ଭୁବନେଶ୍ଵର, ୨୭/୧୧: ଓଡ଼ିଶା ବିଧାନସଭା ପାଇଁ ଐତିହାସିକ ମୁହୂର୍ତ୍ତ। ଓଡ଼ିଶା ବିଧାନସଭା ଇତିହାସରେ ପ୍ରଥମ ଥର ପାଇଁ ଚଳିତ ଅଧିବେଶନରେ ଗୃହକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସଦସ୍ୟମାନଙ୍କ ଉଦ୍ଦେଶ୍ୟରେ ଅଭିଭାଷଣ ରଖିବେ।
ବିଧାୟିକାରୁ ରାଷ୍ଟ୍ରପତି ହେବା ପରେ ପ୍ରଥମ କରି ବିଧାନସଭା ଆସିଛନ୍ତି ଦ୍ରୌପଦୀ ମୁର୍ମୁ। ୨୦୦୦ରୁ ୨୦୦୯ ଯାଏଁ ବିଧାୟିକା ଥିଲେ। ରାଇରଙ୍ଗପୁରରୁ ୨ ଥର ନିର୍ବାଚିତ ହୋଇଥିଲେ। ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ମନ୍ତ୍ରିପରିଷଦରେ ସ୍ଥାନ ପାଇଥିଲେ। ୨୦୦୨ ପର୍ଯ୍ୟନ୍ତ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଥିଲେ। ୨୦୦୨ରୁ ୨୦୦୪ ପର୍ଯ୍ୟନ୍ତ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଥିଲେ। ୨୦୦୭ରେ ଶ୍ରେଷ୍ଠ ବିଧାୟିକା ଭାବେ ପୁରସ୍କୃତ ହୋଇଥିଲେ। ୨୦୧୫ରେ ଝାଡ଼ଖଣ୍ଡର ରାଜ୍ୟପାଳ ଭାବେ ଦାୟିତ୍ବ ନେଇଥିଲେ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶାରେ ପହଞ୍ଚିବା ପରେ ଭୁବନେଶ୍ୱର ବିମାନବନ୍ଦରରୁ ସିଧା ରାଜମହଲ ଯାଇଥିଲେ। ସେଠାରୁ କୌଣସି କାର୍ଯ୍ୟକ୍ରମ ସାରି ବିଧାନସଭା ଯାଇଥିଲେ। ବିଧାନସଭାରେ ସ୍ୱାଗତ କରିଥିଲେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀପରିଷଦର ସଦସ୍ୟ। ଗୃହରେ ବର୍ତ୍ତମାନର ବିଧାୟକ ଓ କିଛି ପୂର୍ବତନ ବିଧାୟକ ମଧ୍ୟ ଉପସ୍ଥିତ ଥିଲେ।