ନୂତନ ଶ୍ରମ ସଂହିତାକୁ ଯେଉଁମାନେ ବିରୋଧ କରୁଛନ୍ତି ସେମାନେ ଶ୍ରମିକଙ୍କ ସ୍ୱାର୍ଥ ବିରୋଧୀ: ଅନୀଲ ବିଶ୍ୱାଳ

ନୂତନ ଆଇନ୍ ଶ୍ରମିକମାନଙ୍କର ସାମାଜିକ ନ୍ୟାୟ, ନୂତନ ରୋଜଗାର ସୃଷ୍ଟି ଏବଂ ଆତ୍ମନିର୍ଭର ଭାରତ ଗଠନ ପାଇଁ ଏକ ଦୃଢ଼ ସଂକଳ୍ପ

ଭୁବନେଶ୍ୱର, ୧୨/୦୨: କେନ୍ଦ୍ରରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଆଣିଥିବା ୪ଟିଯାକ ନୂତନ ଶ୍ରମଆଇନ ଶ୍ରମିକମାନଙ୍କର ହିତରେ ଆସିଛି। ଉଭୟ ସଂଗଠିତ ଓ ଅଣସଂଗଠିତ କ୍ଷେତ୍ରରେ ନ୍ୟୁନତମ ଦରମାକୁ ନିଶ୍ଚିନ୍ତ କରିବା, କାର୍ଯ୍ୟସ୍ଥଳରେ ଶ୍ରମିକମାନଙ୍କ ସୁରକ୍ଷାକୁ ନିଶ୍ଚିନ୍ତ କରିବା, ମହିଳାମାନଙ୍କ ପାଇଁ ଆଗରୁ ଥିବା ତାରତମ୍ୟ ହଟାଇ ସେମାନଙ୍କୁ ସମାନ କାମର ସୁଯୋଗକୁ ନିଶ୍ଚିନ୍ତ କରିବା ଏବଂ ଶ୍ରମିକମାନଙ୍କର ସାମାଜିକ ସୁରକ୍ଷା ଯଥା ଭବିଷ୍ୟନିଧି ପାଣ୍ଠି, ସ୍ୱାସ୍ଥ୍ୟ ସୁରକ୍ଷା ଏବଂ ପଞ୍ଜିକୃତକୁ ବାଧ୍ୟତାମୂଳକ କରିବା ଭଳି ଶ୍ରମିକମାନଙ୍କ ହୀତରେ ଅନେକ ଐତିହାସିକ ନିଷ୍ପତି ନୂତନ ଲେବରକୋର୍ଡରେ ଆସିଛି। ପୂର୍ବରୁ ବିଟ୍ରିଶ ଅମଳରୁ ଚାଲିଆସିଥିବା ଶ୍ରମିକ ଆଇନକୁ ହଟାଇ ଦିଆଯାଇ, ୨୯ଟି ଜଟିଳ ଆଇନ ବଦଳରେ ଏବେ ୪ଟି ସରଳ ଆଇନ୍ ଅଣାଯାଇଛି। ସାରା ଦେଶରେ ଶ୍ରମିକ ଓ ଶ୍ରମିକ ସଂଗଠନମାନେ ଏହାକୁ ସ୍ୱାଗତ କରୁଥିବାବେଳେ କିଛି ହାତଗଣତି ତଥାକଥିତ ଆନ୍ଦୋଳନଜୀବୀ ଶ୍ରମିକ ସଂଗଠନମାନେ ଏହାକୁ ବିରୋଧ କରୁଛନ୍ତି। ଯେଉଁମାନେ ଦୀର୍ଘଦିନ ଧରି ଶ୍ରମିକମାନଙ୍କ ନାଁରେ ରାଜନୀତି କରି ନିଜର ରୋଜଗାର ଚଲେଇ ଆସୁଥିଲେ, ସେମାନେ ଆଜି ନୂତନ ୪ଟି ଶ୍ରମିକ କୋର୍ଡକୁ ବିରୋଧ କରି ଭାରତ ବନ୍ଦ ଡାକରା ଦେଇ ସାଧାରଣ ଲୋକଙ୍କୁ ହଇରାଣ କରୁଛନ୍ତି। ସେମାନଙ୍କୁ ଓଡ଼ିଶାର ଦୁଇ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ସମର୍ଥନ କରିବା ଦୁର୍ଭାଗ୍ୟଜନକ। ଓଡ଼ିଶାରେ ଏହି ଭାରତ ବନ୍ଦକୁ ଲୋକମାନେ ପ୍ରତ୍ୟାଖାନ କରିଛନ୍ତି ବୋଲି ରାଜ୍ୟ ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳ କହିଛନ୍ତି।

ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, ନୂତନ ଶ୍ରମ ସଂହିତା କେବଳ ଏକ ନୀତିରେ ପରବର୍ତନ ନୁହେଁ ବରଂ ଶ୍ରମିକମାନଙ୍କର ସାମାଜିକ ନ୍ୟାୟ, ଶ୍ରମିକମାନଙ୍କ ପାଇଁ ନୂତନ ରୋଜଗାର ସୃଷ୍ଟି ଏବଂ ଆତ୍ମନିର୍ଭର ଭାରତ ଗଠନ ପାଇଁ ଏକ ଦୃଢ଼ ସଂକଳ୍ପ। ପୂରୁଣା ଆଇନ କାରଣରୁ ଅସଂଗଠିତ କ୍ଷେତ୍ରରେ ଶ୍ରମିକମାନେ ସାମାଜିକ ସୁରକ୍ଷା ଓ ସୁବିଧାରୁ ବଂଚିତ ହେଉଥିଲେ। ସେହିଭଳି ଅନ୍‌ଲାଇନ୍ ଆପ୍‌ରେ କାମ କରୁଥିବା ଶ୍ରମିକମାନଙ୍କ ପାଇଁ ପୂରୁଣା ଆଇନ୍‌ରେ କୌଣସି ବ୍ୟବସ୍ଥା ନ ଥିଲା। ପୂରୁଣା ଆଇନରେ ମହିଳାମାନଙ୍କ ପାଇଁ ଅନେକ ପ୍ରତିବନ୍ଧକ ଥିଲା, ଯାହାକୁ ଏହି ନୂତନ ଆଇନ୍‌ରେ ହଟେଇ ଦିଆଯାଇଛି। ସେହିଭଳି ଅସଂଗଠିତ କ୍ଷେତ୍ର ଓ ଅନ୍‌ଲାଇନ୍ ଆପ୍ ଶ୍ରମିକମାନଙ୍କ ଅଧିକାରକୁ ମଧ୍ୟ ନୂତନ ଆଇନ୍‌ରେ ନିଶ୍ଚିନ୍ତ କରାଯାଇଛି। ଏଭଳି ଉପଯୁକ୍ତ ସଂସ୍କାରକୁ ବିଜେଡି ଓ କଂଗ୍ରେସ ଭଳି ରାଜନୈତିକ ଦଳ ବିରୋଧ କରିବା ସେମାନଙ୍କ ରାଜନୈତିକ ଦେବାଳିଆକୁ ପ୍ରମାଣିତ କରୁଛି।

ଯେଉଁମାନେ ଦଶନ୍ଧି ଦଶନ୍ଧି ଧରି କ୍ଷମତାରେ ଥିଲାବେଳେ ଶ୍ରମିକମାନଙ୍କୁ କେବଳ ରାଜନୈତିକ ଟୁଲ୍‌କିଟ୍ ଭାବରେ ବ୍ୟବହାର କରିଆସୁଥିଲେ ସେମାନେ ଆଜି ଭଲ ନିୟମକୁ ବିରୋଧ କରିବା ଦୁର୍ଭାଗ୍ୟଜନକ। ଆଜି ରାସ୍ତାରେ ଆନ୍ଦୋଳନ କରୁଥିବା ସଂଗଠନମାନଙ୍କର ରାଜନୈତିକ ଦଳ ଯେତେବେଳେ ପଶ୍ଚିମବଙ୍ଗରେ କ୍ଷମତାରେ ଥିଲେ ସେହି ସମୟରେ ପଶ୍ଚିମବଙ୍ଗରେ ସେମାନଙ୍କ ରାଜନୀତି ପାଇଁ ହଜାର ହଜାର କଳକାରଖାନାରେ ତାଲା ଝୁଲିଲା। ଶ୍ରମିକମାନେ ସର୍ବସ୍ୱ ହରାଇଲେ କିନ୍ତୁ ସେହି ସଂଗଠନମାନେ ନେତାଗିରି କରିବା ସହ ବିଧାୟକ, ସାଂସଦ ହୋଇ କ୍ଷମତା ଉପଭୋଗ କଲେ। ସେହି ସଂଗଠନମାନେ ଶ୍ରମିକମାନଙ୍କ ହିତ ନୁହଁ ବରଂ ରାଜନୈତିକ ସ୍ୱାର୍ଥ ସୁରକ୍ଷା ହିଁ ସେମାନଙ୍କର ପ୍ରଧାନ ଉଦ୍ଦେଶ୍ୟ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି।