ବାଲିଅନ୍ତା ମର୍ଡ଼ର କେସ୍: ଘଟଣାସ୍ଥଳରେ ଅନୁଧ୍ୟାନ କଲେ ଡିଜିପି ଓ ଡିସିପି

ନିରପେକ୍ଷ ତଦନ୍ତ ହେବ କହିଲେ ମହିଳା କମିଶନ ଅଧ୍ୟକ୍ଷା

ବାଲିଅନ୍ତା, ୦୮/୦୫: ବାଲିଅନ୍ତା ବର୍ବରକାଣ୍ଡ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇଛି। ଯୁବକଙ୍କୁ ପିଟିପିଟି ହତ୍ୟା ମାମଲାରେ ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କୁ ଗିରଫ କରିଛିି ପୋଲିସ। ଘଟଣାସ୍ଥଳରେ ଡିଜିପି ୱାଇ.ବି. ଖୁରାନିଆ ଓ ଡିସିପି ଜଗମୋହନ ମୀନା ପହଞ୍ଚି ତଦନ୍ତ କରିଛନ୍ତି। ଡିଜିପି ଓ ଡିସିପିଙ୍କ ସହ ଘଟଣାସ୍ଥଳରେ ବାଲିଅନ୍ତା ଥାନା ପୋଲିସ୍ ମଧ୍ୟ ଥିଲା।

ବାଲିଅନ୍ତାରେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି ମଧ୍ୟ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଯୁବକଙ୍କୁ ହତ୍ୟା କରାଯାଇଥିବା ସ୍ଥଳ ପରିଦର୍ଶନ ସହ ପ୍ରାଥମିକ ତଦନ୍ତ କରିଛନ୍ତି। ପୀଡିତାଙ୍କୁ ଭେଟିବା ସହ ମୃତ ସୋମ୍ୟଙ୍କ ଘରକୁ ମଧ୍ୟ ଯିବେ। କମିଶନ ଅଧ୍ୟକ୍ଷା କହିଛନ୍ତି, କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଯିଏ ଦୋଷୀ ତାଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ହେବ। ଲୋକେ କାହିଁକି ଉତ୍ତ୍ୟକ୍ତ ହେଲେ ସବୁ କିଛି ବୁଝିବି। ନିରପେକ୍ଷ ତଦନ୍ତ ହେବ।

ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ଥାନା ବାହାରେ ହୋହଲ୍ଲା କରିଥିଲେ ମୃତକଙ୍କ ପରିବାର ଓ ଗାଁଲୋକ। ପୋଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ଚାପା ଉତ୍ତେଜନା ଲାଗି ରହିଥିଲା।

ଗତକାଲି ବାଲିଅନ୍ତାରେ ୨ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗରେ ସ୍ଥାନୀୟ ଲୋକେ ୨ ଯୁବକଙ୍କୁ ହାତ ଗୋଡ଼ ବାନ୍ଧି ନିସ୍ତୁକ ମାଡ ମାରିଥିଲେ। ସୌମ୍ୟରଞ୍ଜନ ସ୍ୱାଇଁ ନାମକ ଯୁବକଙ୍କୁ ଏକ ଲୁହାରେ ଓଲଟା ଟାଙ୍ଗି ପ୍ରବଳ ମାଡ଼ ମାରିଥିଲେ ଲୋକେ। ଯାହା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ ଯୁବକ ଜଣେ ଜିଆରପି କନଷ୍ଟେବଳ।

ମିଳିଥିବା ସୂଚନା ଅନୁସାରେ, ଜଣେ ଯୁବତୀଙ୍କ ସହ ଅଭିଯୋଗକାରୀ ଯୁବତୀ ଜଣକ ଭିଙ୍ଗାରପୁର ଆଡେ ସ୍କୁଟିରେ ଯାଉଥିବା ବେଳେ ମୃତକ ସୌମ୍ୟ ଏବଂ ଅନ୍ୟ ଜଣେ ବାଇକରେ ସେମାନଙ୍କୁ ଧକ୍କା ଦେଇଥିଲେ। ଯାହା ଫଳରେ ଯୁବତୀ ପଡିଯାଇ ଖଣ୍ଡିଆ ଖାବରା ହୋଇଥିଲେ। ଉଭୟଙ୍କ ମଧ୍ୟରେ ଜୋରସୋର ଝଗଡ଼ା ହୋଇଥିଲା। ଏହି ଘଟଣା ଉଗ୍ରରୂପ ନେଇଥିଲା‌। ଉଭୟଙ୍କ ଝଗଡ଼ା ମଧ୍ୟରେ ସ୍ଥାନୀୟ ଲୋକେ ରୁଣ୍ଡ ହୋଇଯିବା ସହ ତାଙ୍କ ସମ୍ପର୍କୀୟ ମାନେ ମଧ୍ୟ ପହଞ୍ଚିଥିଲେ। ଗାଁ ଲୋକ ଯୁବତୀଙ୍କୁ ଉଦ୍ଧାର କରିବାକୁ ଯାଇ ସଂପୃକ୍ତ ଦୁଇ ଯୁବକଙ୍କୁ ନିସ୍ତୁକ ପିଟିଥିଲେ। ଯୁବତୀ ମଧ୍ୟ ଥାନାରେ ମୃତ ଯୁବକଙ୍କ ବିରୋଧରେ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ କରିଛନ୍ତି।