ସୋସିଆଲ୍ ମିଡିଆରେ ଝିମିଟି ଖେଳ: ଛୋଟ କମେଣ୍ଟରୁ ବଡ଼ ବିବାଦ

ଛୋଟ ଝଗଡ଼ାରୁ ବଡ଼ ସର୍ବନାଶ

ମହାଭାରତର ବିଶାଳ ଯୁଦ୍ଧ କେବଳ ଗୋଟେ ଦିନରେ ହୋଇ ନଥିଲା। ଏହାର ମୂଳରେ ଥିଲା ଅନେକ ଛୋଟ ଛୋଟ ଘଟଣା—ଯାହାକୁ ଆମେ “ଝିମିଟି ଖେଳ” ବୋଲି କହିପାରୁ। ଯଦି ଏହି ଝିମିଟି ଖେଳ ହେଇ ନଥାନ୍ତା ତେବେ ମହାଭାରତ ର କାହାଣୀ ନଥାନ୍ତା। ଆରମ୍ଭରେ ଏହି ଘଟଣାଗୁଡ଼ିକ ତୁଚ୍ଛ ଓ ସାଧାରଣ ଲାଗୁଥିଲା, କିନ୍ତୁ ପରେ ସେଗୁଡ଼ିକ ଅହଂକାର, ଇର୍ଷ୍ୟା ଓ ଅନ୍ୟାୟରେ ଜଡିତ ହୋଇ ବିପୁଳ ଯୁଦ୍ଧରେ ପରିଣତ ହେଲା।ମଣିଷର ଜୀବନରେ ଦିନକୁ ଦିନ ଅନେକ ଘଟଣା ଘଟିଥାଏ। ସେଥିରେ କିଛି ଛୋଟ ଓ ସାଧାରଣ, ଆଉ କିଛି ବଡ଼ ଓ ଗୁରୁତର। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଲା—ଅନେକ ସମୟରେ ଯେଉଁ ଘଟଣା ଆରମ୍ଭରେ ଖୁବ୍ ଛୋଟ ଓ ଗୁରୁତ୍ୱହୀନ ଥାଏ, ସେହି ଘଟଣା କେବେକେବେ ବଡ଼ ବିବାଦର ରୂପ ନେଇଥାଏ। ଏହି ପରିସ୍ଥିତିକୁ ଓଡ଼ିଆ ପ୍ରବାଦରେ କୁହାଯାଏ—“ଝିମିଟି ଖେଳରୁ ମହାଭାରତ”।

ପ୍ରଥମେ ବୁଝିବାକୁ ପଡିବ ଯେ ଝିମିଟି ଖେଳର ଆବାହକ କିଏ ? ସେ କାହିଁକି ଏ ଖେଳ ଆରମ୍ଭ କରିବାକୁ ଭଲପାଏ ? ଏଥି ପାଇଁକି କି ତାର ସେହି ସମୟରେ କିଛି କ୍ଷଣିକ ସୁଖର ଆବଶକ୍ୟ ଥାଏ। ଯଦି ସେତକ ନମିଳିଲା ତେବେ ଖେଳ ଆରମ୍ଭ। “ଝିମିଟି ଖେଳ” ଆରମ୍ଭ କରୁଥିବା ବ୍ୟକ୍ତିକୁ ସରଳ ଭାବରେ “ଉତ୍ତେଜକ” କିମ୍ବା “ଝଗଡ଼ା ସୃଷ୍ଟିକାରୀ” କୁହାଯାଏ । ଯେତେବେଳେ ଏହି ଛୋଟ କଥାକୁ ମଣିଷ ତାଙ୍କର ଅହଂକାର, କ୍ରୋଧ ବା ଅବୁଝାପଣ ଦ୍ୱାରା ବଡ଼ କରିଦିଏ, ତେବେ ସେହି ଘଟଣା “ମହାଭାରତ” ପରି ବିପୁଳ ବିବାଦର ରୂପ ନେଇଥାଏ। ଏହି ଛୋଟ ଖେଳକୁ ଯିଏ ପ୍ରଥମେ ଆରମ୍ଭ କରିଥାଏ ସେ ହିଁ ଶେଷରେ ସର୍ବନାଶର କାରଣ ପାଲଟି ଯାଏ। ସେ ବୁଝିପାରେ ନାହିଁ ଯେ ସେ ନିଜେ ହିଁ ଏ ଖେଳର ଅଧିନାୟକ। ଏହି ପ୍ରବାଦ ଆମକୁ ସତର୍କ କରେ ଯେ, ଛୋଟ କଥାକୁ ଆମେ ବୁଝିଛେ, ଜାଣୁଛେ ତାକୁ ଅତିରଞ୍ଜିତ କଲେ ତାହାର ପରିଣାମ ଖରାପ ହୋଇପାରେ।

