ହାଇଟେକରେ ଜାତୀୟ ଯୁବ ଦିବସ ପାଳନ

ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ସ୍ଵଦେଶୀ ଜାଗରଣ ଉପରେ ପ୍ରତିଯୋଗିତା ଆୟୋଜିତ

ଭୁବନେଶ୍ୱର, ୧୩/୦୧: ହାଇଟେକ୍ ମେଡିକାଲ କଲେଜ ଓ ହସ୍ପିଟାଲ ପରିସରସ୍ଥ ପ୍ରେକ୍ଷାଳୟରେ ସହସ୍ରାଧିକ ବିଦ୍ୟାର୍ଥୀଙ୍କ ଗହଣରେ ଜାତୀୟ ଯୁବ ଦିବସ ମହାସମାରୋହରେ ପାଳିତ ହୋଇଛି। ଏଥରେ ହାଇଟେକ୍ ମେଡିକାଲ କଲେଜ, ଡେଣ୍ଟାଲ କଲେଜ, ଫାର୍ମାସୀ କଲେଜ, ଫିଜିଓଥେରାପି କଲେଜ, ନସିଂ ସ୍କୁଲ ଓ କଲେଜ, ଯୁକ୍ତଦୁଇ ବିଜ୍ଞାନ ଓ ବାଣିଜ୍ୟ ମହାବିଦ୍ୟାଳୟ, ପବ୍ଲିକ୍ ସ୍କୁଲର ସହସ୍ରାଧିକ ବିଦ୍ୟାର୍ଥୀ ଯୋଗ ଦେଇ ଆଜିର ଦିନରେ ସ୍ଵଦେଶୀ ଜାଗରଣ ବା ସ୍ଵଦେଶୀ ଭାବନା ଉପରେ ଆଲୋକପାତ କରିଥିଲେ। କୁଟି ଖାଅ, କାଟି ପିନ୍ଧ ଏହି କଥାକୁ ବିଦ୍ୟାର୍ଥୀମାନଙ୍କ ସ୍ତରରୁ ପ୍ରଚାର ପ୍ରସାର ହେଲେ ବିଦ୍ୟାର୍ଥୀମାନେ ନିଜେ ସ୍ଵାବଲମ୍ବୀ ଏବଂ ରୋଜଗାରକ୍ଷମ ହୋଇ ଦେଶ ଜାତି ପାଇଁ ଗୌରବ ଆଣିବେ ବୋଲି ଅତିଥି ଭାବେ ଯୋଗ ଦେଇଥିବା ହାଇଟେକ୍ ମେଡିକାଲ କଲେଜ ଓ ହସ୍ପିଟାଲର ପ୍ରିନ୍ସିପାଲ ପ୍ରଫେସର ଡ. ଦେବାନନ୍ଦ ମହାପାତ୍ର, ଭାଇସ୍-ପ୍ରିନ୍ସିପାଲ ପ୍ରଫେସର ଡ. ଲିସା ଷଡଙ୍ଗୀ, ହାଇଟେକ୍ ବିଜ୍ଞାନ ଓ ବାଣିଜ୍ୟ ମହାବିଦ୍ୟାଳୟ ଓଡିଆ ଅଧ୍ୟାପକ ତଥା ଅନ୍ତରାଷ୍ଟ୍ରୀୟ ଓଡିଶୀ ନୃତ୍ୟଶିଳ୍ପୀ ଡ. ଚିତ୍ତ ରଞ୍ଜନ ସାହାଣୀ ଏବଂ ହାଇଟେକ୍ ଡେଣ୍ଟାଲ କଲେଜର ପ୍ରଶାସନିକ ଅଧିକାରୀ ଡ. ଅଭିତୋଷ ଦେବତା ବିଦ୍ୟାର୍ଥୀମାନଙ୍କୁ ଆହ୍ଵାନ ଦେଇଥିଲେ। ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ସ୍ଵଦେଶୀ ଜାଗରଣ ଉପରେ ପ୍ରତିଯୋଗୀତାରେ ଯୁକ୍ତଦୁଇ ମହାବିଦ୍ୟାଳୟର ଦିବ୍ୟାରଞ୍ଜିତା ପୃଷ୍ଟି ପ୍ରଥମ, ହାଇଟେକ୍ ଡେଣ୍ଟାଲ କଲେଜର ସମକ୍ଷା ଦାଶ ଦ୍ଵିତୀୟ, ହାଇଟେକ୍ ମେଡିକାଲ କଲେଜର ଶୁଭଙ୍କର ଶତପଥୀ ତୃତୀୟ ସ୍ଥାନ ହାସଲ କରିଥିବା ବେଳେ ଅତିଥିମାନେ ସେମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି।