ବିଜୁ ବାବୁଙ୍କ ପ୍ରତି ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟକୁ ଦୃଢ଼ ନିନ୍ଦା କଲେ ପୂର୍ବତନ ସାଂସଦ ଶ୍ରୀକାନ୍ତ ଜେନା
‘ଜବାହରଲାଲ ନେହେରୁ ଓ ବିଜୁ ପଟ୍ଟନାୟକଙ୍କ ବିରୁଦ୍ଧରେ ଲଗାଯାଇଥିବା ଅଭିଯୋଗ ଭିତ୍ତିହୀନ ଓ ନିନ୍ଦନୀୟ’
ଭୁବନେଶ୍ୱର, ୩୦/୦୩: ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ପଟ୍ଟନାୟକଙ୍କ ପ୍ରତି ଅପମାନଜନକ ମନ୍ତବ୍ୟକୁ ନେଇ ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି ହୋଇଛି। ବିଜେଡ଼ି ନେତାଙ୍କ ଠାରୁ ଆରମ୍ଭ କରି ବିଜେପି ନେତାମାନେ ମଧ୍ୟ ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟକୁ ଦୃଢ଼ ନିନ୍ଦା କରୁଛନ୍ତି। ନିଃସର୍ତ୍ତ ସାର୍ବଜନୀନ କ୍ଷମାପ୍ରାର୍ଥନା ପାଇଁ ମଧ୍ୟ ଦାବି କରିଛନ୍ତି।
ସାଂସଦ ଦୁବେଙ୍କ ମନ୍ତବ୍ୟକୁ କଡ଼ା ନିନ୍ଦା କରିଛନ୍ତି ପୂର୍ବତନ କଂଗ୍ରେସ ସାଂସଦ ଶ୍ରୀକାନ୍ତ ଜେନା।
ଶ୍ରୀଯୁକ୍ତ ଜେନା କହିଛନ୍ତି, “ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ଦ୍ୱାରା ଜବାହରଲାଲ ନେହେରୁ ଏବଂ ବିଜୁ ପଟ୍ଟନାୟକଙ୍କ ଭଳି ପ୍ରଖର ନେତାଙ୍କ ବିରୁଦ୍ଧରେ ଲଗାଯାଇଥିବା ଅଭିଯୋଗ ଭିତ୍ତିହୀନ। ଏହା ଅତ୍ୟନ୍ତ ନିନ୍ଦନୀୟ। ସବୁଠୁ ବେଶୀ ଉଦବେଗଜନକ ବିଷୟ ଯେ, ଏସବୁ ଅଭିଯୋଗ ସେହି ଲୋକମାନେ ଲଗାଉଛନ୍ତି ଯାହାଙ୍କର ସ୍ୱାଧୀନତା ସଂଗ୍ରାମ ଏବଂ ରାଷ୍ଟ୍ର ନିର୍ମାଣରେ କୌଣସି ଅବଦାନ ନାହିଁ। ସେମାନେ ଦୂରଦୃଷ୍ଟିସମ୍ପନ୍ନ, ଧର୍ମନିରପେକ୍ଷ ଏବଂ ପ୍ରଗତିଶୀଳ ନେତାମାନଙ୍କୁ ଟାର୍ଗେଟ କରିବାକୁ ପସନ୍ଦ କରନ୍ତି, ଯେଉଁମାନେ ଆଧୁନିକ ଭାରତ ଗଠନ ପାଇଁ ନିଜ ଜୀବନ ଉତ୍ସର୍ଗ କରିଥିଲେ।”