ଭୁବନେଶ୍ୱର, ୧୪/୧୨: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବର୍ଦ୍ଧିତ ଦରମା ନେବାକୁ ମନା କରିବା ପ୍ରସଙ୍ଗରେ ରାଜନୀତି ଜୋର ଧରିଛି। ବିଜେଡ଼ିକୁ ଟାର୍ଗେଟ କରିଛି ଉଭୟ ବିଜେପି ଓ କଂଗ୍ରେସ। ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ପ୍ରତିକ୍ରିୟା ରଖି କହିଛନ୍ତି, “ବିଧାନସଭାରେ ନବୀନ ବାବୁଙ୍କୁ କହିବାର ସୁଯୋଗ ଥିଲା। କାହିଁକି ଆସିଲେ ନାହିଁ, କାହିଁକି ତାଙ୍କ ମତ ରଖିଲେ ନାହିଁ ବୋଲି ପ୍ରଶ୍ନ କରିଛନ୍ତି। ଏହା ଆଉ କିଛି ନୁହେଁ, କେବଳ ରାଜନୀତି।”
ସେହିପରି ନବୀନଙ୍କୁ ଆକ୍ଷେପ କରିଛନ୍ତି ବିଜେପିର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର। ଜୟନାରାୟଣ କହିଛନ୍ତି, “ନବୀନ ବାବୁ ବହୁତ ଧନୀ ଲୋକ, ଏ ସବୁ ଡ୍ରାମା। ଖଣି ଖାଦାନରେ ଅନେକ ଦୁର୍ନୀତି ହୋଇଛି, ତଦନ୍ତ ହେବା ଦରକାର। ନବୀନ ବାବୁଙ୍କ ଡ୍ରାମାକୁ ଆଉ କେହି ଗ୍ରହଣ କରୁନାହାନ୍ତି। ପ୍ରମିଳା ମଲ୍ଲିକ ଦରମା ବୃଦ୍ଧି ପାଇଁ ବାରମ୍ବାର ବିଧାନସଭାରେ ଦାବି କରିଛନ୍ତି। ପ୍ରମିଳାଙ୍କ ଦାବିକୁ ନବୀନ ବାବୁଙ୍କର ସମର୍ଥନ ରହିଥିଲା। ନବୀନ ବାବୁଙ୍କ ବାପା ଏକ ଟଙ୍କା ଦରମା ନେଉଥିଲେ। ଦଳ ପାଇଁ ଏହା ଲାଗୁ କରିଥିଲେ ଭଲ ହୋଇଥାନ୍ତା।” ଏଥିସହିତ ବିଧାନସଭାରେ ନବୀନ ବାବୁ କାହିଁକି ରହିଲେ ନାହିଁ ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି ଜୟନାରାୟଣ। “ବିଧାନସଭା ଅଧିବେଶନ ଆଲୋଚନାରେ ଭାଗ ନେଇ ପାରିଥାନ୍ତେ। ବିରୋଧ କରିଥିଲେ, ସରକାର ବିଲ୍କୁ ପ୍ରତ୍ୟାହାର କରି ନେଇଥାନ୍ତେ” ବୋଲି କହିଛନ୍ତି।
ଅନ୍ୟପଟେ ବର୍ଦ୍ଧିତ ଦରମାକୁ ନବୀନଙ୍କ ନା ପ୍ରସଙ୍ଗରେ କଂଗ୍ରେସ ବିଧାୟକ ପବିତ୍ର ସାଉଁତା ପ୍ରତିକ୍ରିୟା ରଖି କହିଛନ୍ତି, “ବିଧାୟକଙ୍କ ବର୍ଦ୍ଧିତ ଦରମା ବିଲ୍କୁ ବିଜେଡି କାହିଁକି ସମର୍ଥନ କଲା। ବିରୋଧୀଦଳ ନେତା ବର୍ଦ୍ଧିତ ଦରମା ନ ନେବା ଘୋଷଣା ବିଜେଡିର ଦୋମୁହାଁ ନୀତି। ବିଜେଡି ସଦସ୍ୟ ଓ ବିରୋଧୀଦଳ ମୁଖ୍ୟ ସଚେତକ ବିଲକୁ ସମର୍ଥନ କରିଥିଲେ। ପଲିଟିକାଲ୍ ଷ୍ଟଣ୍ଟ ପାଇଁ ଦରମା ନେବି ନାହିଁ ବୋଲି ନବୀନ କହୁଛନ୍ତି।”
“ବିରୋଧୀଦଳ ନେତାଙ୍କ ପାଖରେ ଅପର୍ଯ୍ୟାପ୍ତ ସମ୍ପତ୍ତି ଅଛି। ସେ ୨୪ ବର୍ଷ ମୁଖ୍ୟମନ୍ତ୍ରୀ ଓ ତାଙ୍କ ବାପା ମଧ୍ୟ ମୁଖ୍ୟମନ୍ତ୍ରୀ ଥିଲେ। ପୂର୍ବତନ ବିଧାୟକମାନଙ୍କ ପାଇଁ ବର୍ଦ୍ଧିତ ଦରମା ଏକ ବରଦାନ ସଦୃଶ। ନବୀନ ବାବୁ ଦୋମୁହାଁ ନୀତି ନ କରି ସରକାରଙ୍କୁ ସ୍ୱାଗତ କଲେ ଭଲ ହେବ। ତାଙ୍କ ଦଳ ନେତା କହୁଛନ୍ତି ଦରମା ବଢିବା ଠିକ୍, କାରଣ ପଇସା ନାହିଁ। ନବୀନ ଦଳ ଭିତରେ ପ୍ରଥମେ ଆଲୋଚନା କରି ସାମ୍ନାକୁ ଆସନ୍ତୁ” ବୋଲି ପବିତ୍ର କହିଛନ୍ତି।