‘ଭାରତ ବୋଧନ ଏଆଇ କନକ୍ଳେଭ’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

• ଓଡ଼ିଆ ଯୁବକଙ୍କ ଦ୍ଵାରା ପ୍ରସ୍ତୁତ ଏଆଇର ଉଦାହରଣ ଦେଲେ • ଆଇଆଇଟି ବମ୍ବେ ଏବଂ ଆମେରିକାର କଲମ୍ବିଆ ୟୁନିଭରସିଟି ମଧ୍ୟରେ ବୁଝାମଣା ପତ୍ର

ଶିକ୍ଷା ପକ୍ରିୟାକୁ ସହଜ କରିବ “ବୋଧନ ଏଆଇ”: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ, ୧୨/୦୨: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ ଠାରେ ଆୟୋଜିତ ‘ଭାରତ ବୋଧନ ଏଆଇ କନକ୍ଲେଭ’ରେ ଯୋଗଦେଇ ଶିକ୍ଷା ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତର ସାମର୍ଥ୍ୟ ଉପରେ ଆଲୋକପାତ କରିଛନ୍ତି। ଭାରତକୁ ଏକ ‘ଏଆଇ ଲିଡର’ ଦେଶ ଭାବେ ଗଢିତୋଳିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ସଂକଳ୍ପକୁ ଦୋହରାଇ ସେ ଶିକ୍ଷା କ୍ଷେତ୍ରରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ବ୍ୟାପକ ବ୍ୟବହାର ଉପରେ ଗୁରୁତ୍ୱାରୋପ କରିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଶିକ୍ଷା ପ୍ରକ୍ରିୟାକୁ ସହଜ ଓ ପ୍ରଭାବଶାଳୀ କରିବା ପାଇଁ ‘ବୋଧନ ଏଆଇ’ର ଶୁଭାରମ୍ଭ କରାଯାଇଛି। ଏହା ଶିକ୍ଷକମାନଙ୍କୁ ସହାୟତା କରିବା ସହ ଛାତ୍ରଛାତ୍ରୀଙ୍କୁ ବ୍ୟକ୍ତିଗତ ଶିକ୍ଷା ପ୍ରଦାନରେ ସହାୟକ ହେବ। ଏଆଇ କେବଳ ଇଂରାଜୀ ଭାଷାରେ ସୀମିତ ନ ରହି ଭାରତୀୟ ଭାଷାଗୁଡ଼ିକରେ ଉପଲବ୍ଧ ହେବା ଉଚିତ୍। ଏହା ଦ୍ୱାରା ଗ୍ରାମାଞ୍ଚଳର ଶେଷ ଧାଡ଼ିର ବିଦ୍ୟାର୍ଥୀ ମଧ୍ୟ ନିଜ ମାତୃଭାଷାରେ ଜଟିଳ ବିଷୟଗୁଡ଼ିକୁ ସହଜରେ ବୁଝିପାରିବେ। ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀ ଭାରତକୁ ‘ ଏଆଇ -ପ୍ରସ୍ତୁତ’ କରିବା ପାଇଁ ଆହ୍ୱାନ ଦେଇଛନ୍ତି। ସେ ମଧ୍ୟ ନୈତିକ, ଦାୟିତ୍ୱସମ୍ପନ୍ନ ଏବଂ ସମାବେଶୀ ଏଆଇ ର ବିକାଶ ତଥା ପ୍ରୟୋଗ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଭାରତର ଏଆଇ ନିଜସ୍ୱ ଶୈଳୀରେ ସମାବେଶୀ, ସଂରଚନାରେ ପରସ୍ପର ସହଯୋଗୀ ଏବଂ ସାମର୍ଥ୍ୟରେ ସାର୍ବଭୌମ ହେବ। ଛାତ୍ରଛାତ୍ରୀମାନଙ୍କୁ ସଶକ୍ତ କରିବା ଏବଂ ଶିକ୍ଷକମାନଙ୍କୁ ସହାୟତା କରିବା ପାଇଁ ଆମକୁ ଶିକ୍ଷା କ୍ଷେତ୍ରରେ ଏଆଇ କୁ ସାମିଲ କରିବାକୁ ହେବ। ଶିକ୍ଷାର ରୂପାନ୍ତରଣ ଏବଂ ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବା ପାଇଁ ମୁଁ ସମସ୍ତ ଅଂଶୀଦାରମାନଙ୍କୁ ମାପଯୋଗ୍ୟ ଦାୟିତ୍ୱସମ୍ପନ୍ନ, ନୈତିକ, ସମାବେଶୀ ଏବଂ ଭାରତ-କେନ୍ଦ୍ରିତ ସାର୍ବଭୌମ ଏଆଇ ମଡେଲ୍ ପ୍ରସ୍ତୁତ କରିବାକୁ ଆହ୍ୱାନ ଦେଇଛନ୍ତି।

ଆଇଆଇଟି ବମ୍ବେ ଏବଂ ଆମେରିକାର କଲମ୍ବିଆ ୟୁନିଭରସିଟି ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହା ମାଧ୍ୟମରେ ମାନୁଫାକଚରିଂ କ୍ଷେତ୍ରରେ ଏଆଇର ବ୍ୟବହାର ପାଇଁ ଏକ ଯୁଗ୍ମ ଗବେଷଣା କେନ୍ଦ୍ର ସ୍ଥାପନ କରାଯିବ। ଏଆଇ ମାଧ୍ୟମରେ ଶିକ୍ଷକମାନଙ୍କ ଦକ୍ଷତା ବୃଦ୍ଧି ଓ ନୂତନ ପାଠ୍ୟକ୍ରମର ସରଳିକରଣ ପାଇଁ ମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଆଗାମୀ ଦିନରେ ଦେଶର ୩୦ କୋଟି ଛାତ୍ରଛାତ୍ରୀ ଓ କୋଟି କୋଟି ଶିକ୍ଷକଙ୍କ ପାଇଁ ଏକ ଡିଜିଟାଲ୍ ପବ୍ଲିକ ଇନଫ୍ରାଷ୍ଟ୍ରକଚର ନିର୍ମାଣ କରିବା ସରକାରଙ୍କ ଲକ୍ଷ୍ୟ । ସେ ଆହୁରି କହିଛନ୍ତି ଯେ ୨୦୩୫ ସୁଦ୍ଧା ଭାରତର ଅର୍ଥନୀତିରେ ଏଆଇର ଅବଦାନ ୧.୭ ଟ୍ରିଲିୟନ ଡଲାରରେ ପହଞ୍ଚିବାର ସମ୍ଭାବନା ରହିଛି। ଏଆଇ କେବଳ ଏକ ଟେକ୍ନୋଲୋଜି ନୁହେଁ, ବରଂ ଏହା ଭାରତର ‘ଆସ୍ପିରେସନାଲ୍ ଇଣ୍ଡିଆ’ ବା ମାନବୀୟ ସମ୍ବଳର ଆକାଂକ୍ଷାକୁ ପୂରଣ କରିବା ପାଇଁ ଏକ ଶକ୍ତିଶାଳୀ ମାଧ୍ୟମ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ ।

ଏହି ଅବସରରେ ସେ ଓଡ଼ିଶାର ଜଣେ ଯୁବକଙ୍କ ଦ୍ୱାରା ପ୍ରସ୍ତୁତ ‘ଭତ୍ରୀ’ (ଟ୍ରାଇବାଲ ଲାଙ୍ଗୁଏଜ୍) ଏଆଇ ମଡେଲର ଉଦାହରଣ ଦେଇ ଦେଶର ପ୍ରତିଭାକୁ ପ୍ରଶଂସା କରିଛନ୍ତି।