ଗାଡ଼ି ଚାଲାଣ ଫାଇନ୍ ୫୦ ପ୍ରତିଶତ କୋହଳ
ଜୁଲାଇ ୩୧ କିମ୍ବା ତା ପୂର୍ବରୁ ଇ ଚାଲାଣ କଟିଥିଲେ ଫାଇନ୍ କୋହଳ
ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି
ଭୁବନେଶ୍ଵର, ୧୦/୧୦: ଗାଡ଼ି ଚାଳକଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ଗାଡ଼ି ଚାଳକମାନଙ୍କ ପାଇଁ ଚାଲାଣ ଜରିମାନାରେ ୫୦% ରିହାତି ଘୋଷଣା କରିଛନ୍ତି। ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ, ଚଳିତ ବର୍ଷ ଜୁଲାଇ ୩୧ ତାରିଖ ପୂର୍ବରୁ ଚାଲାଣ କଟିଥିବା ବ୍ୟକ୍ତିମାନେ ଜରିମାନାର ଅଧା ଅର୍ଥାତ୍ ୫୦ ପ୍ରତିଶତ ଦେଇ ଏଥିରୁ ମୁକ୍ତି ପାଇପାରିବେ।
ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀଙ୍କ ଦ୍ୱାରା ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ, ବିନା ବୈଧ ଲାଇସେନ୍ସ କିମ୍ବା ଅତିରିକ୍ତ ଯାତ୍ରୀ ନେଇ ଗାଡ଼ି ଚଳାଇବା କାରଣରୁ ୫,୦୦୦ ଟଙ୍କା ଚାଲାଣ ହୋଇଥିଲେ ୨,୫୦୦ ଟଙ୍କା, ସିଟ୍ ବେଲ୍ଟ ବିନା ଯାତ୍ରା କରିବା କିମ୍ବା ବାଇକରେ ଅଧିକ ଯାତ୍ରୀ ନେବା କାରଣରୁ ୧,୦୦୦ ଟଙ୍କା ଚାଲାଣ ହୋଇଥିଲେ ୫୦୦ ଟଙ୍କା, ଏବଂ ବିନା ହେଲମେଟରେ ଗାଡ଼ି ଚଳାଇବା କାରଣରୁ ୧,୦୦୦ ଟଙ୍କା ଚାଲାଣ ହୋଇଥିଲେ ୫୦୦ ଟଙ୍କା ଦେବାକୁ ହେବ।
ଏଥିସହ, ଜରୁରୀ କାଳୀନ ଗାଡ଼ିକୁ (ଯେପରିକି ଆମ୍ବୁଲାନ୍ସ କିମ୍ବା ଅଗ୍ନିଶମ ଗାଡ଼ି) ରାସ୍ତା ନ ଦେବା କାରଣରୁ ୧୦,୦୦୦ ଟଙ୍କା ଜରିମାନା ହୋଇଥିଲେ ୫,୦୦୦ ଟଙ୍କା, ଏବଂ ବିନା ବୀମାରେ ଗାଡ଼ି ଚଳାଇବା କାରଣରୁ ୨,୦୦୦ ଟଙ୍କା ଜରିମାନା ହୋଇଥିଲେ ୧,୦୦୦ ଟଙ୍କା ପୈଠ କରିବାକୁ ହେବ।
ଏହି ରିହାତି ପାଇବା ପାଇଁ ଚାଳକମାନଙ୍କୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଅନଲାଇନ୍ କିମ୍ବା ଆର୍ଟିଓ କାର୍ଯ୍ୟାଳୟ ମାଧ୍ୟମରେ ଜରିମାନା ପରିଶୋଧ କରିବାକୁ ପରାମର୍ଶ ଦିଆଯାଇଛି।