ଝାରସୁଗୁଡା କ୍ରୀଡା ସଂଘ ଜମିରୁ ମାଟି ଚୋରି ଓ ପାଉଁଶ ପୋତା ମାମଲା: ଜିଲ୍ଲା ସ୍ତରୀୟ ତଦନ୍ତ ସମୟରେ ସାଂଘାତିକ ଖୁଲାସା

ସନ୍ଦେହ ଘେରରେ ସଂଘ କାର୍ଯ୍ୟକାରୀ ସଭାପତି

ଝାରସୁଗୁଡା, ୩୧/୦୩: ଜିଲ୍ଲା କ୍ରୀଡ଼ା ସଙ୍ଘ ଅଧିନରେ ଥିବା ସରକାରୀ ଜମି ରେ ବେଆଇନ୍ ମାଟି ଖନନ ଓ ବିନା ଅନୁମତି ରେ ମାଟି ବିକ୍ରୀ କରାଯାଇ ବିପଜ୍ଜନକ ଫ୍ଲାଇ ଆଶ ଡମ୍ପିଙ୍ଗ ଘଟଣାରେ ପ୍ରଶାସନିକ ତଦନ୍ତ ଶେଷ ହୋଇଛି। ଏହି କମିଟି ରେ ଉପ ଜିଲ୍ଲପାଳ, ଝାରସୁଗୁଡା ତହସିଲଦାର, ପ୍ରଦୂଷଣ ଵିଭାଗ ଅଧିକାରୀ, ଜିଲ୍ଲା ଖଣି ଅଧିକାରୀ, ଜିଲ୍ଲା କ୍ରୀଡ଼ା ଅଧିକାରୀ, ଓ ଆଡିସନାଲ ଏସପି ସାମିଲ୍ ଥିଲେ।

ତଦନ୍ତ ରିପୋର୍ଟ୍ ରେ ଏହି ବହୁ ଚର୍ଚ୍ଚିତ ବେଆଇନ୍ କାରବାର ରେ ଜିଲ୍ଲା ଏଥଲେଟିକ୍ସ ଏସୋସିଏସନ୍‌ (ଡିଏଏ)ର କିଛି କର୍ମକର୍ତ୍ତାଙ୍କ ଜଡିତ ଥିବା ସନ୍ଦେହ ସ୍ପଷ୍ଟ ହୋଇଛି। ଏନେଇ ଗଠିତ ଜିଲ୍ଲାସ୍ତରୀୟ ତଦନ୍ତ କମିଟି ତାଙ୍କ ରିପୋର୍ଟରେ ଅନେକ ଗୁରୁତର ଅନିୟମିତତାକୁ ଉଜାଗର କରିଛି।

ସୂଚନା ଯୋଗ୍ୟ ଯେ, ଜିଲ୍ଲା କ୍ରୀଡ଼ା ସଙ୍ଘ ର ଚାରିଜଣ ବରିଷ୍ଠ କର୍ମ କର୍ତ୍ତା ଆଇନଜୀବୀ ମାନସ ସିହ୍ନା, ମଙ୍ଗଳ ଓରାମ, ଦିଲେଶ୍ୱର୍ ରାଓ ଓ କ୍ଲେମେଣ୍ଟ ରୋନାଲ୍ଡ କ୍ରିଡ଼ା ସଂଘ ଜମିରୁ ବିପୁଳ ପରିମାଣର ମାଟି ଚୋରି ଓ ବେଆଇନ୍ ବିଷାକ୍ତ ପାଉଁଶ ପୋତା ଯାଇଥିବା ଅଭିଯୋଗ କରିଥଲେ। କ୍ରିଡ଼ା ସଂଘ ର ତତ୍କାଳୀନ ସଂପାଦକ ଓ ବର୍ତମାନର କାର୍ଯ୍ୟକାରୀ ସଭାପତି ତାପସ ରାୟ ଚୌଧୁରୀ ଙ୍କ ଏହି ବେଆଇନ୍ କାମ କରି ବହୁ କୋଟି ଟଙ୍କା ହାତେଇଥିବା ସମ୍ବନ୍ଧ ରେ ଲିଖିତ ଅଭିଯୋଗ କରିଥିଲେ।

