ନିତିନ ନବୀନ ପରବର୍ତ୍ତୀ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ

ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଭରିଥିବାରୁ ଅଧ୍ୟକ୍ଷ

କାଲି ବିଧିବଦ୍ଧ ଭାବେ ହେବ ନାମ ଘୋଷଣା

ନୂଆଦିଲ୍ଲୀ, ୧୯/୦୧: ନିତିନ ନବୀନ ହେବେ ବିଜେପିର ପରବର୍ତ୍ତୀ ରାଷ୍ଟ୍ରୀୟ ଅଧ୍ୟକ୍ଷ। ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ସରିଲା ନାମାଙ୍କନ ଦାଖଲ ପ୍ରକ୍ରିୟା। ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କଲେ ନିତିନ ନବୀନ। ଅନ୍ୟ କୌଣସି ପ୍ରାର୍ଥୀ ନିର୍ବାଚନ ମଇଦାନରେ ନଥିବାରୁ, ନୀତିନ ନବୀନଙ୍କୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ଘୋଷଣା କରାଯାଇଥିଲା।

ନିର୍ବାଚନ କାର୍ଯ୍ୟସୂଚୀ ଅନୁଯାୟୀ, ଜାତୀୟ ସଭାପତି ପଦ ପାଇଁ ନାମାଙ୍କନ ପ୍ରକ୍ରିୟା ସୋମବାର, ଜାନୁଆରୀ ୧୯, ୨୦୨୬ ଦିନ ଅପରାହ୍ନ ୨ଟାରୁ ୪ଟା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ସମୟ ମଧ୍ୟରେ, ମୋଟ ୩୭ ସେଟ୍ ନାମାଙ୍କନ ପତ୍ର ଗ୍ରହଣ କରାଯାଇଥିଲା, ଯେଉଁଥିରେ ସର୍ବୋଚ୍ଚ ସାଂଗଠନିକ ପଦବୀ ପାଇଁ ନୀତିନ ନବୀନଙ୍କ ନାମ ପ୍ରସ୍ତାବିତ କରାଯାଇଥିଲା।

ଆସନ୍ତା ୨୦ ଜାନୁଆରୀ ସକାଳ ୧୧:୩୦ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ନିତିନ ନବୀନଙ୍କ ନାଁ ଘୋଷଣା ହେବ।

ଅନ୍ୟପଟେ ରାଷ୍ଟ୍ରୀୟ ସଭାପତି ପଦ ପାଇଁ ନିତିନ ନବୀନଙ୍କ ନାମାଙ୍କନ ଅବସରରେ ବିଜେପି ମୁଖ୍ୟାଳୟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ୨ ଉପ ମୁଖ୍ୟମନ୍ତ୍ରୀ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ସହ ବିଜେପିର ସାଂସଦ ଓ ଅନ୍ୟାନ୍ୟ ସଦସ୍ୟ ମଧ୍ୟ ଥିଲେ। ଦୁଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ ଉପସ୍ଥିତ ଥିଲେ।