। ଏମାନଙ୍କ ଖାଇବା, ପିନ୍ଧିବା, ପଢିବା, ଆଗକୁ ବଢିବା ପ୍ରତି କାହାରି ଧ୍ୟାନ ନାହିଁ। ଆଗକୁ ଏମାନଙ୍କ ଜୀବନ କ’ଣ ହେବ? ବାପା, ମା’ଙ୍କ ଅନ୍ତେ ଏମାନେ କାହା ସାହାରାରେ ରହିବେ?
ତେବେ ସବୁଠାରୁ ବିଡ଼ମ୍ବନାର ବିଷୟ ହେଉଛି ଗାଁ ଲୋକଙ୍କ କହିବା ଅନୁଯାୟୀ, ବିଗତ ଦଶ ବର୍ଷ ମଧ୍ୟରେ ବିଧାୟକଙ୍କ ପାଦ ଥରୁଟିଏ ବି ପଡି ନାହିଁ ଏଠି। ସାଂସଦଙ୍କ କଥା ତ ନିଆରା। ଜିଲ୍ଲା ପ୍ରଶାସନର ଆଢ଼ୁଆଳରେ ଏ ବସତି।
ପଡିଶା ଗାଁ ରେ ନବ ଗଠିତ ସ୍ଵେଚ୍ଛାସେବୀ ଅନୁଷ୍ଠାନ “ଆଶା” ର ନଜର ପଡ଼ିଲା ଏ ପରିବାର ଉପରେ। ସରକାର ଏ ସମସ୍ତ ଭିନ୍ନକ୍ଷମ ପିଲାଙ୍କୁ ଭତ୍ତା ଯୋଗାଇ ଦେବା ସହିତ, ସେମାନଙ୍କ ଚିକିତ୍ସା, ଗମନା ଗମନ ପାଇଁ ଗାଡି, ପଢିବାର ବ୍ୟବସ୍ଥା, ହଷ୍ଟେଲ ବ୍ୟବସ୍ଥା କରିବା ପାଇଁ ଏହାର ସଭ୍ୟ ଶ୍ରୀ ଡମ୍ବରୁଧର ଘଣା, ଶ୍ରୀ ତୁଷାର ଭୁଷଣ ମହାନ୍ତ, ଶ୍ରୀ ମନୋଜ କୁମାର ପଟେଲ ଓ ଶ୍ରୀ ରାମଚନ୍ଦ୍ର ମହାନ୍ତ ଦାବି କରିଛନ୍ତି। ଆଶା ରଖିଛନ୍ତି ମୁଖ୍ୟମନ୍ତ୍ରୀ ଏଥିପ୍ରତି ଦୃଷ୍ଟି ଦେବେ।