ଘାଟିକିଆରେ ଜବରଦଖଲ ଉଚ୍ଛେଦ

୨୬୩୦ ବର୍ଗଫୁଟ ଅଞ୍ଚଳ ଜବରଦଖଲ ମୁକ୍ତ

ଭୁବନେଶ୍ୱର,୧୯/୧: ଭରତପୁର ଥାନା ଅଞ୍ଚଳ ଘାଟିକିଆରେ ଥିବା ବିଡିଏ ଜମିରୁ ଆଜି ଜବରଦଖଲ ଉଚ୍ଛେଦ ହୋଇଛି। ବିଡିଏର ସ୍ଵତନ୍ତ୍ର ଅଧିକାରୀ (ଜମିଜମା)ଙ୍କ ଚିଠି ଆଧାରରେ ଘାଟିକିଆ ମଉଜାର ବିଡିଏ ପ୍ଲଟ ନମ୍ବର କେ -୮/୯୯୯ ନିକଟରୁ ହୋଇଥିବା ଉଚ୍ଛେଦରେ ୭ଟି ଆଜବେଷ୍ଟସ ଘର ସହିତ ୧୦୦ମିଟର ଲମ୍ବା ତାରବାଡ଼ ଭଙ୍ଗା ହୋଇଛି। ଏଥିରେ ୨୬୩୦ ବର୍ଗଫୁଟ ଅଞ୍ଚଳ ଜବରଦଖଲ ମୁକ୍ତ ହୋଇଛି।

ଆଜି ଏହି ଅଞ୍ଚଳର ଆଂଶିକ ଉଚ୍ଛେଦ ହୋଇଥିବା ବେଳେ ଭବିଷ୍ୟତରେ ଅନ୍ୟ ବାକି ରହିଥିବା ସ୍ଥାନ ଜବରଦଖଲ ମୁକ୍ତ କରାଯିବ। ଏହି ଉଚ୍ଛେଦରେ ସ୍ଵତନ୍ତ୍ର ଅଧିକାରୀ (ପ୍ରବର୍ତ୍ତନ) ଦେବରାଜ ସେଠୀଙ୍କ ନେତୃତ୍ୱରେ ଲିଆସନ ଅଫିସର ଶୁଭ୍ରାଂଶୁ ଶେଖର ମହାନ୍ତି, ଭରତପୁର ଥାନା ହାବିଲଦାର କାହ୍ନୁଚରଣ ଭିମରାମ, ୩ ଓ ୪ ନମ୍ବର ଏନଫୋର୍ସମେଣ୍ଟ ସ୍କ୍ଵାଡ ଓ ଦୁଇ ସେକ୍ସନ ପୁଲିସ ସହଯୋଗ କରିଥିଲେ।