ହୁତୁହୁତୁ ହୋଇ ଜଳିଗଲା ୧ ନମ୍ବର ମାର୍କେଟ

ଜଳି ପୋଡି ପାଉଁଶ ହୋଇଗଲା ଅନେକ ଦୋକାନ

ଭୁବନେଶ୍ଵର, ୨୨/୧୦: ଭୁବନେଶ୍ବର ୟୁନିଟ୍ -୧ ପରିବା ମାର୍କେଟରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ହୁତୁହୁତୁ ହୋଇ ଜଳିଯାଇଛି ୧୫ରୁ ୨୦ଟି ଦୋକାନ। ଏଥିରେ ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି। ତେବେ ନିଆଁ ଲାଗିବା ଖବର ପାଇ ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଏ ନେଇ ସୂଚନା ଦେଇଛନ୍ତି ଚିଫ୍ ଫାୟାର ଅଫିସର ରମେଶ ମାଝୀ।

ତେବେ ନିଆଁ କିପରି ଲାଗିଲା କାରଣ ସ୍ପଷ୍ଟ ହୋଇନଥିବା ବେଳେ ଅପରାହ୍ନ ୨ଟା ୪୦ରେ ଏକ ଦୋକାନରେ ନିଆଁ ଲାଗିଥିଲା। ଯାହା ପରେ ଅନ୍ୟ ଦୋକାନକୁ ବ୍ୟାପି ଯାଇଥିଲା। ସୂଚନା ପାଇବା ମାତ୍ରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳକୁ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଆରମ୍ଭ କରିଥିଲା। ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ୧୪୦ ରୁ ଅଧିକ ଅଗ୍ନିଶମ କର୍ମଚାରୀ ଏବଂ ୧୫ ଟି ଅଗ୍ନିଶମ ଗାଡ଼ି ନିୟୋଜିତ କରାଯାଇଥିଲା। ସେମାନେ ପ୍ରାୟ ଅଧ ଘଣ୍ଟା ଧରି ନିଆଁକୁ ନିୟନ୍ତ୍ରଣ କରିବା ପରେ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ।

ଅନ୍ୟପଟେ ପରିବା ମାର୍କେଟରେ ଅଗ୍ନିକାଣ୍ଡ ପରେ କିଛି ଲୋକ ହାତାହାତି ହୋଇଥିବା ସୂଚନା ମିଳିଛି। ପୋଲିସ ଉପସ୍ଥିତିରେ ଗୋଡ଼ାଇ ଗୋଡ଼ାଇ ପିଟିଲେ। ଚେୟାର ଉଠାଇ ଆକ୍ରମଣ କରିବା ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି। ଦୋକାନୀ-ଦୋକାନୀ ବିବାଦରୁ ଆକ୍ରମଣ ହୋଇଥିବା ସୂଚନା ମିଳିଛି।