ଏଫଏଫଏଫଏଆଇର ଷଷ୍ଠ କାର୍ଯ୍ୟନିର୍ବାହୀ କମିଟି ବୈଠକରେ ଯୋଗ ଦେଲେ ରାଜ୍ୟପାଳ
ଦକ୍ଷତା ସହିତ ଭିତ୍ତିଭୂମି, ବିଶ୍ୱାସ ସହିତ ପ୍ରଯୁକ୍ତିବିଦ୍ୟା ଏବଂ ସ୍ଥିରତା ସହିତ ଅଭିବୃଦ୍ଧିକୁ ସଂଯୋଗ କରିପାରୁଥିବା ରାଷ୍ଟ୍ରମାନଙ୍କ ପାଇଁ ଭବିଷ୍ୟତ ସମ୍ଭାବନାପୂର୍ଣ୍ଣ: ରାଜ୍ୟପାଳ
ଭୁବନେଶ୍ୱର, ୨୨/୦୫: ଦକ୍ଷତା ସହିତ ଭିତ୍ତିଭୂମି, ବିଶ୍ୱାସ ସହିତ ପ୍ରଯୁକ୍ତିବିଦ୍ୟା ଏବଂ ସ୍ଥିରତା ସହିତ ଅଭିବୃଦ୍ଧିକୁ ସଂଯୋଗ କରିପାରୁଥିବା ରାଷ୍ଟ୍ରମାନଙ୍କ ପାଇଁ ଭବିଷ୍ୟତ ସମ୍ଭାବନାପୂର୍ଣ୍ଣ ବୋଲି ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି କହିଛନ୍ତି I ଶୁକ୍ରବାର ଦିନ ପୁରୀ ଠାରେ ଓଡ଼ିଶା କଷ୍ଟମ୍ସ ବ୍ରୋକର୍ସ ଆସୋସିଏସନ (OCBA) ଆନୁକୂଲ୍ୟରେ ଆୟୋଜିତ ଫେଡେରେସନ ଅଫ୍ ଫ୍ରେଟ୍ ଫରୱାର୍ଡର୍ସ ଆସୋସିଏସନ ଇନ୍ ଇଣ୍ଡିଆ (FFFAI) ର ଷଷ୍ଠ କାର୍ଯ୍ୟନିର୍ବାହୀ କମିଟି ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭାରତର ଅର୍ଥନୈତିକ ରୂପାନ୍ତରଣରେ ଲଜିଷ୍ଟିକ୍ସ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରି ରାଜ୍ୟପାଳ ଏହା କହିଛନ୍ତି I
ଏହି ଅବସରରେ ଉଦବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ ଭାରତର ଲଜିଷ୍ଟିକ୍ସ କ୍ଷେତ୍ର କେବଳ ସାମଗ୍ରୀ ପରିବହନ ପାଇଁ ଉଦ୍ଦିଷ୍ଟ ନୁହେଁ, ବରଂ ଆକାଂକ୍ଷାକୁ ସଂଯୋଗ କରିବା, ବ୍ୟବସାୟକୁ ସଶକ୍ତ କରିବା, ନିଯୁକ୍ତି ସୃଷ୍ଟି କରିବା ଏବଂ ଜାତୀୟ ସମୃଦ୍ଧିକୁ ସୁଦୃଢ଼ କରିବା ଦିଗରେ ଜଡ଼ିତ।
ଦେଶର ବାଣିଜ୍ୟ ଏବଂ ଲଜିଷ୍ଟିକ୍ସ ଇକୋସିଷ୍ଟମରେ ଏଫଏଫଏଫଏଆଇର ଅବଦାନ ପାଇଁ ଅଭିନନ୍ଦନ ଜଣାଇବା ସହିତ ରାଜ୍ୟପାଳ କହିଥିଲେ ଯେ ଏହି ସଂଗଠନ ସାରା ଦେଶରେ କଷ୍ଟମ୍ସ ବ୍ରୋକର ଏବଂ ଫ୍ରେଟ୍ ଫରୱାର୍ଡର୍ସଙ୍କ ପ୍ରତିନିଧିତ୍ୱ କରୁଥିବା ସର୍ବୋଚ୍ଚ ସଂସ୍ଥା ଭାବରେ ଉଭା ହୋଇଛି ଏବଂ ଆଜି ଅନ୍ତର୍ଜାତୀୟ ବାଣିଜ୍ୟକୁ ସୁଗମ କରୁଥିବା ହଜାର ହଜାର ବୃତ୍ତିଗତ ଏବଂ ଉଦ୍ୟୋଗକୁ ସମର୍ଥନ କରିଆସୁଛି ।
ରାଜ୍ୟପାଳ ଏହା ମଧ୍ୟ କହିଥିଲେ ଯେ ମାଲବାହୀ ଫରୱାର୍ଡର ଏବଂ କଷ୍ଟମ୍ସ ବ୍ରୋକରଙ୍କ ଭୂମିକା ପ୍ରାୟତଃ ପରଦା ପଛରେ ରହିଥାଏ, ତଥାପି ଏହା ରାଷ୍ଟ୍ର ନିର୍ମାଣରେ ମୁଖ୍ୟ ଭୂମିକା ନଗ୍ରହଣ କରିଥାନ୍ତି । ବାଣିଜ୍ୟର ନୀରବ ସମର୍ଥକ ଭାବେ କଷ୍ଟମ୍ସ ଅନୁପାଳନ, ଲଜିଷ୍ଟିକ୍ସ ପରିଚାଳନା, ମଲ୍ଟିମୋଡାଲ୍ ପରିବହନ ଏବଂ ବାଣିଜ୍ୟ ସୁବିଧାରେ ସେମାନଙ୍କର ବିଶେଷଜ୍ଞତା ଅର୍ଥନୀତିର ଚକ୍ରକୁ ସୁଗମ ଭାବରେ ଗତିଶୀଳ ରଖିଥାଏ।
