ଢାକା, ୧୩/୦୧: ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁ ସମ୍ପ୍ରଦାୟର ଲୋକଙ୍କୁ ନିରନ୍ତର ଟାର୍ଗେଟ କରାଯାଉଛି। ବାଂଲାଦେଶରେ ହିନ୍ଦୁ ସମ୍ପ୍ରଦାୟ ବିରୋଧରେ ହିଂସାକାଣ୍ଡ ଜାରି ରହିଛି। ସେଠାରୁ ଆଉ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଦାଗାନଭୂଇଁଆନରେ ୨୮ ବର୍ଷୀୟ ହିନ୍ଦୁ ଯୁବକ ସମୀର କୁମାର ଦାସଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଛି। ସମୀର କୁମାର ଦାସ ରାମାନନ୍ଦପୁର ଗ୍ରାମ (ମାତୁଭୂଇଁଆ ସଂଘ)ର ବାସିନ୍ଦା ଥିଲେ ଏବଂ ବ୍ୟାଟେରୀ ଚାଳିତ ଅଟୋ-ରିକ୍ସା ଚଳାଇ ନିଜ ପରିବାର ପ୍ରତିପାଳନ କରୁଥିଲେ।
ରବିବାର ରାତିରେ (ଜାନୁଆରୀ ୧୧, ୨୦୨୬) ସମୀର ଘରକୁ ନ ଫେରିବାରୁ ତାଙ୍କ ପରିବାର ସହରର ବିଭିନ୍ନ ଅଞ୍ଚଳରେ ତାଙ୍କୁ ଖୋଜାଖୋଜି ଆରମ୍ଭ କରିଥିଲେ। କୌଣସି ସନ୍ଧାନ ନମିଳିବାରୁ ପୋଲିସକୁ ସୂଚନା ଦିଆଯାଇଥିଲା। ପ୍ରାୟ ରାତି ୨ଟା ସମୟରେ ସ୍ଥାନୀୟ ଲୋକମାନେ ଦକ୍ଷିଣ କରିମପୁର ମୁହୁରି ବାରି ନିକଟରେ ତାଙ୍କ ରକ୍ତାକ୍ତ ମୃତଦେହ ଦେଖିଥିଲେ। ସୂଚନା ପାଇ ଦାଗନଭୂଇଁଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ହସ୍ପିଟାଲକୁ ପଠାଇଥିଲା।
ପୋଲିସର କହିବା ଅନୁଯାୟୀ, ଘଟଣାସ୍ଥଳର ପରିସ୍ଥିତି ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ମନେ ହେଉଛି। ଦାଗାନଭୂଇଁଆ ପୋଲିସ ଷ୍ଟେସନର ପୋଲିସ ଅଧିକାରୀ ଫୟାଜୁଲ ଅଜିମ ନୋମାନ କହିଛନ୍ତି ଯେ ସମୀରଙ୍କୁ ଛୁରୀ ଭୁଷିବା ପରେ ପିଟି ପିଟି ହତ୍ୟା କରାଯାଇଥିଲା। ହତ୍ୟା ପରେ ଅପରାଧୀମାନେ ତାଙ୍କ ଅଟୋ-ରିକ୍ସା ମଧ୍ୟ ଲୁଟି ନେଇ ପଳାଇ ଯାଇଥିଲେ। ପରିବାର ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି।
ଅଭିଯୁକ୍ତମାନଙ୍କ ଗିରଫଦାରୀ ପାଇଁ ପୋଲିସ ବ୍ୟାପକ ତଲାସ ଆରମ୍ଭ କରିଛି। ଏହି ଘୃଣ୍ୟ ଘଟଣା ସ୍ଥାନୀୟ ବାସିନ୍ଦା ଏବଂ ଅନ୍ୟାନ୍ୟ ଅଟୋ ଚାଳକଙ୍କ ମଧ୍ୟରେ ବ୍ୟାପକ ଉତ୍ତେଜନା ସୃଷ୍ଟି କରିଛି।
ଏହି ସମୟରେ, ବାଂଲାଦେଶ ପୋଲିସ ହିନ୍ଦୁ ଯୁବକ ଦୀପୁ ଚନ୍ଦ୍ର ଦାସଙ୍କୁ ହତ୍ୟା କରିବା ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଉଛି ପୂର୍ବତନ ଶିକ୍ଷକ ୟାସିନ ଆରାଫତ। ଡିସେମ୍ବର ୧୮ ତାରିଖରେ ମୈମନସିଂ ଜିଲ୍ଲାରେ ୨୭ ବର୍ଷୀୟ ଦୀପୁଙ୍କୁ ହତ୍ୟା କରାଯାଇଥିଲା। ଏକ ଜନଗହଳି ତାଙ୍କୁ ପିଟି ପିଟି ହତ୍ୟା କରିଥିଲା, ତାଙ୍କ ମୃତଦେହକୁ ଗଛରେ ଝୁଲାଇ ଦେଇଥିଲା ଏବଂ ନିଆଁ ଲଗାଇ ଦେଇଥିଲା।