ପ୍ରଭାତ ବିଶ୍ୱାଳ ବିଜେଡ଼ିରୁ ବିଦା

ବିଜେଡ଼ିର ୮୦୦ କୋଟିରୁ କର୍ମୀ ଭାବେ ଭାଗ ରହିଛି: ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଲେ ପ୍ରଭାତ

ଭୁବନେଶ୍ୱର, ୨୮/୦୨: ବିଜେଡିରୁ ବହିଷ୍କୃତ ହେଲେ ପ୍ରଭାତ ବିଶ୍ବାଳ। ବିଶୃଙ୍ଖଳା ଓ ଦଳ ବିରୋଧୀ କାର୍ଯ୍ୟ ପାଇଁ ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଦଳରୁ ବହିଷ୍କାର କରିଛନ୍ତି।

ବିଜେଡିରୁ ବହିଷ୍କାର ପରେ ପ୍ରତିକ୍ରିୟା ରଖିଛନ୍ତି ପ୍ରଭାତ ବିଶ୍ବାଳ। କହିଛନ୍ତି, ବିଜେଡି ପାଇଁ ବହୁ ପରିଶ୍ରମ ହୋଇଛି। ବିଜେଡିର ଆକାଉଣ୍ଟ ବାହାର ରାଜ୍ୟରେ ଖୋଲିବା ଗ୍ରହଣୀୟ ନୁହେଁ। ପାର୍ଟିର ଅଜାଣତରେ ବାହାର ରାଜ୍ୟରେ ଖୋଲିଲେ ବରଦାସ୍ତ କରାଯିବନି। ସେଥିପାଇଁ ମୁଁ ରିଆକ୍ଟ କରିଛି। ମୋତେ ଯେଉଁମାନେ ବହିଷ୍କାର କରିଛନ୍ତି ସେମାନେ ରାତି ଅନିଦ୍ରା ହୋଇନାହାନ୍ତି। ମୁଁ ରାତି ଅନିଦ୍ରା କଷ୍ଟ ପାଇଥିବାରୁ ନବୀନ ନିବାସ ଯାଇଥିଲି। ବିଜୁ ଜନତା ଦଳର ୧୮୮ କୋଟି ଟଙ୍କା ଅଛି। ସେମାନେ ଦସ୍ତଖତ କରି ପ୍ରାର୍ଥୀ ହେବା କିପରି ସମ୍ଭବ। ସମୟ ଆସିଗଲା, ସତ୍ୟ ପ୍ରକାଶିତ ହେବ। ଯେଉଁ ୮୦୦ କୋଟି ଟଙ୍କା ଅଛି, କର୍ମୀ ଭାବେ ଆମର ଭାଗ ରହିଛି।

ସୂଚନାଯୋଗ୍ୟ, ଆଜି ବିଜେଡ଼ିର ରାଜ୍ୟସଭା ପ୍ରାର୍ଥୀ ଘୋଷଣା ହେବା ପରେ ଅସନ୍ତୋଷ ଛାଡିଥିଲେ ଦଳର ବରିଷ୍ଠ ନେତା ପ୍ରଭାତ ବିଶ୍ୱାଳ। ସତୃପ୍ତ ମିଶ୍ରଙ୍କୁ ରାଜ୍ୟସଭା ପ୍ରାର୍ଥୀ ଘୋଷଣା ପରେ ବିଜେଡି ସୁପ୍ରିମୋଙ୍କ ଉପରେ ନିଜ ଅସନ୍ତୋଷ ଝାଡ଼ିଥିଲେ ପ୍ରଭାତ ବିଶ୍ବାଳ। ଗଣମାଧ୍ୟମ ସମ୍ମୁଖରେ କ୍ଷୋଭ ପ୍ରକାଶ କରିଥିଲେ ପ୍ରଭାତ।

ଯାହାଙ୍କୁ ଦିଆଯାଇଛି ସେ ଦଳ ପାଇଁ କିଛି କରିନାହାଁନ୍ତି ବୋଲି କହିଥିଲେ। ନବୀନଙ୍କ ସହ ଏହାକୁ ନେଇ ପ୍ରଭାତଙ୍କ ଉଚ୍ଚବାଚ ହୋଇଥିବା ସୂଚନା ମିଳିଛି। ସନ୍ତୃପ୍ତ ମିଶ୍ରଙ୍କୁ ଟାର୍ଗେଟ କରି କହିଥିଲେ ଯେ, ୪ ହଜାର କୋଟି ଯିଏ ନେଇ ଯାଇଛି ତାକୁ ଦିଆଗଲା ଟିକେଟ୍‌। ୪ ହଜାର କୋଟି କିଏ ନେଇଛି ଆପଣମାନେ ଖୋଜନ୍ତୁ। ଦଳ ମୋର ବହୁ କ୍ଷତି କରିଛି, ମୁଁ କିନ୍ତୁ ଦଳର କ୍ଷତି କରି ନାହିଁ। ୨୦୧୨ ମସିହାରୁ ଦୁଃଖ ଅଛି। ଦଳ ପାଇଁ ଘର, ଦ୍ୱାର, ସମ୍ପତ୍ତି ବାଡ଼ି ସବୁ ଦେଇ ଦେଇଛି। ଦଳ ପାଇଁ ମଧ୍ୟ ବହୁତ ପରିଶ୍ରମ କରିଛି। ଆପଣ ଯାହା ନାଁ କହିବେ ସେମାନେ ଦଳ ପାଇଁ ପରିଶ୍ରମ କରି ନାହାନ୍ତି, ରାତି ଅନିଦ୍ରା ହୋଇ ନାହାନ୍ତି। ପାଣ୍ଡିଆନ୍ ଓ ସୁଜାତା ଦଳ ପାଇଁ କରିଛନ୍ତି। ନବୀନ ବାବୁ ଆଲୋଚନା କରନ୍ତୁ ବୋଲି ଲିଖିତ ଆକାରରେ ଜଣାଇବି। ଯଦି ଆଲୋଚନା ନ କରିବେ ତେବେ ଦଳଠାରୁ ଦୁରେଇ ଯିବି ବୋଲି କହିଥିଲେ।