ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହିଂସା ବିରୋଧରେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ପଦଯାତ୍ରା
କୂଟନୀତି ମାଧ୍ୟମରେ ସମସ୍ୟାର ସମାଧାନ କରିବାକୁ ଆହ୍ୱାନ
ଭୁବନେଶ୍ୱର, ୨୫/୧୨: ପଡ଼ୋଶୀ ବାଂଲାଦେଶରେ ହିନ୍ଦୁ ସମୁଦାୟ ଉପରେ ଚାଲିଥିବା ନିରନ୍ତର ହିଂସା, ନିର୍ଯ୍ୟାତନା ଓ ମାନବାଧିକାର ଉଲ୍ଲଂଘନ ବିରୋଧରେ ବିଶ୍ୱ ହିନ୍ଦୁ ପରିଷଦ, ଭୁବନେଶ୍ୱର ଜିଲ୍ଲା ପକ୍ଷରୁ ଆଜି ଏକ ବିଶାଳ ପଦଯାତ୍ରା ଆୟୋଜିତ ହୋଇଯାଇଛି। ଏହି ପଦଯାତ୍ରାରେ ଶତାଧିକ କାର୍ଯ୍ୟକର୍ତ୍ତା ଓ ସମର୍ଥକଙ୍କ ସମେତ ବଜରଙ୍ଗ ଦଳ, ଦୁର୍ଗା ବାହିନୀ, ରାଷ୍ଟ୍ରୀୟ ହିନ୍ଦୁ ସଙ୍ଗଠନ, ହିନ୍ଦୁ ଏକତା ମଞ୍ଚ ଆଦି ଅନେକ ହିନ୍ଦୁ ସଂଗଠନର କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ । ବାଂଲାଦେଶରେ ନିର୍ଯ୍ୟାତିତ ହିନ୍ଦୁମାନଙ୍କ ପ୍ରତି ସମବେଦନା ପ୍ରକାଶ କରି ଭାରତ ସରକାର ଏ ଦିଗରେ ଦୃଷ୍ଟିଦେଇ ବାଂଲାଦେଶର ହିନ୍ଦୁମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଦାବି କରିଥିଲେ । ପଦଯାତ୍ରା ସମୟରେ ବିଶ୍ୱ ହିନ୍ଦୁ ପରିଷଦର ଭୁବନେଶ୍ୱର ଜିଲ୍ଲା ସଭାପତି ଶ୍ରୀ ପ୍ରଦୀପ ଚନ୍ଦ୍ର ମହାନ୍ତି ଓ ପ୍ରାନ୍ତ ସଭାପତି ଡଃ ପ୍ରଫୁଲ୍ଲ କୁମାର ମିଶ୍ର ଉପସ୍ଥିତ ରହି ନିଜ ନିଜର ଦୃଢ଼ ମନ୍ତବ୍ୟ ରଖିଥିଲେ । ଶ୍ରୀ ମହାନ୍ତି ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଘଟୁଥିବା ହିଂସା ଓ ନିର୍ଯ୍ୟାତନା ଗଭୀର ଚିନ୍ତାର ବିଷୟ ଏବଂ ଏହା ଳକୁ ଆନ୍ତର୍ଜାତୀୟ ସମୁଦାୟ ଆଉ ନୀରବ ରହି ଦେଖିବା ଉଚିତ ନୁହେଁ । ଭାରତ ସରକାର ଏହି ବିଷୟରେ ଦୃଢ଼ କୂଟନୀତିକ ଓ ମାନବିକ ପଦକ୍ଷେପ ନେବା ଆବଶ୍ୟକ ବୋଲି ସେ ମତ ପ୍ରକାଶ କରିଥିଲେ । ପ୍ରାନ୍ତ ସଭାପତି ଡଃ ପ୍ରଫୁଲ୍ଲ କୁମାର ମିଶ୍ର କହିଥିଲେ ଯେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର କେବଳ ଧାର୍ମିକ ସମସ୍ୟା ନୁହେଁ , ଏହା ଏକ ଗୁରୁତର ମାନବାଧିକାର ପ୍ରସଙ୍ଗ । ହିଂସା ବନ୍ଦ କରି ହିନ୍ଦୁ ସମୁଦାୟର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ବାଂଲାଦେଶ ସରକାର ଉପରେ ଆନ୍ତର୍ଜାତୀୟ ଚାପ ସୃଷ୍ଟି କରିବାକୁ ସେ ଆହ୍ୱାନ ଦେଇଥିଲେ ।
କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ହିନ୍ଦୁ ସଙ୍ଗଠନର ଓଡ଼ିଶା ପ୍ରଦେଶ ଅଧ୍ୟକ୍ଷ ଡଃ ସୁନୀତି ମୁଣ୍ଡ ଯୋଗ ଦେଇ କହିଛନ୍ତି ଯେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ଆଉ ବରଦାସ୍ତ କରାଯାଇପାରିବନାହିଁ। ଭାରତ ସରକାର ଏହି ବିଷୟରେ ଦୃଢ଼, ସ୍ପଷ୍ଟ ଓ ନିର୍ଣ୍ଣାୟକ ପଦକ୍ଷେପ ନିଅନ୍ତୁ ବୋଲି ସେ ଦାବି କରିଛନ୍ତି।
ଏହି ପଦଯାତ୍ରା ମାଧ୍ୟମରେ ବିଶ୍ୱ ହିନ୍ଦୁ ପରିଷଦ ବାଂଲାଦେଶରେ ନିର୍ଯ୍ୟାତିତ ହିନ୍ଦୁମାନଙ୍କ ସୁରକ୍ଷା, ସମ୍ମାନ ଓ ନ୍ୟାୟ ସହ ସାରା ବିଶ୍ବରେ ହିନ୍ଦୁ ଧର୍ମର ଲୋକଙ୍କ ସୁରକ୍ଷା ଓ ସମ୍ମାନ ପାଇଁ ନିରନ୍ତର ସଂଗ୍ରାମ ଜାରି ରଖିବ । ସନ୍ଦେଶ ଦେବା ସହ ସମସ୍ତ ହିନ୍ଦୁ ସମାଜ ଜାତି ବର୍ଣ୍ଣ ଭାଷା ପ୍ରାନ୍ତ ନିର୍ବିଶେଷରେ ସମସ୍ତେ ଏକାଠି ହେବା ଆବଶ୍ୟକ ବୋଲି କହିଛି ।
ଉତ୍କଳ ହିନ୍ଦୁ ପରିଷଦ ସଭାପତି ଦେବାଶିଷ ନାୟକ କାର୍ଯ୍ୟ କ୍ରମରେ ଅଂଶଗ୍ରହଣ କରି ସମସ୍ତ ହିନ୍ଦୁ ସମାଜକୁ
ଏକତ୍ରିତ କରିବାରେ ବିଶ୍ଵ ହିନ୍ଦୁ ପରିଷଦର ଭୂମିକାକୁ ଭୂୟସୀ ପ୍ରଶଂସା କରିଛନ୍ତି । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବଜରଙ୍ଗ ଦଳ ସଂଯୋଜକ ପ୍ରତ୍ୟୁଷ ରାଉତରାୟ, ଦୁର୍ଗା ବାହିନୀ ସଂଯୋଜିକା ସସ୍ମିତା ମଙ୍ଗରାଜ, ସୌଦାମିନୀ ରାଉତ ପ୍ରମୁଖ ଯୋଗ ଦେଇଥିଲେ ।