ନବରଙ୍ଗପୁର, ୨୯/୦୪: ବୁଧବାର ଦିନ ନବରଙ୍ଗପୁର ଜିଲ୍ଲାର ଡାବୁଗାଁ ଥାନା ଭିତରେ ଏକ ଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ଜଣେ ବ୍ୟକ୍ତିଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି। ସେ ଆତ୍ମହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି। ପୋଲିସ ହେପାଜତରେ ଥିବା ବେଳେ ଥାନାର ଶୌଚାଳୟରେ ଜୀବନ ହାରିଛନ୍ତି।
ରିପୋର୍ଟ ଅନୁସାରେ, ମୃତକ ଜଣକ ହେଉଛନ୍ତି ଡାବୁଗାଁ ଥାନା ଅନ୍ତର୍ଗତ ମେଦେନା ପଞ୍ଚାୟତର ପୂର୍ଣ୍ଣ କଲାର। ତାଙ୍କୁ ଦୁଇ ଦିନ ତଳେ ଦୁଷ୍କର୍ମ ମାମଲାରେ ଗିରଫ କରାଯାଇଥିଲା। ଗତକାଲି ତାଙ୍କର ପରୀକ୍ଷା କରାଯାଇଥିଲା। ଆଜି ତାଙ୍କୁ କୋର୍ଟରେ ହାଜର କରାଯିବାର ଥିଲା। କିନ୍ତୁ, ଅଭିଯୁକ୍ତ ଜଣକ ଥାନା ଭିତରେ ନିଜ ବେଡସିଟ୍ ବ୍ୟବହାର କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।
ସେପଟେ ଏହି ଘଟଣାରେ ନବରଙ୍ଗପୁର ଏସ୍ପିଙ୍କୁ ୨୪ ଘଣ୍ଟାରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋରାପୁଟ ଡିଆଇଜି କନୱର ବିଶାଲ ସିଂ। NHRC ଗାଇଡ୍ ଲାଇନ ଅନୁଯାୟୀ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ମୃତକଙ୍କ ପରିବାର ଓ ସମ୍ପର୍କୀୟ ନବରଙ୍ଗପୁରକୁ ସଂଯୋଗ କରୁଥିବା ରାସ୍ତାକୁ ଅବରୋଧ କରିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ, ଥାନା ଭିତରେ ତାଙ୍କୁ ଅତ୍ୟାଚାର ଦିଆଯାଇ ଆତ୍ମହତ୍ୟାର ରୂପ ଦିଆଯାଇଛି। କିନ୍ତୁ ଥାନା ଭିତରେ ପୋଲିସ କର୍ମଚାରୀଙ୍କ ୨୪ ଘଣ୍ଟା ଉପସ୍ଥିତି ସତ୍ତ୍ୱେ, ଜଣେ ଅଭିଯୁକ୍ତ କିପରି ଆତ୍ମହତ୍ୟା କରିପାରେ ବୋଲି ପ୍ରଶ୍ନବାଚୀ ସୃଷ୍ଟି କରିଛି।