ପୁରୀ, ୨୬/୧୧: ଆସନ୍ତା ଡିସେମ୍ବର ୧ ତାରିଖରେ ଖୋଲିବ ଗୁଣ୍ଡିଚା ମନ୍ଦିର। ଏ ନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ଦିବ୍ୟଜ୍ୟୋତି ପରିଡ଼ା। ଜିଲ୍ଲାପାଳ କହିଛନ୍ତି, “ଗୁଣ୍ଡିଚା ମନ୍ଦିର ନିକଟରୁ ଜବରଦଖଲ ହଟିଛି, ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ଶ୍ରୀମନ୍ଦିର ପ୍ରଶାସନ ଗୁଣ୍ଡିଚା ମନ୍ଦିରର ପରିଚାଳନା କରିବ।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି, “ଡିସେମ୍ବର ୧ ତାରିଖରୁ ଭକ୍ତଙ୍କ ପାଇଁ ଖୋଲିବ ଗୁଣ୍ଡିଚା ମନ୍ଦିର। ପରୀକ୍ଷାମୂଳକ ଭାବେ ଆରମ୍ଭ ହେବ ଟିକେଟ୍ ଦର୍ଶନ ବ୍ୟବସ୍ଥା। ଜଣେ ଭକ୍ତଙ୍କ ପିଛା ଟିକେଟ୍ ମୂଲ୍ୟ ୧୦ ଟଙ୍କା ରହିବ। ୫ ବର୍ଷରୁ କମ୍, ୮୦ ବର୍ଷରୁ ଅଧିକ ଓ ଦିବ୍ୟାଙ୍ଗଙ୍କ ପାଇଁ ଦେୟମୁକ୍ତ ଦର୍ଶନ ରହିବ। ପ୍ରତିଦିନ ସକାଳ ୬ରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲିବ ଗୁଣ୍ଡିଚା ମନ୍ଦିର। ନଭେମ୍ବରରୁ ଫେବୃଆରୀ ପର୍ଯ୍ୟନ୍ତ ସକାଳ ୬ରୁ ସଂଧ୍ୟା ୫ଟା ଯାଏଁ ଦର୍ଶନ କରିପାରିବେ ଭକ୍ତ। ସିଂହଦ୍ବାର ଦେଇ ଆଡ଼ପ ମଣ୍ଡପ ଦର୍ଶନ ପାଇଁ ପ୍ରବେଶ ଓ ପ୍ରସ୍ଥାନ ବ୍ୟବସ୍ଥା କରାଯାଇଛି। ମାଗଣା ଚପଲ, ମୋବାଇଲ୍ ଷ୍ଟାଣ୍ଡ ଓ ପାନୀୟ ଜଳ ବ୍ୟବସ୍ଥା କରାଯାଇଛି।
ସୂଚନାଯୋଗ୍ୟ, ଦୀର୍ଘ ପ୍ରାୟ ୬ ବର୍ଷ ହେଲା ବନ୍ଦ ରହିଛି ଗୁଣ୍ଡିଚା ମନ୍ଦିର। କୋଭିଡ୍-୧୯ ପରଠାରୁ ଗୁଣ୍ଡିଚା ମନ୍ଦିର ବନ୍ଦ ରହିଛି।