ନୀଳାଦ୍ରିବିହାର ହତ୍ୟାକାଣ୍ଡ: କ୍ରାଇମ ସିନ୍‌ ରିକ୍ରିଏସନ୍‌; ଗୋଟି ଗୋଟି କରି ଦେଖାଇଲା ଦିନେଶ

ହତ୍ୟାକାଣ୍ଡ ଉପରୁ ପରଦା ଉଠାଇଲା ପୋଲିସ

ଭୁବନେଶ୍ୱର, ୧୧/୦୨: ଭୁବନେଶ୍ବର ନୀଳାଦ୍ରିବିହାର ସତ୍ୟବ୍ରତ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଦିନେଶକୁ ନେଇ କ୍ରାଇମସିନ୍‌ ରିକ୍ରିଏସନ୍‌ କରିଛି କମିଶନରେଟ ପୋଲିସ। ଯେଉଁ ଘରେ ଛୁରିମାଡ଼ କରିଥିଲା ଗୋଟି ଗୋଟି କରି ପୋଲିସ ଆଗରେ ସବୁ ଦେଖାଇଛି।

ହତ୍ୟାକାଣ୍ଡ ଉପରୁ ପର୍ଦ୍ଦା ଉଠାଇଛି ପୋଲିସ। ତ୍ରିକୋଣୀୟ ପ୍ରେମରୁ ହତ୍ୟା ବୋଲି ସ୍ପଷ୍ଟ କରିଛନ୍ତି ଏସିପି ସୋନାଲ ସିଂ ପରମାର। ବର୍ତ୍ତମାନ ସୁଦ୍ଧା ଦିନେଶ ଏକମାତ୍ର ଅଭିଯୁକ୍ତ, ଆତ୍ମସମର୍ପଣ ପରେ ଗିରଫ ହୋଇଛି ବୋଲି ଏହିପରି କହିଛନ୍ତି।

ଯେଉଁ ଲିଜାଙ୍କୁ ନେଇ ତ୍ରିକୋଣୀୟ ପ୍ରେମ, ତାଙ୍କର ହତ୍ୟାରେ ସମ୍ପୃକ୍ତି ନାହିଁ। ହତ୍ୟାକାଣ୍ଡ ପଛରେ କୌଣସି ଷଡ଼ଯନ୍ତ୍ର ନ ଥିବା ମଧ୍ୟ ସ୍ପଷ୍ଟ ହୋଇଛି। ଗୋଟିଏ ରୁମ୍‌ରେ ଲିଜା ଓ ସତ୍ୟବ୍ରତଙ୍କୁ ପାଇ ଆକ୍ରମଣ କରିଥିଲା ଦିନେଶ। ଲିଜା ବଞ୍ଚାଇବାକୁ ଚେଷ୍ଟା କରିଥିଲେ, ତେଣୁ ତାଙ୍କର ହତ୍ୟାରେ ସମ୍ପୃକ୍ତି ନାହିଁ।

ପୂର୍ବରୁ କିଛି ଦିନ ପାଇଁ ଦିନେଶ ଓ ଲିଜା ଲିଭ୍‌ ଇନ୍‌ରେ ରହୁଥିଲେ। ଏହା ପରେ ଦିନେଶ ତାଙ୍କ ଠାରୁ ଅଲଗା ହୋଇ ଜଗତସିଂହପୁର ଯାଇଥିଲେ। ଘଟଣା ଦିନ ଲିଜା ଦିନେଶଙ୍କ ଫୋନ୍‌ ନ ଉଠାଇବାରୁ ସନ୍ଦେହ କରିଥିଲେ।

ଏହା ପରେ ଦିନେଶ ସିଧା ଲିଜାଙ୍କୁ ରୁମ୍‌କୁ ଆସି ସେମାନଙ୍କୁ ଏକାଠି ଦେଖିବା ପରେ ରାଗରେ ସତ୍ୟବ୍ରତଙ୍କୁ ଆକ୍ରମଣ କରିଥିଲେ। ଯାହା ପରେ ଦିନେଶ ସେଠାରୁ ଫେରାର ସୋଇ ଯାଇଥିଲା। ଲିଜା ଆମ୍ବୁଲାନ୍ସ ଯୋଗେ ସତ୍ୟବ୍ରତଙ୍କୁ ମେଡ଼ିକାଲ ନେଇଥିଲେ। ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।

