ରେଳଷ୍ଟେସନରେ ଭୟଙ୍କର ଅଗ୍ନିକାଣ୍ଡ

ବିଦ୍ୟୁତ୍ ସେବା ବ୍ୟାହତ, ଟ୍ରେନ ଚଳାଚଳ ବନ୍ଦ

ଝାରସୁଗୁଡ଼ା, ୧୩/୦୧: ଆଜି ସକାଳ ପ୍ରାୟ ୧୧ଟା ବେଳେ ଝାରସୁଗୁଡ଼ା ରେଳ ଷ୍ଟେସନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏସିରୁ ସର୍ଟ ସର୍କିଟ ହୋଇ ନିଆଁ ଲାଗିଥିବା ବେଳେ ଷ୍ଟେସନ ପରିସର ଧୂଆଁରେ ଭରି ଯାଇଛି।

ସୂଚନା ପାଇବା ମାତ୍ରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟ ଜାରି ରଖିଛନ୍ତି। ଘଟଣା ପରେ ଷ୍ଟେସନରେ ଥିବା ସମସ୍ତ ଯାତ୍ରୀଙ୍କୁ ପ୍ଲାଟଫର୍ମରୁ ନିରାପଦରେ ବାହାର କରାଯାଇଛି। ଅଗ୍ନିକାଣ୍ଡ ଯୋଗୁଁ ଏହି ରୁଟରେ ରେଳ ଚଳାଚଳ ବନ୍ଦ ରହିଛି।

ଆରପିଏଫ (RPF), ଜିଆରପି (GRP) ଏବଂ ଝାରସୁଗୁଡ଼ା ପୁଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣରେ ରଖିବା ପାଇଁ ଉଦ୍ୟମ ଚଳାଇଛନ୍ତି। ଅଗ୍ନିକାଣ୍ଡ ଯୋଗୁଁ ଷ୍ଟେସନର ବିଦ୍ୟୁତ ସରବରାହ ବ୍ୟାହତ ହୋଇଛି। ଷ୍ଟେସନ ମାଷ୍ଟର କ୍ୟାବିନ୍, ଡିଟିସି ଚେମ୍ବର, ଟିକେଟ କାଉଣ୍ଟର ଓ ରେଳ ଲାଇନ ଆଦି କ୍ଷତିଗ୍ରସ୍ତ ହୋଇଛି।

ବର୍ତ୍ତମାନ ପର୍ଯ୍ୟନ୍ତ କ୍ଷୟକ୍ଷତିର ପୂର୍ଣ୍ଣ ପରିମାଣ ଜଣାପଡ଼ିନାହିଁ। ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ଆସିବା ଏବଂ ବିଦ୍ୟୁତ ଯୋଗାଯୋଗ ଠିକ୍ ହେବା ପର୍ଯ୍ୟନ୍ତ ରେଳ ଚଳାଚଳ ବାଧାପ୍ରାପ୍ତ ରହିବ ବୋଲି ସୂଚନା ମିଳିଛି। ଯାତ୍ରୀମାନଙ୍କୁ ନିରାପଦରେ ରହିବାକୁ ଅନୁରୋଧ କରାଯାଇଛି।