ଅବ୍ୟବସ୍ଥା ଭିତରେ କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ
ଛାତ୍ରଛାତ୍ରୀମାନଙ୍କ କାର୍ଯ୍ୟରେ ଆସୁନି ଗୁଣlତ୍ମକ ଶିକ୍ଷା ବ୍ୟବସ୍ଥା
ଜଙ୍କିଆ, ୧୧/୧୦(ଦର୍ଶନ ନ୍ୟୁଜ): ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ଦ୍ୱାରା ପରିଚାଳିତ “ନିପୁଣ ଭାରତ ମିଶନ “ଅଧୀନରେ ନିପୁଣ ଓଡିଶା ନିପୁଣ ଭାରତ କାର୍ଯ୍ୟକ୍ରମ ପ୍ରଚଳନ କରାଯାଇଛିl ଏହି ଯୋଜନା ମାଧ୍ୟମରେ ଛାତ୍ର ଛାତ୍ରୀମାନଙ୍କ ନିମନ୍ତେ ମୌଳିକ ସଂଖ୍ୟା ଜ୍ଞାନ ଓ ସାକ୍ଷରତା ଆଧାରିତ ଶ୍ରେଣୀ ଗୃହ ସହ ବିଦ୍ୟାଳୟ ସମ୍ପ୍ରସାରଣ ବ୍ୟବସ୍ଥା କରାଯାଉଛି l ମାତ୍ର ଏହାର ସଦୁପଯୋଗ ନହେବା ଫଳରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏହି ଗୁଣlତ୍ମକ ଶିକ୍ଷା ବ୍ୟବସ୍ଥା ଛାତ୍ର ଛାତ୍ରୀ ମାନଙ୍କ କାର୍ଯ୍ୟରେ ଆସୁନି, ଯାହାଫଳରେ ଯୋଜନା ଗୁଡିକ ଫଳପ୍ରଦ ହେଉନାହିଁ l ଏହାର ଏକ ଜ୍ୱଳନ୍ତ ଉଦାହରଣ ଖୋର୍ଦ୍ଧା ଶିକ୍ଷା ଜିଲ୍ଲା ଟାଙ୍ଗୀ ଶିକ୍ଷା ସର୍କଲ କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି l୧୯୦୪ ମସିହାରେ ସ୍ଥାପିତ ଏହି ପ୍ରାଥମିକ ବିଦ୍ୟାଳୟ ଶିଶୁ ବାଟିକା ଠାରୁ ଆରମ୍ଭ କରି ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷlଦାନ ବ୍ୟବସ୍ଥା ରହିଛି l କିନ୍ତୁ ଛଅଟି ଶ୍ରେଣୀରେ ୧୧୧ ଜଣ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ଦୁଇଟି ଶ୍ରେଣୀ ଗୃହ ଓ ୩ ଜଣ ଶିକ୍ଷକ ଅଛନ୍ତି l ତିନ ଶିକ୍ଷକ ମଧ୍ୟରୁ ଜଣେ ଦିବ୍ୟାଙ୍ଗ ଶିକ୍ଷୟତ୍ରୀ ସମସ୍ତ ଅଫିସିଆଲ କଥା ବୁଝୁଛନ୍ତି l ମୋଟାମୋଟି କହିବାକୁ ଗଲେ ଦୁଇ ଶିକ୍ଷକରେ ଛଅଟି ଶ୍ରେଣୀ ଚାଲିଛି l୨୦୧୨ ମସିହାରେ ଉକ୍ତ ବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ ପାଳନ କରି ତତ୍କାଳୀନ ରାଜ୍ୟପାଳ ମୁରଲୀଧର ଭଣ୍ଡାରୀଙ୍କୁ ଅତିଥି ରୂପେ ଆଣି ସମସ୍ୟା ବିଷୟରେ ଅବଗତ କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନି l ପରମୁହୂର୍ତ୍ତରେ ଗ୍ରାମବାସୀ ଓ ବିଦ୍ୟାଳୟ କମିଟି ଗୋଷ୍ଠି ଉନୟ ନ ଅଧିକାରୀ ଓ ଜିଲ୍ଲାପାଳଙ୍କୁ ସମସ୍ୟା ସମ୍ପର୍କରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ନ ମିଳିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତିl ଆବଶ୍ୟକ ଶ୍ରେଣୀ ଗୃହ, ଶିକ୍ଷକ ଓ ବିଦ୍ୟାଳୟର ଜମି ପଟ୍ଟା ର କିସମ ପରିବର୍ତନ ପାଇଁ ଦୃଢ଼ ଦାବୀ କରିଛନ୍ତି l