ପୀତବାସ ହତ୍ୟା ମାମଲା: ୫୦ ଜଣଙ୍କୁ ଜେରା

ଖୁବଶୀଘ୍ର ରହସ୍ୟ ଉପରୁ ପରଦା ଉଠିବ: ବ୍ରହ୍ମପୁର ଏସପି

ବ୍ରହ୍ମପୁର, ୧୦/୧୦: ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟା ମାମଲାରେ ଆକ୍ସନ ମୋଡରେ ପୋଲିସ। ଏହି ଘଟଣାରେ ପ୍ରାୟ ୫୦ ଜଣଙ୍କୁ ଜେରା କରୁଛି ବ୍ରହ୍ମପୁର ପୋଲିସ। ଅଦ୍ୟାବିଧି ୫୦ ଜଣଙ୍କୁ ଜେରା କରାଯାଇଥିବା ବ୍ରହ୍ମପୁର ଏସ୍‌ପି କହିଛନ୍ତି।

ଏସପି କହିଛନ୍ତି, “ସନ୍ଦେହରେ ୫ରୁ ୬ ଜଣଙ୍କୁ ପଚରାଉଚରା କରୁଛୁ। ଏଥିସହ ପ୍ରତ୍ୟକ୍ଷଦର୍ଶୀ, ସହକର୍ମୀଙ୍କୁ ମିଶାଇ ଏଯାବତ୍ ୫୦ ଜଣଙ୍କୁ ଜେରା କରୁଛୁ। ପୀତବାସଙ୍କ ଛାତିରେ ବାଜିଥିବା ଗୁଳିକୁ ବାଲିଷ୍ଟିକ ଏକ୍ସପର୍ଟଙ୍କ ନିକଟକୁ ପଠାଯାଇଛି। ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରିଛୁ। ପୋଷ୍ଟମର୍ଟମ୍ ରିପୋର୍ଟ ଖୁବଶୀଘ୍ର ଆସିବ। ଯାହା ପରେ ଅଧିକ ତଥ୍ୟ ଜଣାପଡ଼ିବ।”

“ସ୍ଥାନୀୟ ସିସିଟିଭି ଦ୍ୱାରା ବହୁତ ସୁରାକ୍ ଆମକୁ ମିଳିଛି। ଘଟଣା ଦିନ ପୀତବାସଙ୍କ ଗତିବିଧିରୁ ସିସିଟିଭିରୁ ଜାଣିପାରିଛୁ। ଅଫିସରୁ କେଉଁ ସମୟରେ ବାହାରିଲେ, କେଉଁ ରାସ୍ତାରେ ଗଲେ ତାହା ଜାଣିପାରିଛୁ। ସେହି ସମୟରେ ରାସ୍ତାରେ ଥିବା କିଛି ଲୋକଙ୍କୁ ଆମେ ସନ୍ଦେହ କରିଛୁ। କାହିଁକି ସେମାନେ ସେଠି ଥିଲେ, କ’ଣ କରୁଥିଲେ ସେ ନେଇ ପଚରାଉଚରା କରୁଛୁ। ଦାମୀ ଗାଡ଼ିକୁ ନେଇ ସନ୍ଦେହ ହେବାରୁ ସେମାନଙ୍କୁ ଡାକି ପଚରାଉଚରା କରୁଛୁ। ଆଶା କରୁଛୁ ହତ୍ୟା ରହସ୍ୟ ଖୁବ୍‌ଶୀଘ୍ର ଉନ୍ମୋଚିତ ହେବ” ବୋଲି ଏସପି କହିଛନ୍ତି।