୨ ଗୋରୁ ବୋଝେଇ ଗାଡ଼ି ଜବତ

୨ ଗିରଫ

ଆଠଗଡ, ୧୧/୧୦(ଦର୍ଶନ ନ୍ୟୁଜ୍): ଗୁରୁବାର ବିଳମ୍ବିତ ରାତିରେ ଦୁଇଟି ସ୍ଥାନରେ ଚଢ଼ାଉ କରି ଦୁଇଟି ଗୋରୁ ବୋଝେଇ ଗାଡ଼ି ସହ ପରିବହନ କରାଯାଉଥିବା ୨୮ଟି ଗୋରୁଙ୍କୁ ଜବତ କରିଛି ଆଠଗଡ ପୋଲିସ। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଆଠଗଡ ପୋଲିସ ସହରର ଚାନ୍ଦବାଲି ଛକଠାରେ ନରସିଂହପୁର ଆଡୁ ଆସୁଥିବା ଏକ ପିକଅପ ଭ୍ୟାନକୁ ଯାଞ୍ଚ କରିବା ସମୟରେ ସେଥିରେ ଅତି ଦୟନୀୟ ଅବସ୍ଥାରେ ୧୮ଟି ଗୋରୁ ଚାଲାଣ କରାଯାଉଥିବା ଦେଖିଥିଲେ। ଗୋରୁଗାଡ଼ି ସହିତ ନୟାଗଡ଼ ଜିଲ୍ଲା ରଣପୁର ଥାନା ନିଳପଲ୍ଲୀ ସୁନାଖଳା ଅଞ୍ଚଳର ଶେଖ ହାପିଜଙ୍କ ପୁଅ ଅସପକ ଅଲ୍ଲୀ(୨୩) ଓ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା କଡବାର ଅନି ଖାଁଙ୍କ ପୁଅ ନଣ୍ଡା ଓରଫ ଜୁମା ଖାଁକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ସେହିପରି ଆଠଗଡ ପୋଲିସର ଅନ୍ୟ ଏକ ଟିମ ବାଙ୍କି ଥାନା ଅନ୍ତର୍ଗତ କଦଳିବାଡ଼ି ନିକଟରୁ ଅନ୍ୟ ଏକ ଗାଡ଼ିରେ ୧୦ଟି ଗୋରୁ ବୋଝେଇ ଚାଲାଣ କରାଯାଉଥିବା ବେଳେ ଜବତ କରି ବାଙ୍କି ପୋଲିସକୁ ହସ୍ତାନ୍ତର କରିଥିଲେ। ମାଫିଆମାନେ ପୋଲିସକୁ ଦେଖି ଫେରାର ହୋଇଯାଇଥିବା ଜଣାପଡିଛି।