ଜିଲ୍ଲା କ୍ରୀଡ଼ା ସଙ୍ଘର ଏକ୍ସଅଫିଶିଓ ସଭାପତି ଖୋଦ୍ ଜିଲ୍ଲାପାଳ ରହି ଥିବା ବେଳେ ସଂପାଦକ ତାପସ ରାୟ ଚୌଧୁରୀ ସଂଘର ଦୈନନ୍ଦିନ କାର୍ଯ୍ୟକ୍ରମ ଦାୟିତ୍ବ ରେ ଥିଲେ।

ଏହା ଏକ ଗୁରୁତର ଅଭିଯୋଗ ହୋଇଥିବା କାରଣରୁ ବର୍ତମାନ ର ଜିଲ୍ଲପାଳ କୁନାଲ ମୋତିରାମ୍ ଚହ୍ୱାଣ ଏହାର ଜିଲ୍ଲା ସ୍ତରୀୟ ତଦନ୍ତ ନିର୍ଦେଶ ଦେଇଥିଲେ।

ଅତିରିକ୍ତ ଜିଲ୍ଲା ମେଜିଷ୍ଟ୍ରେଟ୍‌ (ରେଭେନ୍ୟୁ)ଙ୍କ ନେତୃତ୍ୱରେ ହୋଇଥିବା ଏହି ତଦନ୍ତ ଜାନୁଆରୀରେ ଆରମ୍ଭ ହୋଇଥିଲା। ପ୍ରଶାସନ, ପ୍ରଦୂଷଣ ଵିଭାଗ, ପୋଲିସ ଓ କ୍ରୀଡା ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଗଠିତ କମିଟି ଫେବୃଆରୀ ମାସରେ ଘଟଣା ସ୍ଥଳ ପରିଦର୍ଶନ ସହ ଶୁଣାଣି କରିଥିଲା।

ଫେବୃଆରୀ ୨୪ ତାରିଖରେ ଘଟଣା ସ୍ଥଳ ଯାଞ୍ଚ ସମୟରେ ଜମିର ବ୍ୟାପକ କ୍ଷତି ଓ ଅନୁମାନ ଠାରୁ ଅଧିକ ଖଣିଜ (ମାଟି) ଚୋରି ହୋଇଥିବା ଦେଖାଯାଇଥିଲା। ଏହା ସହିତ ବିପୁଳ ପରିମାଣରେ ଫ୍ଲାଇ ଆଶ ଡମ୍ପିଙ୍ଗ ହୋଇଥିବା ମଧ୍ୟ ସ୍ପଷ୍ଟ ହୋଇଛି। କମିଟି ଅନୁସାରେ, ଏହାର ଆର୍ଥିକ ମୂଲ୍ୟ ପ୍ରଥମେ ଅନୁମାନ କରାଯାଇଥିବା ୧ କୋଟି ଟଙ୍କା ଠାରୁ ଢ଼େର୍ ଅଧିକ ହୋଇପାରେ।

ଫେବୃଆରୀ ୨୫ ଓ ୨୭ ତାରିଖରେ ହୋଇଥିବା ଶୁଣାଣିରେ ଅଭିଯୋଗକାରୀମାନେ ତତ୍କାଳୀନ କ୍ରିଡ଼ା ସଂଘ ସଂପାଦକ ତଥା ବର୍ତମାନ ର ସଙ୍ଘ କାର୍ଯ୍ୟକାରୀ ସଭାପତି ତାପସ ରାୟ ଚୌଧୁରୀ ପୂର୍ବତନ କର୍ମକର୍ତ୍ତାମାନଙ୍କ ସହ କିଛି ବ୍ୟକ୍ତିଙ୍କୁ ଅଭିଯୁକ୍ତ କରିଥିଲେ ଓ ଡିଜିଟାଲ ପ୍ରମାଣ ଦାଖଲ କରିଥିଲେ।

