ବିଜେଡ଼ିରୁ ୨ ବିଧାୟକ ସସପେଣ୍ଡ

ଦଳ ବିରୋଧୀ କାର୍ଯ୍ୟ ପାଇଁ ନବୀନଙ୍କ ଆକ୍ସନ

ଭୁବନେଶ୍ୱର, ୧୫/୦୧: ଦଳରୁ ୨ ବିଧାୟକଙ୍କୁ ସସ୍‌ପେଣ୍ଡ କଲା ବିଜେଡି। ବିଧାୟକ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ରଙ୍କୁ ଦଳରୁ ସସ୍‌ପେଣ୍ଡ କରାଯାଇଛି। ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ଆକ୍ସନ୍ ନିଆଯାଇଥିବା କହିଛି ବିଜେଡି।

ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ହେଉଛନ୍ତି ପାଟକୁରା ବିଧାୟକ ଏବଂ ଚମ୍ପୁଆରୁ ପ୍ରତିନିଧିତ୍ବ କରୁଛନ୍ତି ସନାତନ ମହାକୁଡ। ଉଭୟ ଗତ ୨୦୨୪ ବିଧାନସଭା ନିର୍ବାଚନରେ ବିଜେଡି ଟିକେଟରେ ଲଢ଼ି ବିଧାୟକ ହୋଇଥିଲେ।

ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ର ସସ୍‌ପେଣ୍ଡ ନେଇ ପ୍ରତିକ୍ରିୟା ରଖିଛନ୍ତି କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର ଓ ଗଣେଶ୍ବର ବେହେରା। ଦଳକୁ ଦୁର୍ବଳ କରିବା ପାଇଁ ଚେଷ୍ଟା କରିବାରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ଦିବ୍ୟଶଙ୍କର ମିଶ୍ର କହିଥିବା ବେଳେ କାର୍ଯ୍ୟକଳାପ ଦଳ ବିରୋଧୀ ଥିବାରୁ ଏହି ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି ଗଣେଶ୍ବର ବେହେରା। ସଭାପତିଙ୍କ ପାଖରେ ଏନେଇ କିଛି ଗୁଇନ୍ଦା ତଥ୍ୟ ଥାଇପାରେ ବୋଲି କହିଛନ୍ତି।

ଦଳରୁ ନିଲମ୍ବନ ପରେ ବିଧାୟକ ଅରବିନ୍ଦ ମହାପାତ୍ର ପ୍ରତିକ୍ରିୟାରେ କହିଛନ୍ତି, ମୋତେ କାହିଁକି ନିଲମ୍ବନ କରାଗଲା ମୁଁ ଜାଣିନି। ପାର୍ଟି ତରଫରୁ ମୋତେ କିଛି କୁହାଯାଇନି, ସୋସିଆଲ୍ ମିଡିଆରୁ ଜାଣିଲି। ମୁଁ କୌଣସି ଦଳବିରୋଧୀ କାମ କରିନି। ଦଳକୁ ଅସୁବିଧାରେ ପକାଇବା ଭଳି କୌଣସି କାମ କରିନି। ମୁଁ ମୋ ନିର୍ବାଚନ କ୍ଷେତ୍ରରେ ଲୋକଙ୍କ ପାଇଁ କାମ କରୁଥିଲି। ମୁଁ କୌଣସି ମେଳିକୁ ଯାଇନି କି ଭୋଜି ଖାଇନି। ମୋ ବାପା ସ୍ବତନ୍ତ୍ର ଓ ବରିଷ୍ଠ ନେତା, ସେ କଣ କରିବେ ତାଙ୍କ କଥା। ତାଙ୍କୁ ବିବାଦ ଭିତରକୁ ଟାଣିବାକୁ ମୁଁ ଚାହୁଁନି। 5T ବିରୋଧୀ ମନ୍ତବ୍ୟ ମଧ୍ୟ ଦେଇନାହିଁ। ବିଜେଡିର କୌଣସି ନେତାଙ୍କ ସହ ମୋର ମତାନ୍ତର ନାହିଁ।