ସମ୍ବଲପୁର ଆକ୍ଟିଭ୍ ଆଚିଭମେଣ୍ଟ ସେଣ୍ଟରରେ ପ୍ରମାଣପତ୍ର ବିତରଣ ଉତ୍ସବ

ଶିକ୍ଷା ସାଙ୍ଗକୁ ନିଯୁକ୍ତି, ଛାତ୍ରଛାତ୍ରୀଙ୍କ ମୁହଁରେ ହସ

ସମ୍ବଲପୁର, ୦୫/୦୫: ସମ୍ବଲପୁରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ‘ଆକ୍ଟିଭ୍ ଆଚିଭମେଣ୍ଟ ସେଣ୍ଟର’ ପକ୍ଷରୁ NTT ଏବଂ NPTT ପାଠ୍ୟକ୍ରମର ୨୦୨୫ ବ୍ୟାଚ୍ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଭବ୍ୟ ପ୍ରମାଣପତ୍ର ଓ ମାର୍କସିଟ୍ ବିତରଣ ଉତ୍ସବ ସ୍ଥାନୀୟ କ୍ୟାମ୍ପସରେ ଅନୁଷ୍ଠିତ ହୋଇଯାଇଛି। କେବଳ ପ୍ରମାଣପତ୍ର ନୁହେଁ, ବରଂ ଶିକ୍ଷା ସମାପ୍ତ ପୂର୍ବରୁ ଅନେକ ଛାତ୍ରଛାତ୍ରୀଙ୍କୁ ସଫଳ ନିଯୁକ୍ତି ମିଳିଥିବାରୁ ଏହି ଅବସରରେ ଏକ ଉତ୍ସାହଜନକ ପରିବେଶ ସୃଷ୍ଟି ହୋଇଥିଲା।

ଅନୁଷ୍ଠାନର ବିଶେଷତ୍ୱ ହେଉଛି ଯେ, ପାଠ୍ୟକ୍ରମ ଚାଲୁଥିବା ସମୟରେ ହିଁ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଚାକିରି ପାଇ ସାରିଥିବା ବେଳେ ଅନ୍ୟ କେତେକ କ୍ୟାମ୍ପସ୍ ପ୍ଲେସମେଣ୍ଟ ଜରିଆରେ ମନୋନୀତ ହୋଇଛନ୍ତି। ଏହି ସଫଳତା ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅପୂର୍ବ ଆନନ୍ଦ ଦେଖିବାକୁ ମିଳିଥିଲା।

ଏହି କାର୍ଯ୍ୟକ୍ରମରେ ସେଣ୍ଟରର ନିର୍ଦ୍ଦେଶିକା ଡକ୍ଟର ଶୋଭାମୟୀ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ସମ୍ମାନିତ କରିଥିଲେ। ସେ ସମସ୍ତଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ କିପରି ଶୃଙ୍ଖଳିତ ଏବଂ ପ୍ରଭାବଶାଳୀ ଶିକ୍ଷାଦାନ ଜରିଆରେ ସେମାନେ ଜଣେ ଜଣେ ଆଦର୍ଶ ଶିକ୍ଷକ/ଶିକ୍ଷୟିତ୍ରୀ ହୋଇପାରିବେ, ସେ ଦିଗରେ ଦିଗଦର୍ଶନ ଦେଇଥିଲେ। ତାଙ୍କର ସହଯୋଗ ଓ ନିରନ୍ତର ପ୍ରେରଣା ଯୋଗୁଁ ପରୀକ୍ଷାରେ ଛାତ୍ରଛାତ୍ରୀମାନେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ଅନୁଷ୍ଠାନ ପକ୍ଷରୁ କୁହାଯାଇଛି।

ପ୍ରମାଣପତ୍ର ଗ୍ରହଣ କରିବା ପରେ ଛାତ୍ରଛାତ୍ରୀମାନେ ଡଃ ମହାପାତ୍ରଙ୍କ ନେତୃତ୍ୱ ଓ ଅନୁଷ୍ଠାନର ଶିକ୍ଷାଦାନ ଶୈଳୀକୁ ଉଚ୍ଚ ପ୍ରଶଂସା କରିଥିଲେ। ଶେଷରେ ଏକ କ୍ଷୁଦ୍ର ସାଂସ୍କୃତିକ କାର୍ଯ୍ୟକ୍ରମ ଓ ମିଷ୍ଟାନ୍ନ ବଣ୍ଟନ ସହ ଉତ୍ସବଟି ସମାପ୍ତ ହୋଇଥିଲା।