ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଜନଜାତି ଉପଦେଷ୍ଟା ପରିଷଦ ବୈଠକ ଅନୁଷ୍ଠିତ
ଆଦିବାସୀ ଗ୍ରାମର ପୂଜକ ମାନଙ୍କ ପାଇଁ ଭତ୍ତା ବ୍ୟବସ୍ଥା ଓ ସେମାନଙ୍କ ପୂଜାସ୍ଥଳୀ ଗୁଡିକର ବିକାଶ ଓ ସୁରକ୍ଷା ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ
ଆଦିବାସୀ ମାନଙ୍କର ରେକର୍ଡ ଅଫ୍ ରାଇଟ୍ସ ଉଭୟ ଓଡିଆ ଓ ଇଂରାଜୀରେ ଲେଖିବା ପାଇଁ ସୁପାରିଶ
ଭୁବନେଶ୍ୱର, ୨୩/୧୨: ଆଜି ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଜନଜାତି ଉପଦେଷ୍ଟା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଜନଜାତି ଉପଦେଷ୍ଟା ମଣ୍ଡଳୀର ୧୮ ଜଣ ସଦସ୍ୟ ଉପସ୍ଥିତ ଥିଲେ।
ବୈଠକରେ ପ୍ରାରମ୍ଭିକ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ ରାଜ୍ୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଜନଜାତି କଲ୍ୟାଣ ପାଇଁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ସଂପର୍କରେ ଆଲୋକପାତ କରି କହିଥିଲେ ଯେ ଆମପାଇଁ ଜନଜାତି ସମ୍ପ୍ରଦାୟ କେବଳ ଯୋଜନାର ହିତାଧିକାରୀ ନୁହଁନ୍ତି, ସେମାନେ ଆମ ପ୍ରଗତିରେ ସହଭାଗୀ ମଧ୍ୟ।
ଆଦିବାସୀ ମାନଙ୍କ ଜୀବନଜୀବିକା, ଅର୍ଥନୈତିକ ବିକାଶ ସହିତ ସେମାନଙ୍କ ଧାର୍ମିକ ଭାବନା ପ୍ରତି ମଧ୍ୟ ଆମକୁ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ପଡିବ ବୋଲି ମୁଖ୍ୟମନ୍ତ୍ରୀ ବୈଠକରେ ମତ ଦେଇଥିଲେ। ଆଦିବାସୀ ଗ୍ରାମର ପୂଜକ ମାନଙ୍କ ପାଇଁ ଭତ୍ତା ବ୍ୟବସ୍ଥା କରିବା ଓ ସେମାନଙ୍କ ପୂଜାସ୍ଥଳୀ ଗୁଡିକର ବିକାଶ ଓ ସୁରକ୍ଷା ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ପରିଷଦକୁ ପ୍ରସ୍ତାବ ଦେଇଥିଲେ। ସେ କହିଥିଲେ ଯେ ଏ ବିଷୟରେ ଅନୁଧ୍ୟାନ ଓ ଆଲୋଚନା କରି ନିର୍ଦ୍ଦିଷ୍ଟ ନିଷ୍ପତ୍ତି ନିଆଯିବ।
ଆଜିର ବୈଠକରେ, ଆଦିବାସୀ ଅଞ୍ଚଳ ଗୁଡିକରେ ଇକୋ ଟୁରିଜିମ ତ୍ୱରାନ୍ୱିତ କରାଯିବା ଓ ଟ୍ରାଇବାଲ ହୋମ ଷ୍ଟେ ବୃଦ୍ଧି କରାଯିବା ପାଇଁ ସୁପାରିଶ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ST ତାଲିକାରେ Record of Rights ଉଭୟ ଓଡ଼ିଆ ଓ ଇଂରାଜୀରେ ଲେଖା ଯିବା ଉପରେ ଗୁରୁତ୍ୱ ଆରୋପ କରାଯାଇଥିଲା। ଏଥିସହିତ ST ସମ୍ପ୍ରଦାୟରେ ଅଧିକ ବର୍ଗଙ୍କୁ ଅନ୍ତର୍ଭୁକ୍ତି କରିବାପାଇଁ SCSTRTI କୁ ସଠିକ ଅନୁଧ୍ୟାନ କରି ପରବର୍ତ୍ତୀ ଜନଜାତି ଉପଦେଷ୍ଟା ପରିଷଦକୁ ସୁପାରିଶ କରିବାପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା। ରାଜ୍ୟପାଳଙ୍କ ଅଫିସରୁ ଆସିଥିବା ପ୍ରସ୍ତାବ ଗୁଡିକୁ ମଧ୍ୟ ଅନୁଧ୍ୟାନ କରି ପରବର୍ତ୍ତୀ ଜନଜାତି ଉପଦେଷ୍ଟା ପରିଷଦ ବୈଠକରେ ଆଲୋଚନା କରିବାପାଇଁ ନିଷ୍ପତ୍ତି ନିଆଯାଇଥିଲା।
ସେହିଭଳି, inter-departmental committee ମାଧ୍ୟମରେ ପେସା ଅଧିନିୟମର ଓଡ଼ିଶାଭିତ୍ତିକ ନିୟମାବଳୀକୁ ସଠିକ ଅନୁଧ୍ୟାନ କରି ପରବର୍ତ୍ତୀ ଜନଜାତି ଉପଦେଷ୍ଟା ପରିଷଦ ବୈଠକକୁ ସୁପାରିଶ କରିବାକୁ ନିଷ୍ପତ୍ତି ନିଆ ଯାଇଥିଲା। ଆହୁରି ମଧ୍ୟ ଏକାଦଶ ଓ ଦ୍ବାଦଶ ଶ୍ରେଣୀରେ ଏକଲବ୍ୟ ମଡେଲ ଆବାସିକ ସ୍କୁଲ ଗୁଡିକରେ ବିଜ୍ଞାନ ସହିତ କଳା ଓ ବାଣିଜ୍ୟ ବିଷୟ ରଖିବା ପାଇଁ ସୁପାରିଶ କରାଯାଇଛି।
ଏହି ବୈଠକରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, କେନ୍ଦୁଝର ସାଂସଦ ଶ୍ରୀ ଅନନ୍ତ ନାୟକ, ନବରଙ୍ଗପୁର ସାଂସଦ ଶ୍ରୀ ବଳଭଦ୍ର ମାଝୀଙ୍କ ସହିତ କମିଟିର ସଦସ୍ୟ ଓ ବିଧାୟକ ବୃନ୍ଦ, ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ରାଜସ୍ବ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓ ରଞ୍ଜନ କୁମାର ସିଂହ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର, ଆଇନ ବିଭାଗର ପ୍ରମୁଖ ଶାସନ ସଚିବ ଡଃ ପବିତ୍ର ମୋହନ ସାମଲ, ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର କମିଶନର-ତଥା-ଶାସନ ସଚିବ ଶ୍ରୀ ବି. ପରମେଶ୍ୱରନ,ପଞ୍ଚାୟତିରାଜ ବିଭାଗ ର ଶାସନ ସଚିବ ଶ୍ରୀ ଗୀରିଶ ଏସ୍ ଏନ ପ୍ରମୁଖ ଉପସ୍ଥିତ ଥିଲେ।