ଆଦାନୀ ଡିଏଭି ପବ୍ଲିକ ସ୍କୁଲରେ ଜନସଚେତନତା କାର୍ଯ୍ୟକ୍ରମ

ଅଙ୍ଗନୱାଡ଼ି କର୍ମୀଙ୍କୁ ଚାରା ଗଛ ଦେଇ ସମ୍ମାନିତ

ଧାମରା, ୨୨/୧୦: ଆଦାନୀ ଡିଏଭି ପବ୍ଲିକ ସ୍କୁଲର ଜୁନିଅର୍ ରେଡ୍‌କ୍ରସ୍ ଦ୍ୱାରା ଜନ ସଚେତନତା କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ସ୍ଥାନୀୟ କୁଆମରାସ୍ଥିତ ପନାୟକ ସାହି ଅଙ୍ଗନୱାଡ଼ି କେନ୍ଦ୍ରଠାରେ ଏହି ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ବିଦ୍ୟାଳୟ ଅଧ୍ୟକ୍ଷା ଶ୍ରୀମତୀ କୃଷ୍ଣପ୍ରିୟା ଷଢଙ୍ଗୀଙ୍କ ପ୍ରତ୍ୟେକ୍ଷଙ୍କ ତତ୍ତ୍ୱାବଧାନରେ ଜୁନିଅର୍ ରେଡକ୍ରସ୍ କାଉଁସିଲର ଅରୁଣ କୁମାର ଲେଙ୍କା ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଚଢେୟା-ଚଢେୟାଣୀ ଲୋକନୃତ୍ୟ ଓ ଚକୁଳିଆ ପା ଗୀତ ମାଧ୍ୟମରେ ପରିବେଶ ସୁରକ୍ଷା ଓ ହାତ ଧୋଇବାର ୭ଟି ପର୍ଯ୍ୟାୟ ବିଷୟରେ ଅଙ୍ଗନୱାଡ଼ି ଛାତ୍ରଛାତ୍ରୀ ଓ ଗ୍ରାମବାସୀମାନଙ୍କୁ ସଚେତନ କରାଇଥିଲେ । ରେଡକ୍ରସ୍ ଛାତ୍ରଛାତ୍ରୀମାନେ ଏହି ସଚେତନତା କାର୍ଯ୍ୟକ୍ରମ ବିଷୟରେ ବୁଝାଇଥିଲେ । ସୁସ୍ଥ ରହିବାକୁ ହେଲେ ହାତ ଧୋଇବାକୁ ଏବଂ ବଞ୍ଚିବା ପାଇଁ ବୃକ୍ଷରୋପଣ କରିବା ସହ ପରିବେଶର ଯତ୍ନ ନେବା ପାଇଁ ଅଧ୍ୟକ୍ଷା ଶ୍ରୀମତୀ ଷଢଙ୍ଗୀ ନିଜ ବକ୍ତବ୍ୟରେ କହିଥିଲେ । ଅଙ୍ଗନୱାଡ଼ି କର୍ମୀ ଗୌରୀ ଦାସ ଓ ରୂପାଲି ମଳଙ୍କୁ ଚାରା ଗଛ ଦେଇ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶ୍ରୀମତୀ ଶାଶ୍ୱତୀ ସାମନ୍ତ ଓ ଶୁଭଲକ୍ଷ୍ମୀ ନନ୍ଦି ସହଯୋଗ କରିଥିଲେ ।