ଯେତେବେଳେ ଭାରତ ପାଞ୍ଚ ଟ୍ରିଲିୟନ ଡଲାରର ଅର୍ଥନୀତି ଏବଂ ଏକ ବିଶ୍ୱ ଉତ୍ପାଦନ କେନ୍ଦ୍ର ହେବାକୁ ଆକାଂକ୍ଷା କରେ, ସେତେବେଳେ ଏଫଏଫଏଫଏଆଇ ଭଳି ସଂଗଠନଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ରାଜ୍ୟପାଳ ଅବତାରଣା କରିଥିଲେ I
ଭୂ-ରାଜନୈତିକ ଉତ୍ତେଜନା, ଯୋଗାଣ ଶୃଙ୍ଖଳ ବାଧା, ବର୍ଦ୍ଧିତ ମାଲ ପରିବହନ ମୂଲ୍ୟ ଏବଂ ଜାହାଜ ଚଳାଚଳ ମାର୍ଗରେ ଅନିଶ୍ଚିତତା ସମେତ ବିଶ୍ୱ ବାଣିଜ୍ୟ ସାମ୍ନା କରୁଥିବା ଆହ୍ୱାନଗୁଡ଼ିକୁ ଉଲ୍ଲେଖ କରି ସ୍ଥିରତା, ନବସୃଜନ ଏବଂ ସମନ୍ୱିତ ପଦକ୍ଷେପ ଦିଗରେ ସରକାର ଏବଂ ଶିଳ୍ପସଂସ୍ଥାଗୁଡିକ ପଦକ୍ଷେପ ନେବା ଉପରେ ରାଜ୍ୟପାଳ ଗୁରୁତ୍ୱାରୋପ କରିଥିଲେ ।
ଦକ୍ଷତା ବୃଦ୍ଧି ଏବଂ ଲଜିଷ୍ଟିକ୍ସ ଖର୍ଚ୍ଚ ହ୍ରାସ କରିବା ଲକ୍ଷ୍ୟରେ ଜାତୀୟ ଲଜିଷ୍ଟିକ୍ସ ନୀତି, ପ୍ରଧାନମନ୍ତ୍ରୀ ଗତି ଶକ୍ତି, ଡିଜିଟାଲ୍ କଷ୍ଟମ୍ସ ପ୍ରକ୍ରିୟା ଏବଂ ବିକଳ୍ପ ବାଣିଜ୍ୟ କରିଡର କ୍ଷେତ୍ରରେ ଭାରତ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ପଦକ୍ଷେପ ଉପରେ ମଧ୍ୟ ରାଜ୍ୟପାଳ ଆଲୋକପାତ କରିଥିଲେ।
ରାଜ୍ୟପାଳ ଏହା ମଧ୍ୟ କହିଥିଲେ ଯେ ଓଡ଼ିଶା ପୂର୍ବ ଭାରତର ଏକ ପ୍ରମୁଖ ଲଜିଷ୍ଟିକ୍ସ ଓ ସାମୁଦ୍ରିକ କେନ୍ଦ୍ର ଭାବେ ଉଭା ହୋଇଛି। ଏହାର ଦୀର୍ଘ ବେଳାଭୂମି, ପାରାଦୀପ, ଧାମରା ଓ ଗୋପାଳପୁର ଭଳି ବନ୍ଦର ଯୋଗୟୋଗ ଓ ଶିଳ୍ପ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରୁଛି।
ଦେଶର ଆର୍ଥିକ ସୁରକ୍ଷାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଆର୍ଥିକ ଆତ୍ମସୁରକ୍ଷା’ ପରାମର୍ଶକୁ ପାଳନ କରିବାକୁ ରାଜ୍ୟପାଳ ଅଂଶଗ୍ରହଣକାରୀଙ୍କୁ ପରାମର୍ଶ ଦେଇଥିଲେ। ଲୋକଭବନରେ ପ୍ରଚଳିତ ପ୍ରୋତ୍ସାହନ ଭିତ୍ତିକ ଇଭି ଚାର୍ଜିଂ ବ୍ୟବସ୍ଥାକୁ ଉଦାହରଣ ଭାବେ ଦର୍ଶାଇ ବୈଦ୍ୟୁତିକ ଯାନର ବହୁଳ ବ୍ୟବହାର ସହିତ ଭାରି ବୈଦ୍ୟୁତିକ ଯାନ ବିକଳ୍ପ ଆପଣେଇବାକୁ ପ୍ରୋତ୍ସାହିତ କରିବାକୁ ରାଜ୍ୟପାଳ ଆହ୍ୱାନ ଜଣାଇଥିଲେ ।
ଏହି ଅବସରରେ ଏଫଏଫଏଫଏଆଇର ଅଧ୍ୟକ୍ଷ ଅମିତ କାମତ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଓଡ଼ିଶା କଷ୍ଟମ୍ସ ବ୍ରୋକର୍ସ ଆସୋସିଏସନର ସଭାପତି ହରିହର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।