ମହାଗଠବନ୍ଧନ ପକ୍ଷରୁ ବିହାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା

ପ୍ରେସ୍‌ କନଫରେନ୍ସରେ ନାଁ ଘୋଷଣା କଲେ ଅଶୋକ ଗେହଲଟ୍‌

ପାଟନା, ୨୩/୧୦: ବିହାରରେ ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନ ପ୍ରତ୍ୟାହାର କରିବାର ଆଜି ଶେଷ ଦିନ। ଆସନ୍ତା ନଭେମ୍ବର ୧୧ରେ ଭୋଟ ହେବ। ତେଣୁ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସାରଣ ଏବଂ ବୈଶାଳୀରେ ଏନଡିଏ ସମର୍ଥନରେ ନିର୍ବାଚନୀ ରାଲି କରିବେ।

ଏହାରି ମଧ୍ୟରେ ବିହାରରେ ବଡ଼ ଘୋଷଣା କରିଛି ବିହାର ମହାଗଠବନ୍ଧନ।

ପାଟନାର ହୋଟେଲ ମୌର୍ଯ୍ୟରେ ତେଜସ୍ୱୀ ଯାଦବ, କୃଷ୍ଣ ଆଲ୍ଲାଭାରୁ, ଅଶୋକ ଗେହଲଟ ଏବଂ ରାଜେଶ ରାମଙ୍କ ସହିତ ବୈଠକ ଅନୁଷ୍ଠିତ ହେବା ପରେ ମହାଗଠବନ୍ଧନର ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ଅଶୋକ ଗେହଲଟ୍ କହିଛନ୍ତି ଯେ ଆରଜେଡି ନେତା ତେଜସ୍ୱୀ ଯାଦବ ମହାଗଠବନ୍ଧନର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ। ସେ କହିଛନ୍ତି ଯେ ମହାଗଠବନ୍ଧନ ତେଜସ୍ୱୀଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ିବ। ସେହିପରି VIP ମୁଖ୍ୟ ମୁକେଶ ସାହାଣୀଙ୍କୁ ଉପମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି।

ମୁକେଶ ସାହାନୀ କହିଛନ୍ତି, “ଯେପରି ବିଜେପି ଆମ ଦଳକୁ ଭାଙ୍ଗି ଆମ ବିଧାୟକଙ୍କୁ କିଣିଲା, ଆମେ ସଂକଳ୍ପ କରିଥିଲୁ ଯେ ଆମେ ବିଜେପିକୁ ଭାଙ୍ଗିବା ପର୍ଯ୍ୟନ୍ତ ଛାଡିବୁ ନାହିଁ…ସେହି ସମୟ ଆସିଯାଇଛି। ଆମେ ମହାଗଠବନ୍ଧନ ସହିତ ଦୃଢ଼ ଭାବରେ ରହିବୁ, ବିହାରରେ ସରକାର ଗଠନ କରିବୁ ଏବଂ ବିହାରରୁ ବିଜେପିକୁ ବାହାର କରିବୁ। ମହାଗଠବନ୍ଧନ ଦୃଢ଼ ଏବଂ ଏକଜୁଟ।”