କଣ୍ଟାବାଞ୍ଜି ବିଧାୟକଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗିରଫ

ଅଭିଯୁକ୍ତକୁ ଅଟକ ରଖି ଅଧିକ ପଚରାଉଚରା କରୁଛି ପୋଲିସ

ଟିଟିଲାଗଡ଼, ୦୪/୧୨: କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତକୁ ଗିରଫ କରାଯାଇଛି। ଅଭିଯୁକ୍ତକୁ ଟିଟିଲାଗଡ଼ ଜିଆରପି ଥାନାରେ ଅଟକ ରଖାଯାଇଛି। ଜିଆରପି ଥାନା ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଛି।

ସୂଚନାଯୋଗ୍ୟ, ଲକ୍ଷ୍ମଣ ବାଗଙ୍କୁ କଣ୍ଟାବାଞ୍ଜି ୧ ନମ୍ବର ୱାର୍ଡର କାଉନସିଲର ମହମ୍ମଦ ଇମ୍ରାନ ଖାନ ହତ୍ୟା ଧମକ ଦେଇଥିବା ଅଭିଯୋଗରେ କଣ୍ଟାବାଞ୍ଜି ଜିଆରପି ପୁଲିସ ଷ୍ଟେସନରେ ଏତଲା ଦେଇଥିଲେ ବିଧାୟକ। ବିଧାୟକ ଲକ୍ଷ୍ମଣ ବାଗ ବୁଧବାର ଟ୍ରେନ ଯୋଗେ ବେଆଇନ ଭାବେ ବାହାରକୁ ଦାଦନ ଚାଲାଣ ହେଉଥିବା ଜାଣିବାକୁ ପାଇବା ପରେ ଅଟକାଇବାକୁ ଚେଷ୍ଟା କରିଥିଲେ। ଯାହାକୁ ନେଇ କଣ୍ଟାବାଞ୍ଜି ୧ ନମ୍ବର ୱାର୍ଡର କାଉନସିଲର ମହମ୍ମଦ ଇମ୍ରାନ ଖାନ, ବଣ୍ଟି ବେହେରା ସହ ୬ରୁ ଅଧିକ ଲୋକ ତାଙ୍କୁ ଦୁର୍ବ୍ୟବହାର କରିବା ସହ ହତ୍ୟା ଧମକ ଦେଇଥିଲେ। ଏହା ପରେ ଜିଆରପି ଥାନାରେ ଲିଖିତ ଅଭିଯୋଗ କରିଥିଲେ ଲକ୍ଷ୍ମଣ ବାଗ। ଜିଆରପି ପୁଲିସ ତଦନ୍ତ ଆରମ୍ଭ କରିଥିଲା। ଅଭିଯୁକ୍ତକୁ ଥାନାରେ ଅଟକ ରଖି ଅଧିକ ପଚରାଉଚରା କରୁଛି ପୋଲିସ।