ଭୁବନେଶ୍ଵର, ୧୨/୧୦: ଓଡିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ୨୦୦୮ ରୁ ୨୦୧୮ ସରକାରୀ ଅନୁଦାନ ନିମନ୍ତେ ସାମ୍ବାଦିକ ସମ୍ମିଳନୀ ଗୋଦାବରୀଶ ସାହିତ୍ୟ ସାଂସଦ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି l ସୂଚନାଯୋଗ୍ୟ ବେସରକାରୀ ଅନୁଦାନପ୍ରାପ୍ତ ଏବଂ ଅଣଅନୁଦାନପ୍ରାପ୍ତ ମହାବିଦ୍ୟାଳୟମାନଙ୍କରେ ପରିଚାଳନା କମିଟି ଦ୍ୱାରା ୦୧ ଜୁନ ୨୦୦୮ ରୁ ୦୧ ଜୁନ ୨୦୧୮ ମଧ୍ୟରେ ନିଯୁକ୍ତ ଅଧ୍ୟାପକ ଏବଂ କର୍ମଚାରୀମାନଙ୍କୁ ଅନୁଦାନ ପରିସରଭୁକ୍ତ କରିବା ପାଇଁ ସଂଘ ସରକାରଙ୍କ ସହ ବାରମ୍ବାର ଆଲୋଚନା କଲା ପରେ ମଧ୍ୟ ସରକାର କୌଣସି ନିଷ୍ପତି ନେଲେ ନାହିଁ l ତେଣୁ ସଂଘ ଶିକ୍ଷକ ଦାବି ଦିବସ ଅଗଷ୍ଟ ୧୬ ତାରିଖରୁ ମହାବିଦ୍ୟାଳୟସ୍ତରରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବା ସହ ମହାବିଦ୍ୟାଳୟ ଫାଟକ ସମ୍ମୁଖରେ ଧାରଣା ଦେଇଥିଲେ l ସେପ୍ଟେମ୍ବର ୧୮ ତାରିଖରେ ଗାନ୍ଧୀମାର୍ଗରେ କର ବା ମର ସମାବେଶ ଅନୁଷ୍ଠିତ ହୋଇଥିଲା l ସଂଘର ସଭାପତି ଶ୍ରୀଯୁକ୍ତ ବିଶ୍ୱରଂଜନ ଦାସ ୧୯ ତାରିଖରେ ଆମରଣ ଅନଶନରେ ବସିଥିଲେ l ଲୋକଙ୍କ ସରକାର ମାନ୍ୟବର ମୁଖ୍ୟମନ୍ତ୍ରୀ ମହୋଦୟଙ୍କ ପ୍ରତ୍ୟକ୍ଷ ହସ୍ତକ୍ଷେପରେ ତାଙ୍କର ପ୍ରତିନିଧି ମାନ୍ୟବର ବିଧାୟକ ପିପିଲି ଶ୍ରୀଯୁକ୍ତ ଆଶ୍ରିତ ପଟ୍ଟନାୟକ, ମାନ୍ୟବର ବିଧାୟକ ଏକାମ୍ର ଶ୍ରୀଯୁକ୍ତ ବାବୁ ସିଂ ଏବଂ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକଙ୍କ ଉପସ୍ଥିତିରେ ସଂଘ ସହ ଆଲୋଚନା ହୋଇ ଅକ୍ଟୋବର ୧୦ ରୁ ୨୦ ମଧ୍ୟରେ ମାନ୍ୟବର ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସଂଘ ସହ ଆଲୋଚନା ପାଇଁ ସରକାର ଲିଖିତ ପ୍ରତିଶୃତି ପ୍ରଦାନ କରିଥିଲେ l ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉପରେ ଆସ୍ଥାରଖି ସଂଘ ସାମୟିକଭାବରେ ଆନ୍ଦୋଳନକୁ ସ୍ଥଗିତ ରଖିଥିଲା l ଆଜିର ସାମ୍ବାଦିକ ସମ୍ମିଳନୀରେ ସଂଘର ସଭାପତି ଶ୍ରୀଯୁକ୍ତ ବିଶ୍ୱରଂଜନ ଦାସ ସରକାରଙ୍କୁ ନିବେଦନ କରିଛନ୍ତି ପୂର୍ବ ଲିଖିତ ପ୍ରତିଶୃତି ମୁତାବକ ଚଳିତ ମାସ ୧୦ ରୁ ୨୦ ତାରିଖ ମଧ୍ୟରେ ସଂଘ ସହ ଆଲୋଚନା ରଖିବା ପାଇଁ l ଯଦି ସରକାର ଏଥି ପାଇଁ କାଳକ୍ଷେପଣ ନୀତି ଅବଲମ୍ବନ କରନ୍ତି ତେବେ ପୁନର୍ବାର ସଂଘ ଆନ୍ଦୋଳନକୁ ଓହ୍ଲାଇବ l ଏଥିପାଇଁ ଯେଉଁ ଅପ୍ରିତିକର ପରିସ୍ଥିତି ସୃଷ୍ଟିହେବ ସରକାର ସେଥିପାଇଁ ଦାୟି ରହିବେ l
Next Post