ଡିଏଭି ଏସିବି ମେଡିକାଲ ସ୍କୁଲରେ ଉଦ୍ୟୋଗପତି କ୍ୟାରିଅର ଶୀର୍ଷକ କାଉନ୍ସେଲିଂ ସେସନ୍

ଧୈର୍ଯ୍ୟ, ନିଷ୍ଠା, ଉତ୍ତମ ସମ୍ପର୍କ ହିଁ ଉଦ୍ୟୋଗପତୀ ସୃଷ୍ଟି କରେ: ସୁଶାନ୍ତ ପଣ୍ଡା

କଟକ, ୧୪/୧୦: ପିଲାଙ୍କୁ ଡ଼ାକ୍ତର, ଇଞ୍ଜିନିୟର, ପ୍ରଶାସନିକ ଅଧିକାରୀ ଭାବେ ଦେଖିବା ପାଇଁ ସବୁ ବାପା ମାଆ ମନରେ ଆଶା ରଖିଥାନ୍ତି। ପିଲାଟି ମଧ୍ୟ ସେହି ଚିନ୍ତାଧାରାକୁ ସାକାର କରିବାପାଇଁ ଲାଗି ପଡେ। ତେବେ ସବୁପିଲା କଣ ଏଥିରେ ସଫଳ ହୁଅନ୍ତି? ସଫଳତା ପାଇ ନ ଥିବା ପିଲାଟି ଭାଙ୍ଗିପଡେ। ଜୀବନ ସାରା ସେ କେବଳ ଆତ୍ମଗ୍ଲାନିରେ ଧନ୍ଦି ହୋଇଯାଏ। ତେଣୁ ଚାକିରୀ ପଛରେ ନ ଧାଇଁ ଚାକିରୀ ସୃଷ୍ଟି କର। ତେବେ ଯାଇ ଆମର ହେବ ଅର୍ଥନୈତିକ ପ୍ରଗତି।ଡାକ୍ତର, ଇଂଜିନିୟର ହେବା ନିଶାକୁ ପରିତ୍ୟାଗ କରି ଭଲ ଉଦ୍ୟୋଗୀପତି ହେବାକୁ କଟକ ଡିଏଭି ଏସିବି ମେଡିକାଲ ପବ୍ଲିକ ସ୍କୁଲରେ ଉଦ୍ୟୋଗପତି ଉପରେ ହୋଇଥିବା କ୍ୟାରିଅର କାଉନ୍ସେଲିଂ କାର୍ଯ୍ୟକ୍ରମରେ ଯୋଗଦେଇ ବିଶିଷ୍ଟ ଶିଳ୍ପପତି ତଥା ଭାରତ ମସଲାର ପରିଚାଳନା ନିର୍ଦେଶକ ସୁଶାନ୍ତ କୁମାର ପଣ୍ଡା ଉପସ୍ଥିତ ୫ଶହରୁ ଉର୍ଦ୍ଧ ବିଦ୍ୟାର୍ଥୀ ମାନଙ୍କୁ କହିଛନ୍ତି। ସଫଳ ଉଦ୍ୟୋଗୀ ହେବା ପାଇଁ ଧନ ବାଧକ ସାଜେନି , ଆବଶ୍ୟକ ପଡେ ଧୈର୍ଯ୍ୟ, ନିଷ୍ଠା, ଦୃଢ଼ ସଙ୍କଳ୍ପ ଏବଂ ଉତ୍ତମ ସମ୍ପର୍କ। ଯାହା ତାଙ୍କ ନିଜ ଜୀବନଯାତ୍ରା ର ସଂଘର୍ଷମୟ ଅନୁଭୂତିକୁ ଏବେବି ଜୀବନ୍ତ ରଖିଛି ବୋଲି ଛାତ୍ର ଛାତ୍ରୀ ମାନଙ୍କ ସହ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ଅବସରରେ ସେ କହିଥିଲେ। ତେଣୁ ଆଗାମୀ ଦିନରେ ଜଣେ ଭଲ ଉଦ୍ୟୋଗପତି ଟିଏ ହେବାକୁ ଶ୍ରୀ ପଣ୍ଡା ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ।

ଉକ୍ତ ସେସନରେ ସ୍କୁଲ ମ୍ୟାନେଜିଙ୍ଗ କମିଟିର ଅଧ୍ୟକ୍ଷ ରବିନାରାୟଣ ମହାନ୍ତି ଉପସ୍ଥିତ ଥିଲେ। ସେସନ ଶେଷରେ ସ୍କୁଲର ପ୍ରିନ୍ସପାଲ ନିରଞ୍ଜନ ସ୍ୱାଇଁ ଧନ୍ୟବାଦ ଦେଇଥିଲେ।