ସମ୍ବଲପୁର, ୨୩/୧୦: ସରକାରୀ କାର୍ଯ୍ୟାଳୟରେ ଝାଡ଼ୁଦାର ଚାକିରି ଦେବାର ମିଥ୍ୟା ପ୍ରତିଶ୍ରୁତି ଦେଇ ପଶ୍ଚିମ ଓଡ଼ିଶାର ଶହ ଶହ ଚାକିରି ଆଶାୟୀଙ୍କୁ ଠକୁଥିବା ଏକ ବଡ଼ ଧରଣର ନକଲି ନିଯୁକ୍ତି ରାକେଟର ଆଜି ବୁର୍ଲା ପୋଲିସ ପର୍ଦ୍ଦାଫାସ କରିଛି। ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି ଏବଂ ୬୨ ଲକ୍ଷ ଟଙ୍କାରୁ ଅଧିକ ନଗଦ ଜବତ କରାଯାଇଛି।
ଅଭିଯୁକ୍ତମାନେ ହେଲେ ପଦ୍ମାବତୀ ତାଣ୍ଡି ଏବଂ ରାହୁଲ ରାୟ। ସେମାନେ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଚାକିରି ଦେବା ପାଇଁ ଲୋଭ ଦେଖାଇ ଅନେକ ଲୋକଙ୍କୁ ଠକିଥିଲେ। ପୋଲିସ କହିଛି ଯେ ଏହି ଦୁଇଜଣ ପ୍ରତି ଆବେଦନକାରୀଙ୍କଠାରୁ ପ୍ରାୟ ୧୨,୦୦୦ ଟଙ୍କା ଆଦାୟ କରିଥିଲେ। ଏମାନେ ମୁଖ୍ୟତଃ ସମ୍ବଲପୁର, ବରଗଡ଼, ବୌଦ୍ଧ ଏବଂ ସୋନପୁର ଜିଲ୍ଲାର ମହିଳା ଏବଂ ଆର୍ଥିକ ଦୁର୍ବଳ ପରିବାରର ଲୋକଙ୍କୁ ଟାର୍ଗେଟ କରୁଥିଲେ।
ପୋଲିସର କହିବା ଅନୁଯାୟୀ, ଅଭିଯୁକ୍ତମାନେ ସରକାରୀ କାର୍ଯ୍ୟାଳୟ ସହିତ ଲିଙ୍କ୍ ଥିବା କହି ଆଶାୟୀଙ୍କ ବିଶ୍ୱାସ ଜିତୁଥିଲେ। ଏହା ପରେ ଛୋଟ ଛୋଟ ବୈଠକ ମଧ୍ୟ କରୁଥିଲେ।
ଆଶାୟୀ ମାନେ ଟଙ୍କା ଦେବା ସତ୍ତ୍ୱେ ଚାକିରି ନପାଇବାରୁ ଥାନାରେ ଅଭିଯୋଗ କରିଥିଲେ।