ଇତିହାସର ସ୍ୱର୍ଣ୍ଣାକ୍ଷରେ ଲିପିବଦ୍ଧ ରହିବ ଆଜିର ଦିନ
ଓଡ଼ିଶା ବିଧାନସଭା ପାଇଁ ଐତିହାସିକ ମୁହୂର୍ତ୍ତ
ଗୃହକୁ ସମ୍ବୋଧିତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଭୁବନେଶ୍ଵର, ୨୭/୧୧: ଓଡ଼ିଶା ବିଧାନସଭା ପାଇଁ ଐତିହାସିକ ମୁହୂର୍ତ୍ତ। ଓଡ଼ିଶା ବିଧାନସଭାରେ ଆଜି ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି। ବିଧାୟିକା ଥିବା ବେଳେ ଗୃହକୁ ନିଇତି ଆସୁଥିଲେ। ଆଉ ଏବେ ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ପାଇଁ ବିଧାନସଭାକୁ ଆସିଛନ୍ତି। ଯାହା ଇତିହାସର ସ୍ୱର୍ଣ୍ଣାକ୍ଷରେ ଲିପିବଦ୍ଧ ହୋଇ ରହିବ।
ବିଧାନସଭା ଇତିହାସରେ ପ୍ରଥମ ଥର ଗୃହକୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସମ୍ବୋଧିତ ବେଳେ ରାଷ୍ଟ୍ରପତି କହିଛନ୍ତି, “ଆପଣଙ୍କ ଗହଣରେ ଉପସ୍ଥିତ ରହି ବହୁତ ଆନନ୍ଦିତ। ପୂର୍ବରୁ ଅନେକ ରାଜ୍ୟର ବିଧାନସଭାକୁ ସମ୍ବୋଧିତ କରିଛି। କିନ୍ତୁ ଓଡ଼ିଶା ବିଧାନସଭାକୁ ସମ୍ବୋଧିତ କରିବା ନିଶ୍ଚିତ ନିଆରା। ଆଜି ମୁଁ ଯେଉଁଠି ଅଛି ତାହାର ଶ୍ରେୟ ଏହି ଗୃହର। ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ନ ଥିଲେ ଏଠି ପହଞ୍ଚି ପାରି ନ ଥାନ୍ତି। ଏହି ଗୃହରେ ବିଧାୟିକା ଭାବେ ପ୍ରଶ୍ନ ପଚାରିଛି। ଏହି ଗୃହରେ ମନ୍ତ୍ରୀ ଭାବେ ପ୍ରଶ୍ନର ଉତ୍ତର ଦେଇଛି। ଗ୍ୟାଲେରୀରେ ବସିଥିବା କିଛି ପୂର୍ବତନ ବିଧାୟକଙ୍କ ସହ କାମ କରିଛି। ଆଜି ମୁଁ ସେମାନଙ୍କୁ ପାଖରେ ପାଇ ଆବିଭୂତ।”
“ଏହି କଳିଙ୍ଗ ଚଣ୍ଡାଶୋକ ଅଶୋକଙ୍କୁ ଧର୍ମାଶୋକ କରିଛି। ଓଡ଼ିଶା ବିଧାନସଭାକୁ ଉଦ୍ବୋଧନ ଦେବା ଖୁସିର ବିଷୟ। ଏ ବିଧାନସଭା ମୋତେ ସବୁକିଛି ଶିଖାଇଛି। କଥା କହିବା, ବ୍ୟବହାର ଓ ରାଜନୀତିର ଦୃଢ଼ ମୂଳଦୁଆ ପକାଇଛି। ଏ ଗୃହ, ଜଗନ୍ନାଥ ଓ ଲୋକଙ୍କ ଯୋଗୁଁ ମୁଁ ଏ ପଦବୀରେ ଅଛି। ମୋତେ ଆଜି ଘରକୁ ଫେରି ଆସିବା ଭଳି ଲାଗୁଛି।”
ଐତିହାସିକ ନୌବାଣିଜ୍ୟ, ଇଂରେଜ ବିରୋଧୀ ଲଢ଼େଇରୁ ଶିକ୍ଷା ମିଳିଛି। ଓଡ଼ିଶା ବିଧାନସଭାରେ ନାରୀଙ୍କ ପ୍ରତିନିଧିତ୍ବ ବଢ଼ିଛି। ଦ୍ରୁତ ଗତିରେ ଓଡ଼ିଶା ପ୍ରଗତି ଆଗେଇ ଚାଲିଛି। ସୁଭଦ୍ରା ଯୋଜନାରେ ମହିଳା ସ୍ବାବଲମ୍ବୀ ହେଉଛନ୍ତି। କୃଷି ଓ କୃଷକର ରାଜ୍ୟରେ ସର୍ବାଧିକ ଇନ୍ପୁଟ ସବ୍ସିଡି ମିଳୁଛି। ପ୍ରାକୃତିକ ଓ ମାନବ ସମ୍ବଳ ଉପଯୋଗ କରି ବିକାଶ ହୋଇପାରିବ।”
ଓଡ଼ିଶା ସବୁ ପ୍ରକାର ସମ୍ବଳରେ ପରିପୂର୍ଣ୍ଣ। ତେଣୁ ଓଡ଼ିଶାକୁ ଏକ ଅଗ୍ରଣୀ ପ୍ରଦେଶରେ ପରିଣତ କରାଯାଇ ପାରିବ। ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ କରିବାର ଆବଶ୍ୟକତା ରହିଛି। ଓଡ଼ିଶାର ପ୍ରଗତିକୁ ଜୀବନର ବ୍ରତ ଭାବେ ଗ୍ରହଣ କରନ୍ତୁ।”
“୨୦୪୭ ବେଳକୁ ଭାରତ ‘ବିକଶିତ ଭାରତ’ରେ ପରିଣତ ହେବ। ଭାରତ ବିଶ୍ବରେ ଶକ୍ତିଶାଳୀ ପ୍ରଭାବ ପକାଇପାରିଛି। ଭାରତର ଜ୍ଞାନକୌଶଳ, ସ୍ବାସ୍ଥ୍ୟସେବା ବିଶ୍ବର ପ୍ରଥମ ପସନ୍ଦ। ବିଧାୟକ ମାନେ ଦେଶ ସର୍ବୋପରି’ ଭାବନା ରଖନ୍ତୁ। କାଳେକାଳେ ଶାସନ ବ୍ୟବସ୍ଥା ପ୍ରଜାଙ୍କ ହାତରେ ରହି ଆସିଛି।”
“ଏହା ବିକଶିତ ଭାରତର ପରିକଳ୍ପନା ପାଇଁ ସମ୍ଭବ। ପ୍ରଜାମାନେ ଅନେକ ସ୍ବପ୍ନ ନେଇ ଆପଣଙ୍କୁ ପଠାଇଛନ୍ତି। ସେମାନଙ୍କ ମୁହଁରେ ହସ ଫୁଟାଇବା ଆପଣଙ୍କ କର୍ତ୍ତବ୍ୟ। ଗୃହରେ ଆପଣଙ୍କ ଉଚ୍ଚାରଣ ଓ ଆଚରଣ ଭଲ ରହିବା ଉଚିତ। କାରଣ ଆଜିର ଟେକ୍ନୋଲୋଜି ଜରିଆରେ ତାହା ସମସ୍ତେ ଦେଖୁଛନ୍ତି।”