ତତ୍କାଳୀନ ସମ୍ପାଦକ ତଥା ବର୍ତ୍ତମାନ କ୍ରୀଡା ସଂଘ କର୍ଯ୍ୟକାରୀ ସଭାପତି ତାପସ ରାୟ ଚୌଧୁରୀ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଥିଲେ l ମାତ୍ର କମିଟି ତଦନ୍ତ ସମୟରେ ବେଆଇନ୍ କାରବାର ର ପ୍ରମାଣ ପାଇଥିଲା । ୨୦୨୫ ଜାନୁଆରୀର ସଙ୍ଘ ର ସାଧାରଣ ସଭାର ମିନିଟ୍‌ସରେ ଖେଳ ପଡିଆ ଉନ୍ନତି ର “୯୦ ପ୍ରତିଶତ କାମ ସମାପ୍ତ” ଉଲ୍ଲେଖ ଥିବାରୁ ଏହି ବେଆଇନ୍ କାର୍ଯ୍ୟ ରେ ସଂଘ ସଂପାଦକ ଙ୍କ ସକ୍ରିୟ ଭୂମିକା ସନ୍ଦେହ ଘନୀଭୂତ ହୋଇଛି ବୋଲି ତଦନ୍ତ ରିପୋର୍ଟ କହୁଛି l

ଡିଏଏର ସମସ୍ତ ଦୈନନ୍ଦିନ କାର୍ଯ୍ୟଭାର ସଂପାଦକଙ୍କ ଦାୟିତ୍ୱ ରେ ଥିବାରୁ ସଂଘର ସଂପାଦକ ତାପସ ରାୟ ଚୌଧୁରୀଙ୍କ ଭୂମିକା ସନ୍ଦେହଜନକ ବୋଲି ତଦନ୍ତରେ ଉଲ୍ଲେଖ ହୋଇଛି। କମିଟି ତାଙ୍କ ଭୂମିକାକୁ ଗୁରୁତ୍ୱ ସହ ଗ୍ରହଣ କରିବାକୁ ଇଙ୍ଗିତ କରିଛି।

ମାର୍ଚ୍ଚ ୧୯ରେ କରାଯାଇଥିବା ଆର୍ଥିକ ଅଡିଟ୍‌ରେ ନିର୍ଦ୍ଦିଷ୍ଟ ୨ ଲକ୍ଷ ଟଙ୍କାର ଲେନଦେନ ସମ୍ବନ୍ଧୀୟ ପ୍ରମାଣ ମିଳିନଥିଲେ ମଧ୍ୟ, ଏହି ଟଙ୍କା କେଉଁଠାରୁ ଆସିଲା ଓ କହିଁକି ଆସିଲା କିଏ ଦେଲା ସେ ସମ୍ବନ୍ଧରେ ସଙ୍ଘ ରେଜିଷ୍ଟର ରେ କୌଣସି ମତ ଓ ମନ୍ତବ୍ୟ ଉଲ୍ଳେଖ ନାହିଁ। ଏଣୁ ଅପ୍ରକାଶିତ ଅର୍ଥିକ କାରବାରରେ ଏକ ବଡ଼ ଧରଣର ଷଡ଼ଯନ୍ତ୍ର ଥିବା ସନ୍ଦେହ ଉଠିଛି ।

ତଦନ୍ତ କମିଟି ମତାନୁସାରେ, ଏହି ସମସ୍ତ କାର୍ଯ୍ୟ ଏକ ଯୋଜନାବଦ୍ଧ ଅପରାଧିକ ଷଡଯନ୍ତ୍ରର ଅଂଶ ହୋଇପାରେ ଓ ଏଥିରେ ଅନେକ ବ୍ୟକ୍ତିଙ୍କ ଜଡିତ ଥିବା ସମ୍ଭାବନା ରହିଛି।

ତଦନ୍ତରେ ଓଡିଶା ମାଇନର ମିନେରାଲ କନ୍ସେସନ ରୁଲ୍ସ, ବାୟୁ ଓ ଜଳ ପ୍ରଦୂଷଣ ନିୟନ୍ତ୍ରଣ ଆଇନ ସହ ଭାରତୀୟ ନ୍ୟାୟ ସଂହିତାର କିଛି ଧାରା ଉଲ୍ଲଂଘନ ହୋଇ ଥିବା ସ୍ପଷ୍ଟ ହୋଇଛି।