ଭୟଙ୍କର ବନ୍ୟା ଓ ଭୂସ୍ଖଳନ: ୧୭୯୦ରୁ ଅଧିକ ଲୋକଙ୍କ ମୃତ୍ୟୁ

ଦୁର୍ଭିକ୍ଷ ମାଡ଼ି ଆସୁଛି; ଅନାହାରରେ ଆହୁରି ମୃତ୍ୟୁ ହେବା ଆଶଙ୍କା

ବାଲି, ୦୬/୧୨: ଇଣ୍ଡୋନେସିଆର ସୁମାତ୍ରା ଦ୍ୱୀପରେ ଭୟଙ୍କର ବନ୍ୟା ଏବଂ ଭୂସ୍ଖଳନରେ ୯୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଦୁର୍ଗମ ଓ ବିଚ୍ଛିନ୍ନ ଅଞ୍ଚଳରେ ଅନାହାର ଯୋଗୁଁ ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ଦେଶର ବିପର୍ଯ୍ୟୟ ପରିଚାଳନା ସଂସ୍ଥା ଶନିବାର ଏକ ପ୍ରେସ ବ୍ରିଫିଂରେ ମୃତ୍ୟୁ ସଂଖ୍ୟା ନିଶ୍ଚିତ କରିଛି।

ଗତ ସପ୍ତାହ ଧରି ଦକ୍ଷିଣ-ପୂର୍ବ ଏବଂ ଦକ୍ଷିଣ ଏସିଆର ଏକ ବଡ଼ ଅଂଶରେ ଏକ ପରେ ଏକ ଟ୍ରପିକାଲ ଝଡ଼ ଏବଂ ପ୍ରବଳ ମୌସୁମୀ ବର୍ଷା ପ୍ରଭାବରେ ସୁମାତ୍ରାରେ ଏବଂ ଶ୍ରୀଲଙ୍କାରେ ଭୂମିସ୍ଖଳନ ହେବା ସହ ହଠାତ୍ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଇଣ୍ଡୋନେସିଆ, ଶ୍ରୀଲଙ୍କା, ମାଲେସିଆ, ଥାଇଲ୍ୟାଣ୍ଡ ଏବଂ ଭିଏତନାମରେ ପ୍ରାକୃତିକ ବିପର୍ଯ୍ୟୟ ୧୭୯୦ ରୁ ଅଧିକ ଲୋକଙ୍କ ଜୀବନ ନେଇଛି।

ଇଣ୍ଡୋନେସିଆର ଆଚେ ଏବଂ ଉତ୍ତର ସୁମାତ୍ରା ପ୍ରଦେଶରେ, ପ୍ରଚଣ୍ଡ ବନ୍ୟା ଜଳ ରାସ୍ତାଗୁଡ଼ିକୁ ଧୋଇ ଦେଇଛି, ଘରଗୁଡ଼ିକ କାଦୁଅରେ ବୁଡ଼ି ଯାଇଛି ଏବଂ ଯୋଗାଣ ଲାଇନ ଛିଣ୍ଡି ଯାଇଛି। କାଦୁଅରୁ ମୃତଦେହ ଉଦ୍ଧାର କରିବା ଜାରି ରଖାଯାଇଛି।‌ବର୍ତ୍ତମାନ ସବୁଠାରୁ ଗୁରୁତର ଚିନ୍ତାର ବିଷୟ ହେଉଛି ବିପର୍ଯ୍ୟୟର କିଛି ଦିନ ପରେ ମଧ୍ୟ ଅପହଞ୍ଚ ଇଲାକାରେ ଅନାହାର ବୃଦ୍ଧି ପାଇବା।

ଅନେକ ଲୋକଙ୍କୁ ମୌଳିକ ଆବଶ୍ୟକତା ରହିଛି। ଲୋକମାନେ ବନ୍ୟାରେ ନୁହେଁ, ବରଂ ଅନାହାରରେ ମରୁଛନ୍ତି ବୋଲି ସ୍ଥାନୀୟ ଅଧିକାରୀ କହିଛନ୍ତି। ଅନେକ ଗାଁ ଏବଂ ଜିଲ୍ଲା ଏବେ କେବଳ ନାମକୁ ମାତ୍ର ରହିଛି।

ଶୁକ୍ରବାର ଶ୍ରୀଲଙ୍କାରେ ମୃତ୍ୟୁ ସଂଖ୍ୟା ୬୦୭ ରେ ପହଞ୍ଚିଛି। ପୁନର୍ବାର ବର୍ଷା ଯୋଗୁଁ ଆହୁରି ଭୂସ୍ଖଳନ ହୋଇପାରେ। ଥାଇଲ୍ୟାଣ୍ଡରେ ୨୭୬, ମାଲେସିଆରେ ଦୁଇ ଏବଂ ଭିଏତନାମରେ ଭୂମିସ୍ଖଳନ ଯୋଗୁଁ ଅତି କମରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ରିପୋର୍ଟ କରାଯାଇଛି।

ଯଦିଓ ମୌସୁମୀ ବର୍ଷା ଏହି ଅଞ୍ଚଳର କୃଷି ପାଇଁ ଅତ୍ୟାବଶ୍ୟକ। କିନ୍ତୁ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏହା ଅଧିକ ଅନିୟମିତ ଏବଂ ବିପଜ୍ଜନକ କରୁଛି। ପରିବେଶବିତ୍ ଏବଂ ଇଣ୍ଡୋନେସିଆର ଅଧିକାରୀମାନେ କହିଛନ୍ତି ଯେ ବ୍ୟାପକ ଗଛ କାଟିବା ଏବଂ ଜଙ୍ଗଲ କ୍ଷୟ ସୁମାତ୍ରାରେ ଭୂସ୍ଖଳନ ଏବଂ ବନ୍ୟାକୁ ଆହୁରି ତୀବ୍ର କରିଛି।