ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟ; ହୁଲସ୍ତୁଲ ବିଧାନସଭା

ନିଶିକାନ୍ତଙ୍କ ମନ୍ତବ୍ୟ ଅଗ୍ରହଣୀୟ: ଆଇନ ମନ୍ତ୍ରୀ

ଭୁବନେଶ୍ୱର, ୩୧/୦୩: ବିଜୁ ପଟ୍ଟନାୟକଙ୍କ ପ୍ରତି ସାଂସଦ ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟକୁ ନେଇ ଉଠୁଛି ପଡୁଛି ରାଜ୍ୟ ରାଜନୀତି। ବିରୋଧୀ ଶାସକ ଉଭୟ ଦଳ ଦୃଢ଼ ନିନ୍ଦା କରିଛନ୍ତି ତାଙ୍କ ମନ୍ତବ୍ୟକୁ। ଏଥିସହ ନିଶିକାନ୍ତ ଦୁହେଁ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ମଧ୍ୟ ଦାବି କରିଛନ୍ତି। ଏ ପ୍ରସଙ୍ଗକୁ ନେଇ ଆଜି ଗୃହ ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ପ୍ରଶ୍ନକାଳ ଆରମ୍ଭରୁ ବିଜେଡି ଓ କଂଗ୍ରେସ ବିଧାୟକ ହଙ୍ଗାମା କରିଥିଲେ। ବାଚସ୍ପତିଙ୍କ ପୋଡିଅମ ତଳେ ସିପିଏମ୍‌ ବିଧାୟକ ପ୍ରତିବାଦ କରିଥିଲେ।

ଅନ୍ୟପଟେ ନିଶିକାନ୍ତଙ୍କ ମନ୍ତବ୍ୟକୁ ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖି କହିଛନ୍ତି, ସାଂସଦ ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟ ସରକାରଙ୍କ ସଜ୍ଞାନକୁ ଆସିଛି। ଦୁବେଙ୍କ ମନ୍ତବ୍ୟ ତାଙ୍କ ବ୍ୟକ୍ତିଗତ ମତ। ଏଭଳି ଏକ ମନ୍ତବ୍ୟ ଅପରିମାଣଦର୍ଶୀ ମନ୍ତବ୍ୟ, କୌଣସି ମତେ ଗ୍ରହଣୀୟ ନୁହେଁ। ମନ୍ତବ୍ୟ ମୁଖ୍ୟମନ୍ତ୍ରୀଙ୍କଠୁ ନେଇ ଆମ ସଭିଙ୍କୁ ଗଭୀର ଭାବେ ବ୍ୟଥିତ କରିଛି। ଏପରି ମନ୍ତବ୍ୟ କେହି ନ ଦେବେ ସେଥିପାଇଁ ଆମେ ନିବେଦନ କରୁଛୁ। ଏହାକୁ ନେଇ କୌଣସି ରାଜନୀତି କରିବା ବିଜୁଙ୍କ ସମ୍ମାନ ପ୍ରତି ଆଘାତ ଦେବ।