ସୁନ୍ଦରଗଡ଼ରେ ଇଣ୍ଟରନେଟ ବନ୍ଦ

ପୂରା ସହରରେ BNS ଧାରା ୧୬୩ ଜାରି

ସ୍କୁଲ, କଲେଜ ବନ୍ଦ; ୧୦ ପ୍ଲାଟୁନ୍ ଫୋର୍ସ ମୁତୟନ

ସୁନ୍ଦରଗଡ଼, ୧୫/୦୧: ସୁନ୍ଦରଗଡ଼ ଟାଉନ୍ ଥାନା ରିଜେଣ୍ଟ ମାର୍କେଟରେ ଗୋଷ୍ଠୀ ସଂଘର୍ଷ ହୋଇଛି। ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିବା ସହ ପରସ୍ପରକୁ ଢେଲାପଥର ମାଡ଼ କରିବା ସହ ଖଣ୍ଡାରେ ଆକ୍ରମଣ କରିଛନ୍ତି। ଏଥିରେ ୪ ପୁଲିସ କର୍ମୀଙ୍କ ସହ ୧୨ ଜଣ ଆହତ ହୋଇଛନ୍ତି। ଗୋମାଂସକୁ କେନ୍ଦ୍ର କରି ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ହୋଇଛି।

ଗୋଷ୍ଠୀ ସଂଘର୍ଷ ପରେ ସୁନ୍ଦରଗଡ଼ରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି। ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ବନ୍ଦ କଲା ଜିଲ୍ଲା ପ୍ରଶାସନ। ଆଜି ସଂଧ୍ୟା ୬ରୁ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି। ଉତ୍ତେଜନା ପରିସ୍ଥିତି ସୃଷ୍ଟି ହେବାରୁ ପୂରା ସୁନ୍ଦରଗଡ଼ ସହରରେ BNS ୧୬୩ ଜାରି କରାଯାଇଛି। ଏ ସମୟରେ ପରିସ୍ଥିତି ଉପରେ ତୀକ୍ଷଣ ନଜର ରଖାଯାଇଛି ବୋଲି କହିଛନ୍ତି ଜିଲ୍ଲାପାଳ। ଶାନ୍ତି କମିଟି ଡାକି ବୈଠକ ପାଇଁ ଚେଷ୍ଟା କରାଯାଉଛି ବୋଲି କହିଛନ୍ତି।

ସେପଟେ ଶାନ୍ତିଶୃଙ୍ଖଳା ରଖିବାକୁ ଅପିଲ୍ କରିଛନ୍ତି ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟ। ସ୍ଥିତିକୁ ଦେଖି ୧୦ ପ୍ଲାଟୁନ୍ ଫୋର୍ସ ବ୍ୟବସ୍ଥା କରାଯାଇଛି। ଶାନ୍ତି କମିଟି ବୈଠକ ଡାକି ସମାଧାନ କରିବାକୁ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଛି। ଇଣ୍ଟରନେଟ୍ ବାବଦରେ ଜିଲ୍ଲାପାଳ, ଏସ୍‌ପି ବିଚାରବିମର୍ଶ କରୁଛନ୍ତି। ଟେକାପଥର ମାଡ଼ରେ ଜଣେ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି।

ସେହିପରି ଆସନ୍ତାକାଲି ସୁନ୍ଦରଗଡ଼ ସହରରେ ସବୁ ସ୍କୁଲ, କଲେଜ ବନ୍ଦ କରାଯାଇଛି। ଗୋଷ୍ଠୀ ସଂଘର୍ଷ ପରେ ସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।