ଆମ ଦୈନିକ ଜୀବନରେ ଏହି ପ୍ରବାଦର ଅନେକ ଉଦାହରଣ ଦେଖିବାକୁ ମିଳେ। ପରିବାରରେ ଦୁଇଜଣ ସଦସ୍ୟଙ୍କ ମଧ୍ୟରେ ଛୋଟ ଭୁଲ ବୁଝାବୁଝି ହେଲେ, ଯଦି ସେହିଥିରେ ଧର୍ଯ୍ୟ ଓ ବୁଦ୍ଧିମତା ଦେଖାଯାଏନି, ତେବେ ସେଥିରୁ ବଡ଼ ଝଗଡ଼ା ହୋଇପାରେ। ଏକ ଛୋଟ କଥାରୁ ଆରମ୍ଭ ହୋଇଥିବା ବିବାଦ, ଦିନକୁ ଦିନ ବଢ଼ି ଘରର ଶାନ୍ତିକୁ ନଷ୍ଟ କରିଦେଇଥାଏ। ସେହିପରି ମିତ୍ରମାନଙ୍କ ମଧ୍ୟରେ ଏକ ସାଧାରଣ ଥଟ୍ଟାମଜା ବି କେବେ କେବେ ଅପମାନର ରୂପ ନେଇ ଦୀର୍ଘ ସମୟର ସମ୍ପର୍କକୁ ଭାଙ୍ଗି ଦେଇପାରେ। ପରିସ୍ଥିତି ନବୁଝି ଯେଉଁମାନେ ଏପରି ଆଚରଣରେ ଲିପ୍ତ ରହନ୍ତି ତାଙ୍କୁ ଅବିମୃଶ୍ୟକାରୀ ଭାବେ ବିବେଚନା କରାଯାଏ । ସମାଜ ଓ କାର୍ଯ୍ୟକ୍ଷେତ୍ରରେ ମଧ୍ୟ ଏହି ପ୍ରସଙ୍ଗ ଖୁବ୍ ସ୍ପଷ୍ଟ। ଅଫିସରେ ଏକ ଛୋଟ ତ୍ରୁଟି ବା ଅସାବଧାନତାକୁ ଯଦି ବଡ଼ କରି ଦିଆଯାଏ, ତେବେ ସେଥିରୁ ଅନାବଶ୍ୟକ ବିରୋଧ ସୃଷ୍ଟି ହୋଇପାରେ। ଏକ ଛୋଟ କଥାକୁ ନେଇ ଅଧିକ ଚର୍ଚ୍ଚା କଲେ, ତାହା ଅନ୍ୟମାନଙ୍କ ମନରେ ଅସନ୍ତୋଷ ଓ ଦୁରଭିସନ୍ଧି ସୃଷ୍ଟି କରେ। ଏହା ଫଳରେ ସମ୍ପର୍କ ଖରାପ ହୋଇଯାଏ ଓ କାମର ପରିବେଶ ଅସୁସ୍ଥ ହୋଇଯାଏ।