ଯେଉଁ କାର୍‌ ସତ୍ୟବ୍ରତ ଚଳାଉଥିଲେ ତାହାର ମାଲିକାଣୀ ଏ ଘଟଣା ବିଷୟରେ ଜାଣିବା ପରେ ଗାଡ଼ିକୁ ଆଉ ଏକ ଡ୍ରାଇଭର ଯୋଗେ ନେଇ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। କାର୍ ମାଲିକାଣୀ ଯେଉଁ ଡ୍ରାଇଭରଙ୍କୁ ନିୟୋଜିତ କରିଥିଲେ, ସେ ମଦ ପିଇ ଦୁର୍ଘଟଣା କରିଥିଲେ।

ସୂଚନାଯୋଗ୍ୟ, ଗତ ୮ ତାରିଖ ରାତିରେ ନିଳାଦ୍ରୀ ବିହାରରେ ତ୍ରିକୋଣୀୟ ପ୍ରେମରୁ ଘଟିଥିଲା ଜଘନ୍ୟ ହତ୍ୟାକାଣ୍ଡ। ଦିନେଶ ଓ ଲିଜା ପରସ୍ପର ସହିତ ସମ୍ପର୍କରେ ଥିବା ବେଳେ ଗତ କିଛି ମାସ ଧରି ସେମାନଙ୍କ ମଧ୍ୟରେ ଭଲ ଚାଲୁନଥିଲା। ଉଭୟ ନିଳାଦ୍ରୀ ବିହାରରେ ଏକ ଭଡ଼ା ଘରେ ଏକାଠି ରହୁଥିଲେ ମଧ୍ୟ ଉଭୟଙ୍କ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଥିଲା।

ଏ ସମୟରେ ସତ୍ୟବ୍ରତଙ୍କ ସଂସ୍ପର୍ଶରେ ଆସିଥିଲେ ଲିଜା। ସତ୍ୟବ୍ରତଙ୍କୁ ବାହା ହେବା ପାଇଁ ଚାହିଁଥିଲେ। ଘଟଣା ଦିନ ରାତିରେ ଦିନେଶ ଘରେ ନଥିବା ବେଳେ ସତ୍ୟବ୍ରତ ସେମାନଙ୍କ ରୁମକୁ ଆସିଥିଲେ। ପର ମୁହୂର୍ତ୍ତରେ ଦିନେଶ ସେମାନଙ୍କୁ ଏକାଠି ଦେଖିବା ପରେ ରାଗରେ ସତ୍ୟବ୍ରତଙ୍କୁ ଆକ୍ରମଣ କରିଥିଲା। ଉଭୟ ଧସ୍ତାଧସ୍ତି ହୋଇଥିଲେ।

ସେ ସମୟରେ ଏକ ଛୁରୀରେ ସତ୍ୟବ୍ରତଙ୍କୁ ଆକ୍ରମଣ କରିଥିଲା ଦିନେଶ। ଯାହା ପରେ ଦିନେଶ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିବା ବେଳେ ସତ୍ୟବ୍ରତର ମୃତ୍ୟୁ ହୋଇଥିଲା। ଦିନେଶ ଜଗତସିଂହପୁରରେ ଆତ୍ମଗୋପନ କରିଥିଲା। ୧୦ ତାରିଖ ରାତିରେ ଜଗତସିଂହପୁର ସଦର ଥାନାରେ ଆତ୍ମସମର୍ପଣ କରିଥିଲା। ତା’ପରେ ତାକୁ କମିଶନରେଟ ପୋଲିସର ଏକ ଟିମ୍ ଦ୍ବାରା ଭୁବନେଶ୍ୱର ଅଣା ଯାଇଥିଲା।