ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ: ୨୧ ମୃତ

ଉଦ୍ଧାର କାର୍ଯ୍ୟରେ ୫୦୦ ଜଣ ନିୟୋଜିତ

ହୁନାନ, ୦୫/୦୫: ଚୀନର ହୁନାନ ପ୍ରଦେଶରେ ଏକ ବାଣ କାରଖାନାରେ ଶକ୍ତିଶାଳୀ ବିସ୍ଫୋରଣରେ ୨୧ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ପ୍ରାୟ ୬୦ ଜଣ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ପ୍ରାୟ ୫୦୦ ଉଦ୍ଧାରକାରୀଙ୍କୁ ନିୟୋଜିତ ହୋଇ ଉଦ୍ଧାର କାର୍ଯ୍ୟ କରିଥିଲେ।

ଜିନହୁଆର ରିପୋର୍ଟ ଅନୁସାରେ, ବାଣ ଉତ୍ପାଦନର ଏକ ପ୍ରମୁଖ କେନ୍ଦ୍ର ଲିୟୁୟାଙ୍ଗରେ ଥିବା ହୁଆଶେଙ୍ଗ ଫାୟାରୱାର୍କସ୍ ମ୍ୟାନୁଫ୍ୟାକଚରିଂ ଆଣ୍ଡ୍ ଡିସପ୍ଲେ କମ୍ପାନୀର ଏକ ୱାର୍କସପରେ ଏହି ବିସ୍ଫୋରଣ ଘଟିଥିଲା।

ବିସ୍ଫୋରଣର ପ୍ରଭାବରେ ନିକଟସ୍ଥ ଗାଁରେ ଥିବା ଘର ଗୁଡିକର କବାଟ ଏବଂ ଝରକା ଭାଙ୍ଗି ଯାଇଥିଲା। ସ୍ଥାନୀୟ ବାସିନ୍ଦାମାନେ କହିଛନ୍ତି ଯେ ବଡ଼ ବଡ଼ ପଥର ସମେତ ଭଗ୍ନାବଶେଷ ରାସ୍ତା ଉପରେ ବିଛାଡ଼ି ହୋଇ ପଡ଼ିଥିଲା। ସୁରକ୍ଷା ଦୃଷ୍ଟିରୁ କିଛି ଗାଁ ଲୋକେ ସେଠାକାର ଅଞ୍ଚଳ ଛାଡ଼ି ଦେଇଥିଲେ।

ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଘଟଣାର ତୁରନ୍ତ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ନିଖୋଜ ବ୍ୟକ୍ତିମାନଙ୍କୁ ଖୋଜିବା ଏବଂ ଆହତମାନଙ୍କୁ ଚିକିତ୍ସା ଯୋଗାଇ ଦେବାକୁ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ତଦାରଖ କରିବା ପାଇଁ ଚୀନର ଜରୁରୀକାଳୀନ ପରିଚାଳନା ମନ୍ତ୍ରଣାଳୟ ଏକ ଟିମ୍ ପଠାଇଛି।