ଏହାର ମୂଳ କାରଣ ହେଉଛି ମଣିଷର ମନୋଭାବ। ଅହଂକାର, କ୍ରୋଧ, ଅସହିଷ୍ଣୁତା ଓ ଅଜ୍ଞାନତା ଏହିପରି ସମସ୍ୟାକୁ ବଢ଼ାଇଦିଏ। ପ୍ରଥମ କଥା ହେଲା ଝିମିଟି ଖେଳ ପରି ପ୍ରସଙ୍ଗ ଆମେ ଆଣିବା କାହିଁକି ? ପ୍ରସଙ୍ଗର ତାତ୍ପର୍ଯ୍ୟକୁ ଆମେ କେତେଦୂର ବୁଝିଛେ ? ଏ ଖେଳକୁ ଆମେ କେତେବେଳେ ପର୍ଯ୍ୟନ୍ତ ଖେଳି ପରିବା । ଯଦି ଏହା ଯୁକ୍ତିସମ୍ମତ ତେବେ ବିବାଦର ପ୍ରଶ୍ନ ହିଁ ନାହିଁ। ଯଦି ମଣିଷ ଧର୍ଯ୍ୟ ଧରେ, ଅନ୍ୟଙ୍କ କଥାକୁ ବୁଝିବାକୁ ଚେଷ୍ଟା କରେ ଓ ସମୟରେ ସମାଧାନ ଖୋଜେ, ତେବେ ଏହିପରି ବଡ଼ ବିବାଦକୁ ଏଡ଼ାଇ ପାରିବ। ସେଥିପାଇଁ ଆମକୁ ନିଜ ଭାବନା ଓ କ୍ରୋଧକୁ ନିୟନ୍ତ୍ରଣ କରିବା ଶିଖିବା ଆବଶ୍ୟକ।

ଆଜିର ଯୁଗରେ ସୋସିଆଲ୍ ମିଡିଆ ମଧ୍ୟ “ଝିମିଟି ଖେଳରୁ ମହାଭାରତ”ର ଏକ ବଡ଼ ମାଧ୍ୟମ ହୋଇଯାଇଛି। ଏକ ଛୋଟ କମେଣ୍ଟ ବା ପୋଷ୍ଟ କେବେ କେବେ ବଡ଼ ବିବାଦର ରୂପ ନେଇଥାଏ। ଲୋକେ ଭାବିବା ବିନା ପ୍ରତିକ୍ରିୟା ଦେଇଥାନ୍ତି, ଯାହାର ଫଳରେ ଅନାବଶ୍ୟକ ତର୍କ ଓ ବିରୋଧ ସୃଷ୍ଟି ହୋଇଥାଏ। ଏହା ଆମକୁ ସତର୍କ କରେ ଯେ, କଥା କହିବା ପୂର୍ବରୁ ଭାବିବା ଓ ସଞ୍ଜମ ରଖିବା କେତେ ଦରକାରୀ।

“ଝିମିଟି ଖେଳରୁ ମହାଭାରତ” ପ୍ରବଚନ ଆମକୁ ଜୀବନର ଏକ ମୂଲ୍ୟବାନ ଶିକ୍ଷା ଦିଏ। ଛୋଟ କଥାକୁ ଅନାବଶ୍ୟକ ଭାବେ ବଢ଼ାଇଲେ, ସେଥିରୁ ବଡ଼ ସମସ୍ୟା ସୃଷ୍ଟି ହୋଇପାରେ। ତେଣୁ ଆମେ ସବୁବେଳେ ଶାନ୍ତ ମନେ ଭାବିବା, ଧୈର୍ୟ ଧରିବା, ଅପର ପକ୍ଷର କଥାକୁ, ତାର ସମସ୍ୟାକୁ ବୁଝିବା ଓ ଛୋଟ କଥାକୁ ସେଇଠି ଶେଷ କରିଦେବାକୁ ଚେଷ୍ଟା କରିବା ଉଚିତ। ଏହିପରି ଆଚରଣ ଆମର ବ୍ୟକ୍ତିଗତ ଓ ସାମାଜିକ ଜୀବନକୁ ସୁଖମୟ ଓ ସମତାପୂର୍ଣ୍ଣ କରିପାରିବ।