ସାଇଟେଡ- ୨୦୨୫ରେ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା
ଆକ୍ସିଅମ-୪ ମିଶନର ଅନୁଭୂତି ବାଣ୍ଟିଲେ
‘ମହାକାଶରେ ଜୀବନଚର୍ଯ୍ୟା ଭିନ୍ନ ଥିଲା’
ଭୁବନେଶ୍ଵର, ୨୬/୧୧: ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ମହାକାଶଚାରୀ ଶୁଭାଂଶୁ ଶୁକ୍ଲା। ବାର୍ଷିକ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମେଳା ସାଇଟେଡ- ୨୦୨୫ର ନବମ ସଂସ୍କରଣରେ ସାମିଲ ହୋଇଛନ୍ତି ଶୁଭାଂଶୁ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅନ୍ୟ ସରକାରୀ ଓ ବେସରକାରୀ ବିଦ୍ୟାଳୟର ୫୦୦୦ରୁ ଅଧିକ ଛାତ୍ରଛାତ୍ରୀ ମଧ୍ୟ ଯୋଗଦେଇଥିଲେ। ଏହି ଅବସରରେ କାର୍ଯ୍ୟକ୍ରମରେ ଭାଗ ନେଇ ମହାକାଶର ଅନୁଭୂତି ବଖାଣିଛନ୍ତି ଶୁଭାଂଶୁ।
ଛୋଟ ପିଲାମାନଙ୍କୁ ସମ୍ବୋଧିତ କରିବା ବେଳେ ଶୁଭାଂଶୁ କହିଛନ୍ତି, “ଭାରତ ମହାକାଶ ଅନୁସନ୍ଧାନରେ ଦୁନିଆରେ ନିଜ ସ୍ଥାନ ସୃଷ୍ଟି କରୁଛି ଓ ଆଗାମୀ ପିଢ଼ି ଏହି ଯାତ୍ରାର ଅଂଶ ହେବା ଉଚିତ। ଗତବର୍ଷ ଅଗଷ୍ଟରେ ମୋ ମିଶନ ଆରମ୍ଭ ହୋଇଥିଲା। ଗଗନାୟାନ ମିଶନ କାମ ଚାଲିଛି, ମୁଁ ସେଥିରେ ଗୋଟେ ପାର୍ଟ। ଲୋକେ ଯିବେ, ଆଉ ଫେରିକି ଆସିବେ।୨୦୪୦ ସୁଦ୍ଧା ଆମେ ଚନ୍ଦ୍ରକୁ ଯିବୁ, ଏହି ଯୋଜନା ଆମର ରହିଛି।” ଏଥି ସହ ଶୁଭାଂଶୁ ମହାକାଶରେ ଥିବା ସମୟରେ ବିଭିନ୍ନ ଭିଡ଼ିଓ ଦେଖାଇଥିଲେ।
ସେଠାକାର ଜୀବନଚର୍ଯ୍ୟା ବିଷୟରେ ଅନୁଭୂତି ବାଣ୍ଟିଛନ୍ତି ଶୁଭାଂଶୁ। ଓଡ଼ିଶା ଆସି ବହୁତ ଖୁସି ଲାଗୁଛି, ଆଗରୁ ବି ଆସିଥିଲି। ମହାକାଶର ଅନୁଭୂତି ବାଣ୍ଟିବାକୁ ଓଡ଼ିଶା ଆସିଛି। ମହାକାଶର ଅନୁଭୂତି ଅତ୍ୟନ୍ତ ନିଆରା ଥିଲା। ମହାକାଶର ଅନୁଭୂତି ଅତ୍ୟନ୍ତ ନିଆରା ଥିଲା। ପ୍ରଥମ ୪/୫ ଦିନ ଖାପ ଖୁଆଇବା ଚ୍ୟାଲେଞ୍ଜିଂ। ସେହିପରି ଫେରିବା ପରେ ପୃଥିବୀପୃଷ୍ଠ ବି ଚ୍ୟାଲେଞ୍ଜିଂ। ଜିରୋ ଗ୍ରାଭିଟିରେ ଶରୀର ବିଦ୍ରୋହ କରେ କୁହାଯାଇପାରିବ। ରକ୍ତଚାପରେ ପରିବର୍ତ୍ତନ ଯୋଗୁ ହୃଦ୍ ସ୍ପନ୍ଦନ କମ୍ ହୋଇଥାଏ। ଜିରୋ ଗ୍ରାଭିଟିରେ ଉଚ୍ଚତା ବଢ଼ିବା ପରି ଲାଗେ। ମହାକାଶରୁ ଫେରିଲା ପରେ ପୁଣି ପୂର୍ବାବସ୍ଥା ଅନୁଭବ ହୁଏ। ମହାକାଶରେ ଡ୍ରାଏଫୁଡ୍ ଖାଇବା ସମ୍ଭବ ନୁହେଁ, ଚାରିଆଡ଼େ ବିଛିଡି ଯାଇପାରେ। ତେଣୁ କିଛି ଆଦ୍ରଯୁକ୍ତ ଖାଦ୍ୟ ସାମଗ୍ରୀ ଖାଇଥାଉ।
ସୂଚନାଯୋଗ୍ୟ, ଜୁନ ୨୫ ତାରିଖରେ ଆକ୍ସିଅମ-୪ ମିଶନ ରେ ସ୍ପେଶ ଡ୍ରାଗନ୍ ମହାକାଶଯାନରେ ମହାକାଶକୁ ଯାତ୍ରା କରିଥିଲେ ଗ୍ରୁପ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଲା। ଫ୍ଲୋରିଡାର ନାସାର କେନେଡି ସ୍ପେସ୍ ସେଣ୍ଟରରେ ଲଞ୍ଚ କମ୍ପ୍ଲେକ୍ସ 39A ରୁ ମହାକାଶକୁ ଯାତ୍ରା କରିଥିଲେ। ତାଙ୍କ ସହିତ ୪ ଜଣ ଆମେରିକା, ହଙ୍ଗେରୀ, ପୋଲାଣ୍ଡର ମହାକାଶଚାରୀ ମଧ୍ୟ ଥିଲେ। ପୂର୍ବତନ ନାସା ମହାକାଶଚାରୀ ଏବଂ ଆକ୍ସିଅମ୍ ସ୍ପେସ୍ରେ ମାନବ ମହାକାଶ ଉଡ଼ାଣ ନିର୍ଦ୍ଦେଶକ ପେଗି ହ୍ୱିଟସନ୍ ମିଶନର କମାଣ୍ଡର ଦାୟିତ୍ୱ ନେଇଥିଲେ। ୟୁରୋପୀୟ ମହାକାଶ ଏଜେନ୍ସି ପ୍ରୋଜେକ୍ଟ ମହାକାଶଚାରୀ ପୋଲାଣ୍ଡର ସ୍ଲାଓସ୍ ଉଜନାନ୍ସକି-ୱିସ୍ନିୱସ୍କି ଏବଂ ହଙ୍ଗେରୀୟ ମହାକାଶଚାରୀ ଟିବୋର୍ କାପୁ ଉଭୟ ମିଶନ ବିଶେଷଜ୍ଞ ଭାବରେ କାର୍ଯ୍ୟ କରିଥିଲେ। ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନ (ISS)ରେ ୧୮ ଦିନ ରହିବା ପରେ ଜୁଲାଇ ୧୫ ତାରିଖରେ ପୃଥିବୀକୁ ଫେରିଥିଲେ।