ଡିସେମ୍ବର ୧୩ରେ ଅନୁଷ୍ଠିତ ହେବ ଟିପିସିଓଡିଏଲ୍‌‌ର ଲୋକ ଅଦାଲତ

ଉପଭୋକ୍ତାମାନେ ଅଧିକ ସହାୟତା ପାଇଁ ଗ୍ରାହକ ସେବା କେନ୍ଦ୍ର ସହିତ ଯୋଗାଯୋଗ କରିପାରିବେ

ଭୁବନେଶ୍ୱର, ୧୧/୧୨: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌‌), ପକ୍ଷରୁ ଆସନ୍ତା ୧୩ ଡିସେମ୍ବର ୨୦୨୫ରେ ଚତୁର୍ଥ ଜାତୀୟ ଲୋକ ଅଦାଲତ ଓ ସମାଧାନ ଶିବିର ଆୟୋଜିତ ହେବ । ଅନଧିକୃତ ବିଦ୍ୟୁତ ବ୍ୟବହାର ଏବଂ ବିଦ୍ୟୁତ ଚୋରି ସମ୍ବନ୍ଧୀୟ ମାମଲାଗୁଡ଼ିକର ତ୍ୱରିତ ସମାଧାନ ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଜାତୀୟ ଆଇନ ସେବା ପ୍ରାଧିକରଣ (ନାଲ୍‌‌ସା)ର ଢାଞ୍ଚା ଅନୁଯାୟୀ ଏହି ଶିବିର ଆୟୋଜିତ ହେଉଛି ।

ଏହି ଲୋକ ଅଦାଲତ ସକାଳ ୯ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ସମସ୍ତ ଟିପିସିଓଡିଏଲ୍ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ । ଏଠାରେ ନିୟୋଜିତ ସ୍ୱତନ୍ତ୍ର ଟିମ୍ ଉପଭୋକ୍ତାମାନଙ୍କୁ ସେମାନଙ୍କର ବକେୟା ଏନଫୋର୍ସମେଣ୍ଟ ମାମଲାଗୁଡ଼ିକର ସମାଧାନ ଏବଂ ବିଦ୍ୟୁତ ବ୍ୟବହାରକୁ ନିୟମିତ କରିବାରେ ସହାୟତା ପ୍ରଦାନ କରିବେ ।

ଏଥିପାଇଁ ଯୋଗ୍ୟତା, ଆବଶ୍ୟକ କାଗଜପତ୍ର ଏବଂ ଜିଲ୍ଲାୱାରୀ ବ୍ୟବସ୍ଥା ସମ୍ପର୍କିତ ସୂଚନା କମ୍ପାନୀର ସମସ୍ତ ଡିଭିଜନ, ସବ୍‌-ଡିଭିଜନ ଏବଂ ସେକ୍ସନ କାର୍ଯ୍ୟାଳୟରେ ଉପଲବ୍ଧ ରହିଛି । ଉପଭୋକ୍ତାମାନେ ଅଧିକ ସହାୟତା ପାଇଁ ସେମାନଙ୍କର ନିକଟସ୍ଥ ଗ୍ରାହକ ସେବା କେନ୍ଦ୍ର ସହିତ ଯୋଗାଯୋଗ କରିପାରିବେ ।

ବକେୟା ଏନଫୋର୍ସମେଣ୍ଟ ମାମଲା ଥିବା ଉପଭୋକ୍ତାମାନେ ଲୋକ ଅଦାଲତରେ ଯୋଗଦେବା ସହ ଏହି ଏକ ଦିବସୀୟ ସରଳୀକୃତ ସମାଧାନ ପ୍ରକ୍ରିୟାର ସୁଯୋଗ ନେବାକୁ ଟିପିସିଓଡିଏଲ୍ ପକ୍ଷରୁ ଅନୁରୋଧ କରାଯାଇଛି ।