ଶିକ୍ଷକଙ୍କ ବିଭିନ୍ନ ଦାବିକୁ ନେଇ ଉଚ୍ଚସ୍ତରୀୟ କମିଟି ଗଠନ
ବିଧାନସଭାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ବିବୃତ୍ତି
୬ ମାସ ମଧ୍ୟରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେବ କମିଟି
ଭୁବନେଶ୍ୱର, ୦୩/୧୨: ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚ ଶିକ୍ଷା ବିଭାଗ ଅଧିନରେ ବିଭିନ୍ନ ପ୍ରକାର ସରକାରୀ ଏବଂ ଅନୁଦାନପ୍ରାପ୍ତ ଓ ଅଣ- ଅନୁଦାନପ୍ରାପ୍ତ ବେସରକାରୀ ଶିକ୍ଷାନୁଷ୍ଠାନ ରହିଅଛି । ଏହି ଶିକ୍ଷାନୁଷ୍ଠାନ ଗୁଡିକର ବିଭିନ୍ନ ଶିକ୍ଷକ / ଅଧ୍ୟାପକ ଏବଂ କର୍ମଚାରୀ ସଂଘ ସେମାନଙ୍କର ବିଭିନ୍ନ ପ୍ରକାରର ଦାବୀ ସରକାରଙ୍କ ନିକଟରେ ଉପସ୍ଥାପନ କରିଆସୁଛନ୍ତି । ସେମାନଙ୍କର ଏହି ଦାବୀ ଉପରେ ବିଭିନ୍ନ ସମୟରେ ଆଲୋଚନା ମଧ୍ୟ କରାଯାଇଅଛି ।
ଏହାକୁ ରାଜ୍ୟ ସରକାର ଗୁରୁତ୍ଵର ସହ ବିଚାର କରି ଶିକ୍ଷକ/ ଅଧ୍ୟାପକ ଏବଂ କର୍ମଚାରୀମାନଙ୍କର ଦାବୀ ସମୂହର ଅନୁଶୀଳନ ନିମନ୍ତେ ଶ୍ରୀ ଅଶୋକ କୁମାର ତ୍ରିପାଠୀ, ଭାରତୀୟ ପ୍ରଶାସନିକ ସେବା (ଅବସର ପ୍ରାପ୍ତ) ଙ୍କ ଅଧ୍ଯକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଉକ୍ତ କମିଟି ୬ ମାସ ମଧ୍ୟରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବେ।