ଆମ୍ଵେଦକରଙ୍କ ମହାପରିନିର୍ବାଣ ଦିବସରେ ବିଶାଳ ସମାବେଶ

ସଙ୍କଟରେ ସମ୍ବିଧାନ: ବିଧାୟକ ରଣେନ୍ଦ୍ର ସ୍ବାଇଁ

ଆଠଗଡ, ୦୬/୧୨ (ଦର୍ଶନ ନ୍ୟୁଜ୍): ତିଗିରିଆ ଦଳିତ, ଆଦିବାସୀ ବହୁଜନ ମଞ୍ଚ ଆନୁକୂଲ୍ୟରେ ସମ୍ବିଧାନ ପ୍ରଣେତା ଡଃ ବି.ଆର୍ ଆମ୍ବେଦକର ଙ୍କ ୬୯ତମ ମହାପରିନିର୍ଵାଣ ଦିବସ ଅବସରରେ ଏକ ଵିଶାଳ ସମାବେଶ ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନ ରେ ଆଠଗଡ ସହର ଉପକଣ୍ଠ ସାପୁଆ ନଦୀ କୂଳଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ସମ୍ବିଧାନ ସୁରକ୍ଷା ଓ ଦଳିତ, ଆଦିବାସୀ, ସଂଖ୍ୟାଲଘୁଙ୍କ ଅଧିକାର ସମ୍ଵଦ୍ଧିତ କେନ୍ଦ୍ର ସରକାର ବିରୋଧୀ ନାରା ଦେଇ ସହର ପରିକ୍ରମା କରିଥିଲା । ପରେ ଆଠଗଡ ମହିଳା ମହାବିଦ୍ୟାଳୟ ନିକଟସ୍ଥ ମିନି ଷ୍ଟାଡିୟମ ଠାରେ ମଞ୍ଚର ସଭାପତି ତଥା ଆଠଗଡ ଏନ୍ଏସି ର ପୂର୍ବତନ ଅଧ୍ୟକ୍ଷ ରମେଶ ଚନ୍ଦ୍ର ଘଡେ଼ଇ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାବେଶରେ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କେନ୍ଦ୍ର ସରକାର ଦୀର୍ଘ ଦିନ ଧରି ଜନଗଣନା ନ କରାଇ ଏସ୍.ଆଇ,ଆର୍ ମାଧ୍ୟମରେ ଅଗଣତାନ୍ତ୍ରିକ ଭାଵେ ଜନସାଧାରଣଙ୍କୁ ଭୋଟର ତାଲିକାରୁ ନାଁ କାଟି ସମ୍ବିଧାନ ଦେଇଥିବା ଅଧିକାରରୁ ବଞ୍ଚିତ କରିଛନ୍ତି। ସେହିପରି ତ୍ରୁଟିପୂର୍ଣ୍ଣ ଶ୍ରମ ନୀତିରେ ୧୦ ଘଣ୍ଟିଆ କର୍ମ ନିର୍ଘଣ୍ଟ କରି ପୁଞ୍ଜିପତି ମାନଙ୍କୁ ସୁରକ୍ଷା ଦେଇ ଶ୍ରମିକ ମାନଙ୍କୁ ଛଟେଇ କରିଛନ୍ତି। ବାରମ୍ଵାର ସମ୍ବିଧାନ ସଂଶୋଧନ ପ୍ରସ୍ତାବ ଆଣି ତ୍ରୁଟିପୂର୍ଣ୍ଣ ନୀତି ଅବଲମ୍ବନ କରି ଲୋକଙ୍କ ଅଧିକାରକୁ କ୍ଷୂର୍ଣ୍ଣ କରିଛନ୍ତି। ଫଳରେ ସମ୍ବିଧାନ ସଙ୍କଟରେ ରହିଛି। ଏହି ସନ୍ଧିକ୍ଷଣ ସମୟରେ ନିଜର ଉତ୍ତରପୀଢିର ସୁରକ୍ଷା ପାଇଁ ସମ୍ବିଧାନ କୁ ଵଞ୍ଚାଇଵାର ଆବଶ୍ୟକତା ରହିଛି।ଏଣୁ ସମ୍ବିଧାନ ର ସୁରକ୍ଷା ପାଇଁ ସମସ୍ତ ଦେଶବାସୀ ଓ ରାଜନୈତିକ ଦଳ ଏକାଠି ହୋଇ ଲଢେଇ ଜାରି ରଖିବାକୁ ଆହ୍ଵନ କରିଥିଲେ। ଏଥିପାଇଁ ସଚେତନତା ସୃଷ୍ଠି କରିବା ନିମନ୍ତେ ମଞ୍ଚ ପକ୍ଷରୁ ବିଦ୍ୟାର୍ଥୀ ମାନଙ୍କୁ ସଂକ୍ଷିପ୍ତ ସମ୍ବିଧାନ ପୁସ୍ତିକା ଓ ପ୍ରତ୍ୟେକ ଵିଦ୍ୟାଳୟ ମାନଙ୍କୁ ଆମ୍ବେଦକର ଙ୍କ ଫଟୋ ଚିତ୍ର ବଣ୍ଟନ କରାଯିବ ଵୋଲି କହିଥିଲେ।ଆସନ୍ତା ଅପ୍ରେଲ ମାସ ୧୪ ତାରିଖରେ ଆମ୍ବେଦକର ଙ୍କ ପୂର୍ଣ୍ଣଵୟାବ ମୂର୍ତ୍ତି ସ୍ଥାପନ କରାଯିବ ଵୋଲି ପ୍ରସ୍ତାବ ଗୃହିତ ହୋଇଥିଲା।ଉକ୍ତ କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ବିଶିଷ୍ଠ ସାମାଜିକ କର୍ମୀ ସତୀଶ ମିଶ୍ର, ଓଡ଼ିଶା ଉଚ୍ଚ ନ୍ୟାୟାଳୟ ର ଆଇନଜୀବି ଚିତ୍ରସେନ ନାଏକ, କନିଷ୍ଠ ଶିକ୍ଷକ ସଂଘର ରାଜ୍ୟ ସଂଗଠକ ଦେବବ୍ରତ ଵେହେରା, ଜିଲ୍ଲା ପରିଷଦ ସଭ୍ୟା ଶାନ୍ତିଲତା ବେହେରା ମିନତୀ ଗାଗରାଇ, ବଳଭଦ୍ର ବାଘ,ଵାସନ୍ତୀ ରାଉଳ, ଏନ୍ଏସି ଅଧ୍ୟକ୍ଷା ସସ୍ମିତା ରାଉତ, ତିଗିରିଆ ବ୍ଲକ ଅଧ୍ୟକ୍ଷା ସଂନ୍ଧ୍ୟାରାଣୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ସଂଖ୍ୟାଲଘୁ ସଂପ୍ରଦାୟର ନାରୀ ନେତ୍ରୀ ମିତାଲି ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ମଞ୍ଚର ଉପାଧ୍ୟକ୍ଷ ମାନସ ମଲ୍ଲିକ କାଶୀନାଥ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ର ସଂଯୋଜନା କରିଥିଲେ।